ଜି ନ୍ୟୁଜ୍ ଖବରର ବଡ଼ ପ୍ରଭାବ! ୪୯ଟି ଫ୍ଲାଟ୍ ନିଲାମୀ ବିବାଦରେ ଭୁଲ୍ ସୁଧାରିଲା NBCC, ନୂଆ ସୂଚନା ଜାରି
ନୂଆ ନିଲାମୀରେ କେଉଁମାନେ ଭାଗ ନେଇପାରିବେ, ସେନେଇ ମଧ୍ୟ NBCC ସଂଶୋଧିତ ସୂଚନା ଜାରି କରିଛି। ପୂର୍ବ ସୂଚନାରେ ସର୍ବାଧିକ ବିଡ୍ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ନିଲାମୀରେ ସାମିଲ ହେବାର ସୁଯୋଗ ଦିଆଯିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ନୂଆ କରିଗେଣ୍ଡମ୍ରେ ଏହି ସର୍ତ୍ତକୁ ସ୍ପଷ୍ଟ କରାଯାଇଛି।
NBCC Issues: ଦିଲ୍ଲୀର ସରୋଜିନୀ ନଗରସ୍ଥିତ ଆଭେନ୍ୟୁ ଟାୱାର୍ସର ୪୯ଟି ଫ୍ଲାଟ୍ର ନିଲାମୀକୁ ନେଇ ବିବାଦ ନୂଆ ମୋଡ଼ ନେଇଛି। ଏହି ମାମଲାରେ ଜି ନ୍ୟୁଜ୍ର ଖବର ପ୍ରସାରଣ ପରେ ସରକାରୀ କମ୍ପାନୀ NBCC ନିଜର ପୂର୍ବ ସୂଚନାରେ ସଂଶୋଧନ କରି ନୂଆ କରିଗେଣ୍ଡମ୍ (Corrigendum) ଜାରି କରିଛି। ଏଥିରେ କିଛି ଫ୍ଲାଟ୍କୁ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା କଥା ସ୍ପଷ୍ଟ କରାଯାଇଛି।
NBCC ପକ୍ଷରୁ ଜାରି ନୂଆ ସୂଚନା ଅନୁସାରେ, ୨୮ ଅକ୍ଟୋବର ୨୦୨୬ରେ ପ୍ରକାଶିତ ନୋଟିସ୍ ମାଧ୍ୟମରେ ପ୍ରଶାସନିକ କାରଣ ଦର୍ଶାଇ ପୂର୍ବ ଇ-ନିଲାମୀର ୪୯ଟି ଫ୍ଲାଟ୍ର ବିଡ୍କୁ ବାତିଲ୍ କରାଯାଇଥିଲା। ଏବେ ଏହି ସମସ୍ତ ୪୯ଟି ଫ୍ଲାଟ୍କୁ ପୁଣିଥରେ ନୂଆ ନିଲାମୀରେ ସାମିଲ କରାଯାଇଛି।
ALSO READ: IPL ୨୦୨୭ ପୂର୍ବରୁ KKRର ବଡ଼ ଝଟକା! ପଥିରାନା, ମୁସ୍ତାଫିଜୁରଙ୍କ ସମେତ ୧୨ ଖେଳାଳି ବିଦା
ତେବେ ଏହି ଫ୍ଲାଟ୍ଗୁଡ଼ିକ ମଧ୍ୟରୁ କିଛି ୟୁନିଟ୍ର ନିଲାମୀ ବାତିଲ୍କୁ ଚ୍ୟାଲେଞ୍ଜ କରି କେତେକ ବିଡର୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେଣୁ ନୂଆ କରିଗେଣ୍ଡମ୍ରେ NBCC ସ୍ପଷ୍ଟ କରିଛି ଯେ, ନୂଆ ଆବେଦନକାରୀମାନେ ଏହି ଆଇନଗତ ସ୍ଥିତିକୁ ଧ୍ୟାନରେ ରଖି ନିଜ ଦାୟିତ୍ୱରେ ନିଲାମୀରେ ଭାଗ ନିଅନ୍ତୁ। ଏହି ପ୍ରକ୍ରିୟାରୁ କୌଣସି କ୍ଷତି କିମ୍ବା ଦାବି ଉପୁଜିଲେ NBCC ତାହାର ଦାୟିତ୍ୱ ନେବ ନାହିଁ ବୋଲି କହିଛି।
ପୂର୍ବ ସୂଚନାରେ କୋର୍ଟ ମାମଲା ଉଲ୍ଲେଖ ନଥିଲା:
ଏହା ପୂର୍ବରୁ ୬ ନଭେମ୍ବରରେ NBCC ନୂଆ ନିଲାମୀ ପାଇଁ ଆବେଦନ ଆମନ୍ତ୍ରଣ କରିଥିଲା। ସେହି ସମୟରେ ଜମି କିମ୍ବା ସମ୍ପତ୍ତିକୁ ନେଇ କୌଣସି ମାମଲା କୋର୍ଟରେ ବିଚାରାଧୀନ ନଥିବା କଥା ସୂଚନାରେ କୁହାଯାଇଥିଲା। କିନ୍ତୁ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ୫ ନଭେମ୍ବରରେ, କେତେକ କ୍ରେତାଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ NBCCକୁ ନୋଟିସ୍ ଜାରି କରି ଜବାବ ମାଗିଥିଲେ।
