SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Nasha Mukt Bharat: ନିଶାମୁକ୍ତ ଭାରତ ଗଠନ ପାଇଁ ଜି ମିଡିଆର ବଡ଼ ଅଭିଯାନ, ଆରମ୍ଭ ହେଲା ‘ନଶା ମୁକ୍ତ ଭାରତ’

ଏହି ଅଭିଯାନ ମାଧ୍ୟମରେ ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ, ଯୁବପିଢ଼ିଙ୍କ ଉପରେ ଏହାର ପ୍ରଭାବ ଏବଂ ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଏଥିସହ ନିଶାସକ୍ତିରୁ ମୁକ୍ତ ହୋଇ ନୂଆ ଜୀବନ ଆରମ୍ଭ କରିଥିବା ବ୍ୟକ୍ତିଙ୍କ ସଂଘର୍ଷ ଓ ସଫଳତାର କାହାଣୀ ମଧ୍ୟ ସାମ୍ନାକୁ ଅଣାଯିବ।

Written By Priyambada Rana Edited By Priyambada Rana
Published: Nov 18, 2026, 15:43 IST | Updated: Nov 18, 2026, 15:46 IST
Image Credit: Zee Media desk
Join

Nasha Mukt Bharat: ଦେଶରେ ନିଶାଦ୍ରବ୍ୟ ସେବନ ଓ ନିଶାସକ୍ତିର ବଢ଼ୁଥିବା ସମସ୍ୟା ବିରୋଧରେ ଜନସଚେତନତା ସୃଷ୍ଟି କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି ଜି ମିଡିଆ। ନିଶାମୁକ୍ତ ଭାରତ ଗଠନ ଲକ୍ଷ୍ୟରେ ଜି ମିଡିଆ ପକ୍ଷରୁ ଆରମ୍ଭ ହୋଇଛି ଦେଶବ୍ୟାପୀ ମଲ୍ଟିମିଡିଆ ଅଭିଯାନ ‘ନଶା ମୁକ୍ତ ଭାରତ’। ନଭେମ୍ବର ୧୬ ତାରିଖରେ ଜି ନ୍ୟୁଜ୍‌ର ପ୍ରମୁଖ କାର୍ଯ୍ୟକ୍ରମ DNA ମାଧ୍ୟମରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ରାହୁଲ ସିହ୍ନା ଉପସ୍ଥାପନ କରିଥିଲେ।

ଏହି ଅଭିଯାନ ମାଧ୍ୟମରେ ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ, ଯୁବପିଢ଼ିଙ୍କ ଉପରେ ଏହାର ପ୍ରଭାବ ଏବଂ ପରିବାର ଓ ସମାଜ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ଏଥିସହ ନିଶାସକ୍ତିରୁ ମୁକ୍ତ ହୋଇ ନୂଆ ଜୀବନ ଆରମ୍ଭ କରିଥିବା ବ୍ୟକ୍ତିଙ୍କ ସଂଘର୍ଷ ଓ ସଫଳତାର କାହାଣୀ ମଧ୍ୟ ସାମ୍ନାକୁ ଅଣାଯିବ।

ଜି ମିଡିଆର ଏହି ଅଭିଯାନ ୧୬ଟି ଟେଲିଭିଜନ ଚ୍ୟାନେଲ୍, ୩୨ଟି ଡିଜିଟାଲ୍ ପ୍ଲାଟଫର୍ମ ଏବଂ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ପ୍ରସାରିତ ହେବ। ଆଗାମୀ କିଛି ସପ୍ତାହ ଧରି ଏହା ଅଧୀନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ତଦନ୍ତମୂଳକ ରିପୋର୍ଟ, ଗ୍ରାଉଣ୍ଡ ରିପୋର୍ଟ ଏବଂ ସଚେତନତାଧର୍ମୀ ବିଷୟବସ୍ତୁ ପ୍ରସାରଣ କରାଯିବ।

ଏହି ପଦକ୍ଷେପ ସମ୍ପର୍କରେ ଜି ମିଡିଆର ସିଇଓ ରକ୍ତିମ ଦାସ କହିଛନ୍ତି ଯେ, ଏକ ବଡ଼ ଜାତୀୟ ଓ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥା ଭାବେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଟେଲିଭିଜନ, ଡିଜିଟାଲ୍ ଓ ସୋସିଆଲ୍ ମିଡିଆର ଶକ୍ତିକୁ ଏକାଠି କରି ଦେଶର ପ୍ରତ୍ୟେକ କୋଣରେ ନିଶାମୁକ୍ତ ଭାରତର ବାର୍ତ୍ତା ପହଞ୍ଚାଇବା ଏହି ଅଭିଯାନର ଉଦ୍ଦେଶ୍ୟ। ଏଥିପାଇଁ ନିରନ୍ତର ସଚେତନତା, ସାମୂହିକ ଦାୟିତ୍ୱ ଓ ଜନସାଧାରଣଙ୍କ ସକ୍ରିୟ ଭାଗିଦାରୀ ଆବଶ୍ୟକ ବୋଲି ସେ କହିଛନ୍ତି।

ସେହିପରି ଜି ନ୍ୟୁଜ୍‌ର ମ୍ୟାନେଜିଂ ଏଡିଟର୍ ରାହୁଲ ସିହ୍ନା କହିଛନ୍ତି ଯେ, ନିଶାଦ୍ରବ୍ୟ ସେବନ କେବଳ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ପରିବାରର ସମସ୍ୟା ନୁହେଁ। ଏହା ସମଗ୍ର ସମାଜ ପାଇଁ ଏକ ବଡ଼ ଆହ୍ୱାନ। ବିଶେଷକରି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ଏହି ଅଭିଯାନ ମାଧ୍ୟମରେ ତଦନ୍ତମୂଳକ ସାମ୍ବାଦିକତା ସହ ନିଶାସକ୍ତି ବିରୋଧରେ ଲଢ଼ୁଥିବା ଲୋକଙ୍କ ସାହସ, ସଂଘର୍ଷ ଓ ପରିବର୍ତ୍ତନର କାହାଣୀକୁ ସାମ୍ନାକୁ ଅଣାଯିବ।

ଏହି ଅଭିଯାନରେ କେବଳ ସଚେତନତା ବାର୍ତ୍ତା ଦିଆଯିବ ନାହିଁ, ବରଂ ନିଶାସକ୍ତିରୁ ମୁକ୍ତ ହୋଇ ଜୀବନକୁ ନୂଆ ଦିଗ ଦେଇଥିବା ବ୍ୟକ୍ତି, ନିଶାର କୁପରିଣାମ ଭୋଗିଥିବା ପରିବାର ଏବଂ ପୀଡ଼ିତଙ୍କୁ ସହାୟତା କରୁଥିବା ସଂଗଠନଗୁଡ଼ିକର ଅନୁଭୂତିକୁ ମଧ୍ୟ ସ୍ଥାନ ମିଳିବ।

ମୋଟାମୋଟି ଭାବେ, ନିଶାଦ୍ରବ୍ୟର କୁପ୍ରଭାବ ବିରୋଧରେ ଦେଶବ୍ୟାପୀ ଜନମତ ସୃଷ୍ଟି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଏହି ଲଢ଼େଇର ଅଂଶୀଦାର କରିବା ହେଉଛି ଜି ମିଡିଆର ‘ନଶା ମୁକ୍ତ ଭାରତ’ ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଏକ ସୁସ୍ଥ, ସୁରକ୍ଷିତ ଓ ବିକଶିତ ଭାରତ ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ପଦକ୍ଷେପ ହୋଇପାରେ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES