Oil Tanker Explosion: ହର୍ମୁଜ୍ ପ୍ରଣାଳୀରେ ୩ ତେଲ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ
ଘଟଣା ପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଇରାନର ଦାବି ଅନୁସାରେ, ଏହି ତିନୋଟି ତେଲ ଟ୍ୟାଙ୍କର ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମକୁ ଉଲ୍ଲଂଘନ କରି ଅନଧିକୃତ ଓ ବେଆଇନ ରାସ୍ତାରେ ଯାତାୟାତ କରୁଥିଲେ।
Oil Tanker Explosion: ହର୍ମୁଜ୍ ପ୍ରଣାଳୀରେ ବଡ଼ ଧରଣର ଅଘଟଣ। ତିନୋଟି ବିଶାଳ ତେଲ ଟ୍ୟାଙ୍କରରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ଖବର ସାମ୍ନାକୁ ଆସିଛି। ବିସ୍ଫୋରଣ ପରେ ତିନୋଟି ଜାହାଜରେ ନିଆଁ ଲାଗିଯିବା ସହ ଆକାଶରେ ଘନ କଳା ଧୂଆଁ ଛାଇଯାଇଥିଲା। ଆମେରିକା ଓ ଇରାନ ମଧ୍ୟରେ ପୂର୍ବରୁ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ଉପସାଗରୀୟ ଅଞ୍ଚଳର ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି।
ଘଟଣା ପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ପକ୍ଷରୁ ଏକ ବୟାନ ଜାରି କରାଯାଇଛି। ଇରାନର ଦାବି ଅନୁସାରେ, ଏହି ତିନୋଟି ତେଲ ଟ୍ୟାଙ୍କର ଅନ୍ତର୍ଜାତୀୟ ସାମୁଦ୍ରିକ ନିୟମକୁ ଉଲ୍ଲଂଘନ କରି ଅନଧିକୃତ ଓ ବେଆଇନ ରାସ୍ତାରେ ଯାତାୟାତ କରୁଥିଲେ। ଜାହାଜଗୁଡ଼ିକ ନିଜର ପରିଚୟ ଓ ଅବସ୍ଥିତି ଲୁଚାଇବା ପାଇଁ ନେଭିଗେସନ୍ ସିଷ୍ଟମ୍ ବନ୍ଦ କରିଦେଇଥିବା ମଧ୍ୟ ଇରାନ ଅଭିଯୋଗ କରିଛି।
'ବେଆଇନ ରାସ୍ତାରେ ଗଲେ ଏଭଳି ପରିଣାମ ଭୋଗିବାକୁ ପଡ଼ିବ'
IRGC ପକ୍ଷରୁ କୁହାଯାଇଛି ଯେ, ହର୍ମୁଜ୍ ଅଞ୍ଚଳରେ ଅନଧିକୃତ ଓ ବେଆଇନ ସାମୁଦ୍ରିକ ରାସ୍ତାରେ ଯାତାୟାତ କରିବା ଅତ୍ୟନ୍ତ ବିପଜ୍ଜନକ। ସାମୁଦ୍ରିକ ନିୟମକୁ ଅଣଦେଖା କରି ଏଭଳି ରାସ୍ତାରେ ଯାଉଥିବା ଜାହାଜଗୁଡ଼ିକୁ କଡ଼ା ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନୀ ସେନା ଚେତାବନୀ ଦେଇଛି। ଏହାସହ ଏହି ଅଞ୍ଚଳରେ ସାମୁଦ୍ରିକ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବାର ସଙ୍କେତ ମିଳିଛି।
ବିଶ୍ୱ ତୈଳ ଯୋଗାଣକୁ ନେଇ ବଢ଼ିଲା ଚିନ୍ତା:
ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅଶୋଧିତ ତୈଳ ପରିବହନ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଏହି ରାସ୍ତା ଦେଇ ବିପୁଳ ପରିମାଣର ତୈଳ ବିଭିନ୍ନ ଦେଶକୁ ପରିବହନ କରାଯାଇଥାଏ। ତେଣୁ ତିନୋଟି ତେଲ ଟ୍ୟାଙ୍କରରେ ବିସ୍ଫୋରଣ ଓ ଇରାନର କଡ଼ା ଆଭିମୁଖ୍ୟ ବିଶ୍ୱ ସ୍ତରରେ ଚିନ୍ତା ବଢ଼ାଇଛି।
ଏହି ଘଟଣାର ପ୍ରଭାବ ବିଶ୍ୱ ତୈଳ ଯୋଗାଣ, ଅନ୍ତର୍ଜାତୀୟ ବାଣିଜ୍ୟ ଓ ସାମୁଦ୍ରିକ ଜାହାଜ ଚଳାଚଳ ଉପରେ ପଡ଼ିବା ଆଶଙ୍କା ରହିଛି। ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଏହି ଘଟଣା ଉପସାଗରୀୟ ଅଞ୍ଚଳରେ ସୁରକ୍ଷା ସଙ୍କଟକୁ ଆହୁରି ଜଟିଳ କରିପାରେ। ତେବେ ବିସ୍ଫୋରଣର ପ୍ରକୃତ କାରଣ ଓ ଜାହାଜଗୁଡ଼ିକର କ୍ଷୟକ୍ଷତି ସମ୍ପର୍କରେ ସ୍ୱାଧୀନ ଭାବେ ନିଶ୍ଚିତ ତଥ୍ୟ ମିଳିବା ଆବଶ୍ୟକ।