SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

France Protests Turn Violent: ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ: ଜଳାପୋଡ଼ା, ୧୨୦୦ରୁ ଅଧିକ ଗିରଫ

ୟୁରୋପୀୟ ଦେଶ ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ରାଜଧାନୀ ପ୍ୟାରିସ୍‌ ସମେତ ଦେଶର ଅନେକ ପ୍ରମୁଖ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରେ ଦୋକାନ ଭଙ୍ଗାରୁଜା, ଲୁଟ୍‌ପାଟ୍‌ ଓ ଗାଡ଼ିରେ ନିଆଁ ଲଗାଇବା ଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ସ୍ଥିତି ଅଧିକ ଜଟିଳ ହୋଇଛି।

Written By Priyambada Rana Edited By Priyambada Rana
Published: Oct 18, 2026, 04:16 PM IST | Updated: Oct 18, 2026, 04:22 PM IST
Image Credit: France Protests Turn Violent: ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ: ଜଳାପୋଡ଼ା, ୧୨୦୦ରୁ ଅଧିକ ଗିରଫ
Join

France Protests Turn Violent: ମହଙ୍ଗା ଦରଦାମ୍‌, କମ୍‌ ଦରମା ଓ ଶିକ୍ଷା ବ୍ୟବସ୍ଥାର ଦୁରବସ୍ଥାକୁ ନେଇ ଫ୍ରାନ୍ସରେ ତୀବ୍ର ବିକ୍ଷୋଭ। ଅନେକ ସହରରେ ଭଙ୍ଗାରୁଜା, ଗାଡ଼ି ପୋଡ଼ା ଓ ଦୋକାନ ଲୁଟ୍‌ ଅଭିଯୋଗ। ପୁଲିସ୍‌ ସହ ସଂଘର୍ଷରେ ୧୫୦ରୁ ଅଧିକ କର୍ମଚାରୀ ଆହତ ହୋଇଥିବା ସୂଚନା।

ୟୁରୋପୀୟ ଦେଶ ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ରାଜଧାନୀ ପ୍ୟାରିସ୍‌ ସମେତ ଦେଶର ଅନେକ ପ୍ରମୁଖ ସହରରେ ବିକ୍ଷୋଭକାରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଅନେକ ସ୍ଥାନରେ ଦୋକାନ ଭଙ୍ଗାରୁଜା, ଲୁଟ୍‌ପାଟ୍‌ ଓ ଗାଡ଼ିରେ ନିଆଁ ଲଗାଇବା ଭଳି ଘଟଣା ସାମ୍ନାକୁ ଆସିଛି। ପୁଲିସ୍‌ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଫଳରେ ସ୍ଥିତି ଅଧିକ ଜଟିଳ ହୋଇଛି।

ଫ୍ରାନ୍ସରେ ସେପ୍ଟେମ୍ବରରୁ ଚାଲିଥିବା ଏହି ବିକ୍ଷୋଭ ଧୀରେ ଧୀରେ ବ୍ୟାପକ ରୂପ ନେଇଛି। ଦେଶରେ ବଢ଼ୁଥିବା ମହଙ୍ଗା ଦରଦାମ୍‌, ଦରମା ଓ ପେନ୍‌ସନ୍‌ ବୃଦ୍ଧି ଦାବି ସହ ଶିକ୍ଷାନୁଷ୍ଠାନର ଦୁରବସ୍ଥାକୁ ନେଇ ଲୋକଙ୍କ ଅସନ୍ତୋଷ ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି।

୧୨୦୦ରୁ ଅଧିକ ଗିରଫ, ୧୫୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ
ଫ୍ରାନ୍ସର ପ୍ରଧାନମନ୍ତ୍ରୀ ସେବାସ୍ତିଆନ୍‌ ଲେକର୍ନୁଙ୍କ ସୂଚନା ଅନୁଯାୟୀ, ହିଂସା ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି। ଏହି ହିଂସାରେ ୧୫୦ରୁ ଅଧିକ ପୁଲିସ୍‌ କର୍ମଚାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

ଫ୍ରାନ୍ସର ଗୃହମନ୍ତ୍ରୀ ଲରାଁ ନୁନେଜ୍‌ଙ୍କ କହିବା ଅନୁଯାୟୀ, ଶନିବାରର ବିକ୍ଷୋଭରେ ୫.୫ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏଥିରେ କେବଳ ପ୍ୟାରିସ୍‌ରେ ଏକ ଲକ୍ଷରୁ ଅଧିକ ଲୋକ ରାସ୍ତାକୁ ଓହ୍ଲାଇଥିବା ସୂଚନା ରହିଛି। ଅନ୍ୟପଟେ ଶ୍ରମିକ ସଂଗଠନ CGT ପକ୍ଷରୁ ଏହି ବିକ୍ଷୋଭରେ ୮ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିବା ଦାବି କରାଯାଇଛି।