ଏହି ତଥ୍ୟକୁ ନେଇ ନୂଆ ନିଲାମୀ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠିଥିଲା। ଜି ନ୍ୟୁଜ୍ର ରିପୋର୍ଟରେ ଏହି ପ୍ରସଙ୍ଗ ସହ ସୁପ୍ରିମକୋର୍ଟଙ୍କ କେତେକ ରାୟର ଉଲ୍ଲେଖ କରାଯାଇ NBCCର ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଯାଇଥିଲା।
ନିଲାମୀରେ ଭାଗ ନେବା ନେଇ ବଦଳିଲା ସ୍ଥିତି:
ନୂଆ ନିଲାମୀରେ କେଉଁମାନେ ଭାଗ ନେଇପାରିବେ, ସେନେଇ ମଧ୍ୟ NBCC ସଂଶୋଧିତ ସୂଚନା ଜାରି କରିଛି। ପୂର୍ବ ସୂଚନାରେ ସର୍ବାଧିକ ବିଡ୍ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ନିଲାମୀରେ ସାମିଲ ହେବାର ସୁଯୋଗ ଦିଆଯିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ ନୂଆ କରିଗେଣ୍ଡମ୍ରେ ଏହି ସର୍ତ୍ତକୁ ସ୍ପଷ୍ଟ କରାଯାଇଛି।
ସଂଶୋଧିତ ସୂଚନା ଅନୁସାରେ, NBCC ଯେଉଁ ବିଡ୍ଗୁଡ଼ିକୁ ସଫଳ ବୋଲି ଗ୍ରହଣ କରିଥିଲା, ସେହି ବିଡର୍ମାନେ ନୂଆ ନିଲାମୀରେ ଭାଗ ନେଇପାରିବେ ନାହିଁ। ତେବେ ନିଲାମୀ ବାତିଲ୍କୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିବା କେତେକ ସର୍ବାଧିକ ବିଡର୍ଙ୍କ ପାଇଁ ନୂଆ ନିଲାମୀରେ ଭାଗ ନେବାର ରାସ୍ତା ଖୋଲିଥିବା ଜଣାପଡ଼ିଛି।
ନଭେମ୍ବର ୨୬ରେ ପରବର୍ତ୍ତୀ ଶୁଣାଣି:
ବୁଧବାର ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଶୁଣାଣି ସମୟରେ କ୍ରେତାଙ୍କ ପକ୍ଷରୁ ଉପସ୍ଥିତ ଓକିଲ ନୂଆ ନିଲାମୀ ପ୍ରକ୍ରିୟା ଉପରେ ଆପତ୍ତି ଉଠାଇଥିଲେ। ତାଙ୍କ କହିବା ଅନୁସାରେ, ୫ ନଭେମ୍ବରରେ ହାଇକୋର୍ଟ ଶୁଣାଣି ସମୟରେ NBCCକୁ ଏହି ମାମଲାରେ ଆଗକୁ କ'ଣ ପଦକ୍ଷେପ ନେବ ବୋଲି ପଚାରିଥିଲେ। କିନ୍ତୁ ଏହାର ମାତ୍ର ୨୪ ଘଣ୍ଟା ମଧ୍ୟରେ NBCC ପୁଣିଥରେ ୪୯ଟି ଫ୍ଲାଟ୍ର ନିଲାମୀ ଆରମ୍ଭ କରିଥିଲା।
କ୍ରେତାଙ୍କ ପକ୍ଷରୁ ନୂଆ ନିଲାମୀ ପ୍ରକ୍ରିୟା ଉପରେ ରୋକ୍ ଲଗାଇବାକୁ ମଧ୍ୟ ଦାବି କରାଯାଇଥିଲା। ହାଇକୋର୍ଟ NBCCକୁ ଏହି ମାମଲାକୁ ଆଉ ଜଟିଳ ନକରିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି। NBCC ପକ୍ଷରୁ ଉପସ୍ଥିତ ଓକିଲ ଆବେଦନକାରୀଙ୍କ ଆପତ୍ତି ଉପରେ ବିସ୍ତୃତ ଜବାବ ଦାଖଲ କରିବେ ବୋଲି କୋର୍ଟଙ୍କୁ ଜଣାଇଛନ୍ତି।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୬ରେ ହେବ। ସେହିଦିନ NBCC ପକ୍ଷରୁ ଆରମ୍ଭ ହୋଇଥିବା ନୂଆ ନିଲାମୀ ପ୍ରକ୍ରିୟା ଉପରେ ରୋକ୍ ଲାଗିବ କି ନାହିଁ, ସେନେଇ ହାଇକୋର୍ଟ ନିଷ୍ପତ୍ତି ନେଇପାରନ୍ତି।