କୋଣାର୍କରେ ଭକ୍ତିମୟ ପରିବେଶ ସୃଷ୍ଟି କଲେ ଗୁଜରାଟୀ ପର୍ଯ୍ୟଟକ
ଲଡୁ ଗୋପାଳଙ୍କୁ ବର ଭାବେ ସଜାଇବା ସହ ତୁଳସୀଙ୍କୁ ବଧୂ ରୂପରେ ସଜାଯାଇଥିଲା। କାତ୍ତିକ ମାସ ପୂର୍ବରୁ ୪ମାସ ପର୍ଯ୍ୟନ୍ତ ପରିବାରରେ ବିବାହ ଉତ୍ସବ ବନ୍ଦ କରି ଝିଅ ଝିଅ ମଧ୍ୟରେ ବର କନ୍ୟା ହୋଇ ଏହି ଉତ୍ସବ ପାଳନ କରିଛନ୍ତି ଗୁଜରାଟୀମାନେ ।
କୋଣାର୍କ: (ନାରାୟଣ ବେହେରା) ଗୁଜରାଟୀ ସମ୍ପ୍ରଦାୟର ପର୍ଯ୍ୟଟକ ନିଆରା ତୁଳସୀ ବିବାହ ଉତ୍ସବ ପାଳନ କରିଛନ୍ତି। ବିଶ୍ୱ ଐତିହ୍ୟ କୋଣାର୍କରେ ଦେଖିବାକୁ ମିଳିଛି ଏକ ନିଆରା ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରାର ଝଲକ। ଗୁଜରାଟରୁ କୋଣାର୍କ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ଲଡୁ ଗୋପାଳଙ୍କ ସହ ତୁଳସୀଙ୍କ ବିବାହ ଉତ୍ସବକୁ ବେଶ୍ ଧୁମଧାମରେ ପାଳନ କରିଛନ୍ତି।
ପାରମ୍ପରିକ ରୀତିନୀତି, ପୂଜାର୍ଚ୍ଚନା ଓ ଭକ୍ତିମୟ ପରିବେଶ ମଧ୍ୟରେ ଆୟୋଜିତ ଏହି ଉତ୍ସବ ପର୍ଯ୍ୟଟନ ସହର କୋଣାର୍କରେ ସୃଷ୍ଟି କରିଥିଲା ଭିନ୍ନ ଏକ ଅନୁଭୂତି । କୋଣାର୍କ କେବଳ ଐତିହ୍ୟ ଓ ପର୍ଯ୍ୟଟନର ସହର ନୁହେଁ, ଏହା ଆଧ୍ୟାତ୍ମିକତା ଓ ଧାର୍ମିକ ଭାବନାର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର। ଏହି ପରିବେଶ ମଧ୍ୟରେ ଗୁଜରାଟରୁ ଆସିଥିବା ପର୍ଯ୍ୟଟକମାନେ ପାଳନ କରିଛନ୍ତି ଏକ ନିଆରା ଧାର୍ମିକ ଉତ୍ସବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ବାଳସ୍ୱରୂପ ଲଡୁ ଗୋପାଳଙ୍କ ସହ ମା' ତୁଳସୀଙ୍କ ବିବାହ ଉତ୍ସବକୁ ପାରମ୍ପରିକ ବିଧିବିଧାନ ଅନୁସାରେ ପାଳନ କରିଥିଲେ ଗୁଜରାଟୀ ପର୍ଯ୍ୟଟକମାନେ। ବିବାହ ଉତ୍ସବ ପାଇଁ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା। ବିବାହର ସମସ୍ତ ପରମ୍ପରାକୁ ମନେ ପକାଇ ଭକ୍ତି ଓ ଶ୍ରଦ୍ଧାର ସହ ଉତ୍ସବ ପାଳନ କରିଥିଲେ ଶ୍ରଦ୍ଧାଳୁ।
ଲଡୁ ଗୋପାଳଙ୍କୁ ବର ଭାବେ ସଜାଇବା ସହ ତୁଳସୀଙ୍କୁ ବଧୂ ରୂପରେ ସଜାଯାଇଥିଲା। କାତ୍ତିକ ମାସ ପୂର୍ବରୁ ୪ମାସ ପର୍ଯ୍ୟନ୍ତ ପରିବାରରେ ବିବାହ ଉତ୍ସବ ବନ୍ଦ କରି ଝିଅ ଝିଅ ମଧ୍ୟରେ ବର କନ୍ୟା ହୋଇ ଏହି ଉତ୍ସବ ପାଳନ କରିଛନ୍ତି ଗୁଜରାଟୀମାନେ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଗୋପାଳ କୃଷ୍ଣ ସହ ତୁଳସୀ ବୃକ୍ଷକୁ ବିବାହ କରି ଭଜନ, କୀର୍ତ୍ତନ ଓ ମନ୍ତ୍ର ଉଚ୍ଚାରଣରେ ପରିବେଶ କରିବା ସହ ବାଜା ବାଣରେ କୋଣାର୍କ ବଜାରରେ ଭ୍ରମଣ କରି ଗଜାନନଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ପରେ ବରର ପିତା ଘରୁ ଆସି କନ୍ୟା ଘରକୁ ବରଣୀ ପରେ ପ୍ରଥମେ ବର ଓ ପରେ କନ୍ୟା ବେଦିକୁ ଆସି ବିବାହ କରାଯାଇଥିଲା। ନିଜ ରାଜ୍ୟଠାରୁ ଦୂରରେ ରହି ମଧ୍ୟ ନିଜର ଧାର୍ମିକ ପରମ୍ପରା ଓ ସଂସ୍କୃତିକୁ ଭୁଲି ନାହାନ୍ତି ଏହି ଗୁଜରାଟୀ ପର୍ଯ୍ୟଟକମାନେ।ଧର୍ମ ଓ ସଂସ୍କୃତିର ଏହି ଅପୂର୍ବ ମିଳନ କେବଳ ଏକ ବିବାହ ଉତ୍ସବ ନୁହେଁ, ବରଂ ଭାରତୀୟ ପରମ୍ପରାର ଏକ ସୁନ୍ଦର ଉଦାହରଣ। ରାଜ୍ୟ ଭିନ୍ନ, ଭାଷା ଭିନ୍ନ, କିନ୍ତୁ ଭକ୍ତି ଓ ଆସ୍ଥାର ଭାବନା ସମସ୍ତଙ୍କୁ ଏକାଠି କରିଛି। ଐତିହ୍ୟର ସହର କୋଣାର୍କରେ ଗୁଜରାଟୀ ପର୍ଯ୍ୟଟକଙ୍କ ଏହି ନିଆରା ତୁଳସୀ ବିବାହ ଉତ୍ସବ ଦେଇଛି ଏକ ସୁନ୍ଦର ବାର୍ତ୍ତା। ଭାରତୀୟ ସଂସ୍କୃତିର ମୂଳ ଆଧାର ହେଉଛି ଆସ୍ଥା, ପରମ୍ପରା ଓ ଭକ୍ତି। ଏହି ଭକ୍ତିର ଭାବନା ହିଁ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଛି।
Also Read- Gold Rate Weekly Update: ଏହି ସପ୍ତାହରେ ସୁନା ରୁପା ଦରରେ ବଡ ଧରଣର ହ୍ରାସ