କାହିଁକି ଆରମ୍ଭ ହେଲା ବିକ୍ଷୋଭ?
ସେପ୍ଟେମ୍ବରରେ ପ୍ୟାରିସ୍‌ ନିକଟସ୍ଥ କ୍ରେତେଇଲ୍‌ର ଏକ ହାଇସ୍କୁଲ୍‌ରେ କର୍ମଚାରୀ ଅଭାବକୁ ନେଇ ଛାତ୍ରଛାତ୍ରୀମାନେ ପ୍ରତିବାଦ ଆରମ୍ଭ କରିଥିଲେ। ସ୍କୁଲ୍‌ରେ ଆବଶ୍ୟକ ସୁବିଧାର ଅଭାବ, ଭଙ୍ଗାଦଦରା କୋଠା, ଶିକ୍ଷକ ଓ କର୍ମଚାରୀଙ୍କ ଅଭାବ ଏବଂ ଶିକ୍ଷା ବ୍ୟବସ୍ଥାର ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହାପରେ କ୍ଲାସ୍‌ ବର୍ଜନ, ରାସ୍ତା ଅବରୋଧ ଓ ବିକ୍ଷୋଭ ଅନ୍ୟ ସହରକୁ ବ୍ୟାପିଥିଲା। କିଛି ସ୍ଥାନରେ ଭଙ୍ଗାରୁଜା ଓ କର୍ମଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ଶତାଧିକ ସ୍କୁଲ୍‌ ବନ୍ଦ କରିବାକୁ ପଡ଼ିଥିବା ଖବର ରହିଛି। ଫ୍ରାନ୍ସର କିଛି ଗଣମାଧ୍ୟମରେ ପ୍ରସାରିତ ଦୃଶ୍ୟରେ ସ୍କୁଲ୍‌ କୋଠାର ଖରାପ ଅବସ୍ଥା, ଛାତରୁ ପାଣି ଗଳିବା, ଭଙ୍ଗା ଆସବାବପତ୍ର ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସମସ୍ୟା ଦେଖାଯାଇଥିବା କୁହାଯାଇଛି।

ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଓ ଶୀତଦିନେ ପ୍ରବଳ ଥଣ୍ଡା ମଧ୍ୟରେ ଉପଯୁକ୍ତ ସୁବିଧା ବିନା ପାଠପଢ଼ିବାକୁ ପଡ଼ୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟାର ଜଟିଳତା ମଧ୍ୟ ଅସନ୍ତୋଷର ଅନ୍ୟ ଏକ କାରଣ ହୋଇଛି।

ମହଙ୍ଗା ମାଡ଼, ଦରମା ଓ ପେନ୍‌ସନ୍‌ ବୃଦ୍ଧି ଦାବି:
ବିକ୍ଷୋଭ କେବଳ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୀମିତ ରହିନାହିଁ। ବଢ଼ୁଥିବା ଜୀବନଯାପନ ଖର୍ଚ୍ଚକୁ ନେଇ ଅସନ୍ତୁଷ୍ଟ ଶ୍ରମିକ ଓ ଅନ୍ୟ ନାଗରିକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।

ଫ୍ରାନ୍ସର ପ୍ରମୁଖ ଶ୍ରମିକ ସଂଗଠନ CGT ଏହି ଆନ୍ଦୋଳନକୁ ସମର୍ଥନ କରିବା ପରେ ଶନିବାର ବିକ୍ଷୋଭ ଅଧିକ ବ୍ୟାପକ ହୋଇଥିବା କୁହାଯାଉଛି। ଦରଦାମ୍‌ ନିୟନ୍ତ୍ରଣ, ଦରମା ବୃଦ୍ଧି ଓ ପେନ୍‌ସନ୍‌ ବଢ଼ାଇବା ପାଇଁ ପ୍ରଦର୍ଶନକାରୀମାନେ ଦାବି କରିଛନ୍ତି। ପ୍ୟାରିସ୍‌ ବ୍ୟତୀତ ମାର୍ସେ, ନିସ୍‌, ନାଣ୍ଟେସ୍‌, ବୋର୍ଡୋ, ଲିମୋଜ୍‌, ଲିଲ୍‌, ଟୁଲୁଜ୍‌ ଓ ଷ୍ଟ୍ରାସବର୍ଗ୍‌ ଭଳି ସହରରେ ମଧ୍ୟ ବିକ୍ଷୋଭ ଓ ହିଂସା ଘଟଣା ରିପୋର୍ଟ ହୋଇଛି।

ଐତିହାସିକ ଅଟ୍ଟାଳିକାରେ ନିଆଁ, ଦୋକାନରେ ଲୁଟ୍‌:
ବିକ୍ଷୋଭ ସମୟରେ କିଛି ମୁଖାପିନ୍ଧା ପ୍ରଦର୍ଶନକାରୀ ଗାଡ଼ିରେ ନିଆଁ ଲଗାଇବା ସହ ବିଭିନ୍ନ ଦୋକାନରେ ଭଙ୍ଗାରୁଜା ଓ ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଛି। ସୁପରମାର୍କେଟ୍‌, ଔଷଧ ଦୋକାନ, ପୋଷାକ ଦୋକାନ, ଲଗ୍‌ଜୁରୀ ବୁଟିକ୍‌ ଓ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍‌ ମଧ୍ୟ ଏହାର ପ୍ରଭାବିତ ହୋଇଥିବା ଖବର ମିଳିଛି।

ଲିମୋଜ୍‌ ସହରରେ ଥିବା ଟାଉନ୍‌ ହଲ୍‌ରେ ନିଆଁ ଲଗାଯାଇଥିବା ଖବର ସାମ୍ନାକୁ ଆସିଛି। ଏହି ଐତିହାସିକ ଅଟ୍ଟାଳିକା ୧୮୭୬ ମସିହାରେ ନିର୍ମିତ ହୋଇଥିଲା। ମାର୍ସେରେ ଟାଉନ୍‌ ହଲ୍‌ ଭିତରକୁ ପ୍ରଦର୍ଶନକାରୀ ପ୍ରବେଶ କରିଥିବା ବେଳେ ବୋର୍ଡୋର ଏକ ପୁଲିସ୍‌ ପରିସରରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ରହିଛି। ଲିଅନ୍‌ ସହରରେ ଏକ ପର୍ଯ୍ୟଟନ କାର୍ଯ୍ୟାଳୟରେ ମଧ୍ୟ ନିଆଁ ଲଗାଯାଇଥିବା ରିପୋର୍ଟ ହୋଇଛି।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍‌ ଲୁହବୁହା ଗ୍ୟାସ୍‌ ଓ ଜଳକାମାନ ବ୍ୟବହାର କରିଥିବା ବେଳେ କିଛି ସ୍ଥାନରେ ପ୍ରଦର୍ଶନକାରୀ ପୁଲିସ୍‌ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି।

ହିଂସାକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବେ: ମାକ୍ରୋନ୍‌
ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ୍‌ କହିଛନ୍ତି ଯେ ଭଙ୍ଗାରୁଜା, ସରକାରୀ କାର୍ଯ୍ୟାଳୟ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଏବଂ ଲୁଟ୍‌ପାଟ୍‌ରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ଚାଲିବ ଓ ଦଣ୍ଡ ଦିଆଯିବ।

ଅନ୍ୟପଟେ ଫ୍ରାନ୍ସର ଆଗାମୀ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟ ତୀବ୍ର ହୋଇଛି। ବିରୋଧୀ ନେତାମାନେ ଦେଶରେ ଦେଖାଦେଇଥିବା ଅଶାନ୍ତିକୁ ନିଜ ରାଜନୈତିକ ବୟାନରେ ସ୍ଥାନ ଦେଇଛନ୍ତି। ଦକ୍ଷିଣପନ୍ଥୀ ନେତ୍ରୀ ମାରିନ୍‌ ଲେ ପେନ୍‌ କହିଛନ୍ତି ଯେ ସେ କ୍ଷମତାକୁ ଆସିଲେ ଫ୍ରାନ୍ସର ଲୋକଙ୍କୁ ଚରମ ବାମପନ୍ଥୀଙ୍କ ହିଂସାରୁ ସୁରକ୍ଷା ଦେବେ।

ଏବେ ଫ୍ରାନ୍ସରେ ଶିକ୍ଷା ବ୍ୟବସ୍ଥାର ସମସ୍ୟା, ମହଙ୍ଗା ଦରଦାମ୍‌ ଓ ସାମାଜିକ ଅସନ୍ତୋଷକୁ ନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଇନଶୃଙ୍ଖଳାର ଏକ ବଡ଼ ଚ୍ୟାଲେଞ୍ଜ୍‌ ପାଲଟିଛି। ତେବେ ବିକ୍ଷୋଭକାରୀଙ୍କ ଦାବି ଓ ହିଂସା ଘଟଣାର ପ୍ରକୃତ ପରିସ୍ଥିତି ନେଇ ଅଧିକାରିକ ତଥ୍ୟକୁ ଅଲଗା ଭାବେ ଦେଖିବା ଜରୁରୀ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES