SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Italy Protests: ଫ୍ରାନ୍ସ ପରେ ଇଟାଲୀରେ ହିଂସାତ୍ମକ ବିକ୍ଷୋଭ! ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି

ଇଟାଲୀରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ରୋମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତାମୂଳକ ପରାମର୍ଶ ଜାରି କରାଯାଇଛି। ଦେଶର ବିଭିନ୍ନ ସହରରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବା ସହ ଭିଡ଼ ହେଉଥିବା ସ୍ଥାନଠାରୁ ଦୂରେଇ ରହିବାକୁ କୁହାଯାଇଛି।

Written By Priyambada Rana Edited By Priyambada Rana
Published: Oct 20, 2026, 06:43 AM IST | Updated: Oct 20, 2026, 07:05 AM IST
Image Credit: Italy Protests: ଫ୍ରାନ୍ସ ପରେ ଇଟାଲୀରେ ହିଂସାତ୍ମକ ବିକ୍ଷୋଭ! ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି
Join

Italy Protests: ଫ୍ରାନ୍ସ ପରେ ଏବେ ଇଟାଲୀରେ ମଧ୍ୟ ବିକ୍ଷୋଭକୁ ନେଇ ଉତ୍ତେଜନା ବଢ଼ିଛି। ବଢ଼ୁଥିବା ମହଙ୍ଗା ମାଡ଼ ଏବଂ ସାର୍ବଜନୀନ ସେବାର ଦୁରବସ୍ଥାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ରୂପ ନେବାକୁ ଲାଗିଛି। ମିଲାନ ସମେତ ଇଟାଲୀର ଅନେକ ସହରରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ମିଳିଛି। କିଛି ସ୍ଥାନରେ ଦୋକାନ ଲୁଟ୍ ହେବା ସହ ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି। ପରିସ୍ଥିତିର ଗମ୍ଭୀରତାକୁ ଦେଖି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।

ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି:
ଇଟାଲୀରେ ରହୁଥିବା ଭାରତୀୟ ନାଗରିକଙ୍କ ସୁରକ୍ଷାକୁ ନେଇ ରୋମସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସତର୍କତାମୂଳକ ପରାମର୍ଶ ଜାରି କରାଯାଇଛି। ଦେଶର ବିଭିନ୍ନ ସହରରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବା ସହ ଭିଡ଼ ହେଉଥିବା ସ୍ଥାନଠାରୁ ଦୂରେଇ ରହିବାକୁ କୁହାଯାଇଛି।

ଦୂତାବାସ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଜଣାଇଛି ଯେ ଗତ ସପ୍ତାହରେ ଇଟାଲୀର କିଛି ସହରରେ ବିକ୍ଷୋଭ ହୋଇଥିଲା। ତେଣୁ ସେଠାରେ ରହୁଥିବା ଭାରତୀୟମାନେ ସ୍ଥାନୀୟ ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଉଚିତ।

ଜରୁରୀ ପରିସ୍ଥିତିରେ ଭାରତୀୟ ନାଗରିକମାନେ ନିମ୍ନଲିଖିତ ନମ୍ବରରେ ଯୋଗାଯୋଗ କରିପାରିବେ।

- ରୋମସ୍ଥିତ ଭାରତୀୟ ଦୂତାବାସ: +39 331 614 2085
- ମିଲାନସ୍ଥିତ ଭାରତୀୟ ମହାବାଣିଜ୍ୟ ଦୂତାବାସ: +39 3881647527

ହିଂସାକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ ମେଲୋନି?
ଇଟାଲୀରେ ବିକ୍ଷୋଭ ସମୟରେ ହିଂସା ଘଟଣାକୁ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିନ୍ଦା କରିଛନ୍ତି। ରବିବାର ସେ କହିଥିଲେ ଯେ ବିକ୍ଷୋଭ କରିବା ଏକ ଅଧିକାର, କିନ୍ତୁ ସହରରେ ନିଆଁ ଲଗାଇବା କିମ୍ବା ସାର୍ବଜନୀନ ସମ୍ପତ୍ତି ନଷ୍ଟ କରିବା ଅଧିକାର ନୁହେଁ।

ମେଲୋନିଙ୍କ କହିବା ଅନୁଯାୟୀ, ମିଲାନରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଫିଙ୍ଗାଯାଇଥିଲା। ଏଥିରେ କିଛି ଅଧିକାରୀ ଆହତ ହୋଇଥିବାରୁ ବିକ୍ଷୋଭ ଶୋଭାଯାତ୍ରାକୁ ଅଟକାଇବାକୁ ପଡ଼ିଥିଲା।

ସେହିପରି ଟ୍ୟୁରିନ୍ ସହରରେ ପଥର ଓ ହାତୁଡ଼ି ଧରି ଯାଉଥିବା କିଛି ଲୋକଙ୍କୁ ଅଟକାଯାଇଥିବା ସେ ସୂଚନା ଦେଇଛନ୍ତି। ଅନ୍ୟପଟେ, ସତର୍କତାମୂଳକ ପଦକ୍ଷେପ ଭାବେ ବୋଲୋନିଆର ଏକ ରେଳ ଷ୍ଟେସନକୁ ବନ୍ଦ କରାଯାଇଥିବା ମଧ୍ୟ ଜଣାପଡ଼ିଛି।

ବିରୋଧୀ ଦଳଙ୍କୁ ମେଲୋନିଙ୍କ ଅପିଲ୍:
ବିକ୍ଷୋଭ ସମୟରେ ଘଟିଥିବା ହିଂସାକୁ ବିରୋଧୀ ଦଳଗୁଡ଼ିକ ସ୍ପଷ୍ଟ ଭାବେ ନିନ୍ଦା କରନ୍ତୁ ବୋଲି ମେଲୋନି ଅପିଲ୍ କରିଛନ୍ତି। ଭବିଷ୍ୟତରେ ହେବାକୁ ଥିବା ସମସ୍ତ ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଭାବେ ହେବା ନିଶ୍ଚିତ କରିବାକୁ ମଧ୍ୟ ସେ ଆହ୍ୱାନ ଦେଇଛନ୍ତି।

ମହଙ୍ଗା ମାଡ଼ ଓ ସାର୍ବଜନୀନ ସେବାକୁ ନେଇ ଜନଅସନ୍ତୋଷ ମଧ୍ୟରେ ଇଟାଲୀର ପରିସ୍ଥିତି ଉପରେ ଏବେ ନଜର ରହିଛି। ସରକାରଙ୍କ ପରବର୍ତ୍ତୀ ପଦକ୍ଷେପ ଏବଂ ଆନ୍ଦୋଳନର ସ୍ଥିତି ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ହେବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES