VIP Darshan: ମହାକାଳ ମନ୍ଦିରରେ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବିଜେପି ବିଧାୟକଙ୍କ ପୁଅଙ୍କ ଉପରେ ୧ ବର୍ଷର କଟକଣା
କିଛି ଦିନ ପୂର୍ବରୁ ରୁଦ୍ରାକ୍ଷ ଶୁକ୍ଳା ମନ୍ଦିରର ନିଷିଦ୍ଧ ଅଞ୍ଚଳରେ ମୋବାଇଲ୍ରେ ରିଲ୍ସ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ ନୀଳକଣ୍ଠ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଇ-କାର୍ଟରେ ଯାଉଥିବା ଏବଂ ମୋବାଇଲ୍ରେ ଭିଡିଓ ରେକର୍ଡ କରୁଥିବା ଦେଖାଯାଇଥିଲା। ମନ୍ଦିର ବାହାର ଅଞ୍ଚଳରୁ ଆରମ୍ଭ କରି ରୂପା ଦ୍ୱାର ପର୍ଯ୍ୟନ୍ତ ରିଲ୍ସ ତିଆରି କରାଯାଇଥିଲା। ଯେତେବେଳେ କି ଏହି ଅଞ୍ଚଳରେ ଭିଡିଓ ରେକର୍ଡିଂ ନିଷେଧ ରହିଛି।
VIP Darshan: ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ନିୟମ ଉଲ୍ଲଂଘନ କରି ରିଲ୍ସ ତିଆରି କରିବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ। ବିଜେପି ବିଧାୟକ ଗୋଲୁ ଶୁକ୍ଳାଙ୍କ ପୁଅ ରୁଦ୍ରାକ୍ଷ ଶୁକ୍ଳାଙ୍କ ଉପରେ ମନ୍ଦିର ପ୍ରଶାସନ ଏକ ବର୍ଷ ପାଇଁ VIP ଦର୍ଶନ ଓ ପ୍ରୋଟୋକଲ୍ ସୁବିଧା ବନ୍ଦ କରିଛି। ଏଣିକି ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ଧାଡ଼ିରେ ରହି ବାବା ମହାକାଳଙ୍କ ଦର୍ଶନ କରିବାକୁ ପଡ଼ିବ।
ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ରୁଦ୍ରାକ୍ଷ ଶୁକ୍ଳା ମନ୍ଦିରର ନିଷିଦ୍ଧ ଅଞ୍ଚଳରେ ମୋବାଇଲ୍ରେ ରିଲ୍ସ କରୁଥିବା ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓରେ ସେ ନୀଳକଣ୍ଠ ଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବା ସହ ଇ-କାର୍ଟରେ ଯାଉଥିବା ଏବଂ ମୋବାଇଲ୍ରେ ଭିଡିଓ ରେକର୍ଡ କରୁଥିବା ଦେଖାଯାଇଥିଲା। ମନ୍ଦିର ବାହାର ଅଞ୍ଚଳରୁ ଆରମ୍ଭ କରି ରୂପା ଦ୍ୱାର ପର୍ଯ୍ୟନ୍ତ ରିଲ୍ସ ତିଆରି କରାଯାଇଥିଲା। ଯେତେବେଳେ କି ଏହି ଅଞ୍ଚଳରେ ଭିଡିଓ ରେକର୍ଡିଂ ନିଷେଧ ରହିଛି।
ରୁଦ୍ରାକ୍ଷ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଥିଲେ। ପରେ ଭିଡିଓଟି ଭାଇରାଲ୍ ହେବା ପରେ ଏହାକୁ ନେଇ ଅନେକ ବିବାଦ ସାମ୍ନାକୁ ଆସିଥିଲା। ମନ୍ଦିରର ନିୟମ ଓ ମର୍ଯ୍ୟାଦା ଉଲ୍ଲଂଘନ ହୋଇଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବିରୋଧୀ ଦଳ ମଧ୍ୟ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଥିଲେ।
ବିବାଦ ପରେ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ରୁଦ୍ରାକ୍ଷଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଇଛି। ଶନିବାର ରାତିରେ ଜାରି ହୋଇଥିବା ଆଦେଶ ଅନୁଯାୟୀ, ଆସନ୍ତା ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ VIP ଗେଟ୍ ଦେଇ ପ୍ରବେଶ କିମ୍ବା ବିଶେଷ ପ୍ରୋଟୋକଲ୍ରେ ଦର୍ଶନ ସୁବିଧା ମିଳିବ ନାହିଁ।
ଅନ୍ୟପକ୍ଷରେ, ଏହି ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ମଧ୍ୟ ମନ୍ଦିର ପ୍ରଶାସନ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନେଇଛି। ମନ୍ଦିରର ନିୟମ ଓ ଶୃଙ୍ଖଳା ସମସ୍ତଙ୍କ ପାଇଁ ସମାନ ବୋଲି ଏହି ପଦକ୍ଷେପ ମାଧ୍ୟମରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି।