SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଦିଲ୍ଲୀରେ ଆଜି CJPର ତ୍ରିରଙ୍ଗା ମାର୍ଚ୍ଚ, ୨୫ ହଜାର ଯବାନ ମୁତୟନ; ସେଣ୍ଟ୍ରାଲ ପାର୍କ ୨ ଦିନ ବନ୍ଦ

CJP ପକ୍ଷରୁ ଆଜି ଅପରାହ୍ନ ପ୍ରାୟ ୫ଟାରେ ହାତରେ ତ୍ରିରଙ୍ଗା ଧରି ସେଣ୍ଟ୍ରାଲ ପାର୍କରେ ପହଞ୍ଚିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ (SIR)କୁ ବିରୋଧ ଏବଂ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ନ୍ୟାୟିକ ହାଜତକୁ ପଠାଯିବା ଘଟଣାର ପ୍ରତିବାଦରେ ଏହି ମାର୍ଚ୍ଚ ଆୟୋଜନ କରାଯାଉଛି।

Written By Priyambada Rana Edited By Priyambada Rana
Published: Oct 16, 2026, 09:20 AM IST | Updated: Oct 16, 2026, 09:29 AM IST
Image Credit: ଦିଲ୍ଲୀରେ ଆଜି CJPର ତ୍ରିରଙ୍ଗା ମାର୍ଚ୍ଚ
Join

ନୂଆଦିଲ୍ଲୀ: ଦିଲ୍ଲୀରେ ଆଜି (ଅକ୍ଟୋବର ୧୬) କକରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ତ୍ରିରଙ୍ଗା ମାର୍ଚ୍ଚ ଆୟୋଜନ କରାଯାଉଛି। କନଟ୍ ପ୍ଲେସ୍‌ସ୍ଥିତ ସେଣ୍ଟ୍ରାଲ ପାର୍କରେ ତ୍ରିରଙ୍ଗା ଉଡ଼ାଇବା ଲକ୍ଷ୍ୟରେ ଦଳ ପକ୍ଷରୁ ‘ଲହରା ଦୋ ତିରଙ୍ଗା’ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଛି। ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ନୂଆଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୨୫ ହଜାରରୁ ଅଧିକ ପୁଲିସ ଓ ଅର୍ଦ୍ଧସାମରିକ ବଳର ଯବାନ ମୁତୟନ ହେବେ ବୋଲି ଖବରରେ କୁହାଯାଇଛି।

CJP ପକ୍ଷରୁ ଆଜି ଅପରାହ୍ନ ପ୍ରାୟ ୫ଟାରେ ହାତରେ ତ୍ରିରଙ୍ଗା ଧରି ସେଣ୍ଟ୍ରାଲ ପାର୍କରେ ପହଞ୍ଚିବାକୁ ଲୋକଙ୍କୁ ଆହ୍ୱାନ ଦିଆଯାଇଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ସ୍ୱତନ୍ତ୍ର ଗଭୀର ଭୋଟର ତାଲିକା ସଂଶୋଧନ (SIR)କୁ ବିରୋଧ ଏବଂ ଆଶୁତୋଷ ରାଙ୍କା ଓ ସୌରଭ ଦାସଙ୍କୁ ନ୍ୟାୟିକ ହାଜତକୁ ପଠାଯିବା ଘଟଣାର ପ୍ରତିବାଦରେ ଏହି ମାର୍ଚ୍ଚ ଆୟୋଜନ କରାଯାଉଛି।

୧୧ ଜଣଙ୍କୁ ମିଳିପାରେ ଅନୁମତି:
ଦିଲ୍ଲୀ ପୁଲିସର ଡେପୁଟି କମିଶନର ନେହା ଯାଦବଙ୍କ ସୂଚନା ଅନୁସାରେ, ୧୧ ଜଣିଆ ଏକ ଦଳକୁ ସେଣ୍ଟ୍ରାଲ ପାର୍କକୁ ତ୍ରିରଙ୍ଗା ନେବା, ପତାକା ଉତ୍ତୋଳନ କରିବା ଏବଂ ଜାତୀୟ ସଙ୍ଗୀତ ଗାନ କରିବାକୁ ନିର୍ଦ୍ଦିଷ୍ଟ ସର୍ତ୍ତ ଓ ନିୟମ ଅନୁଯାୟୀ ଅନୁମତି ଦିଆଯାଇପାରେ। ତେବେ ଏହି ଅନୁମତି ସମସ୍ତଙ୍କ ପାଇଁ ନୁହେଁ ଏବଂ ପୁଲିସର ନିର୍ଦ୍ଦେଶ ପାଳନ କରିବାକୁ ପଡ଼ିବ।

କନଟ୍ ପ୍ଲେସ୍ ଓ ଏହାର ଆଖପାଖ ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS)ର ଧାରା ୧୬୩ ଲାଗୁ ରହିବ। ନିଷେଧାଜ୍ଞା ପାଳନ କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୁଲିସ ଲୋକଙ୍କୁ ଅନୁରୋଧ କରିଛି। କୌଣସି ଅପ୍ରୀତିକର ପରିସ୍ଥିତି କିମ୍ବା ସରକାରୀ ଓ ବେସରକାରୀ ସମ୍ପତ୍ତିର କ୍ଷତି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୁଲିସ ସ୍ପଷ୍ଟ କରିଛି।

ଦୁଇ ଦିନ ବନ୍ଦ ରହିବ ସେଣ୍ଟ୍ରାଲ ପାର୍କ:
ସମ୍ଭାବ୍ୟ ଭିଡ଼ ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ନଗରପାଳିକା ପରିଷଦ (NDMC) କନଟ୍ ପ୍ଲେସ୍‌ର ସେଣ୍ଟ୍ରାଲ ପାର୍କକୁ ଦୁଇ ଦିନ ପାଇଁ ବନ୍ଦ ରଖିବା ନିଷ୍ପତ୍ତି ନେଇଛି। ଅକ୍ଟୋବର ୧୬ ଓ ୧୭ ତାରିଖରେ ସାଧାରଣ ଲୋକଙ୍କ ପାଇଁ ପାର୍କ ବନ୍ଦ ରହିବ।

୨୫ ହଜାରରୁ ଅଧିକ ଯବାନ ମୁତୟନ:
ମାର୍ଚ୍ଚ ସମୟରେ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ନୂଆଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ୨୫ ହଜାରରୁ ଅଧିକ ପୁଲିସ ଓ ଅର୍ଦ୍ଧସାମରିକ ବଳର ଯବାନ ମୁତୟନ ହେବେ। କନଟ୍ ପ୍ଲେସ୍ ଓ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍‌ରେ ନୂଆ CCTV କ୍ୟାମେରା ମଧ୍ୟ ଲଗାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସୁରକ୍ଷା ବାହିନୀର ନଜର ରହିବ।

୨୧ଟି ରାସ୍ତାରେ ଟ୍ରାଫିକ୍ କଟକଣା:
ତ୍ରିରଙ୍ଗା ମାର୍ଚ୍ଚ ଯୋଗୁଁ ଦିଲ୍ଲୀର ୨୧ଟି ରାସ୍ତାରେ ଯାତାୟାତ ପ୍ରଭାବିତ ହେବାର ଆଶଙ୍କା ରହିଛି। ଟ୍ରାଫିକ୍ ପୁଲିସର ସୂଚନା ଅନୁସାରେ, ଅପରାହ୍ନ ୩ଟାରୁ ବିଭିନ୍ନ ପ୍ରମୁଖ ରାସ୍ତାରେ ଯାତାୟାତ ନିୟନ୍ତ୍ରଣ ଓ ଡାଇଭର୍ସନ୍ ଲାଗୁ ହୋଇପାରେ।

ସଂସଦ ମାର୍ଗ, ବାବା ଖଡ଼କ ସିଂହ ମାର୍ଗ, ସହିଦ ଭଗତ ସିଂହ ମାର୍ଗ, ପଞ୍ଚକୁଇୟାଁ ରୋଡ୍, ମିଣ୍ଟୋ ରୋଡ୍, ବାରାଖମ୍ବା ରୋଡ୍, ଜନପଥ, ରଫି ମାର୍ଗ, ପଟେଲ ଚୌକ, ଗୋଲ ଡାକଖାନା, ତିଲକ ମାର୍ଗ ଓ ଟଲଷ୍ଟୟ ମାର୍ଗ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇପାରେ। ଅଶୋକ ରୋଡ୍‌ର GPOରୁ ସି-ହେକ୍ସାଗନ୍ ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ଟ୍ରାଫିକ୍ ସମସ୍ୟା ଦେଖାଦେଇପାରେ।

ଏଥିପାଇଁ ଲୋକଙ୍କୁ ଯାତ୍ରା ପୂର୍ବରୁ ରାସ୍ତା ସମ୍ପର୍କିତ ସୂଚନା ଯାଞ୍ଚ କରିବା, ଅତିରିକ୍ତ ସମୟ ନେଇ ବାହାରିବା ଏବଂ ସମ୍ଭବ ହେଲେ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ରାସ୍ତା କଡ଼ରେ ଗାଡ଼ି ପାର୍କିଂ ନକରିବା ସହ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସଙ୍କ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ମାର୍ଚ୍ଚ ରୋକିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ମନା:
CJPର ତ୍ରିରଙ୍ଗା ମାର୍ଚ୍ଚକୁ ରୋକିବା ପାଇଁ ଦାଖଲ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚ ବନ୍ଦ କରିବାକୁ ମନା କରିଛନ୍ତି। କନଟ୍ ପ୍ଲେସ୍‌ର ଜଣେ ରାସ୍ତାକଡ଼ ବ୍ୟବସାୟୀ ଏହି ଆବେଦନ କରିଥିଲେ। ପର୍ବପର୍ବାଣି ସମୟରେ ମାର୍ଚ୍ଚ ଯୋଗୁଁ ବ୍ୟବସାୟ ପ୍ରଭାବିତ ହେବା ନେଇ ସେ ଆଶଙ୍କା ପ୍ରକାଶ କରିଥିଲେ।

ଅନ୍ୟପଟେ, ମାର୍ଚ୍ଚ ସମୟରେ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ଏବଂ କୌଣସି ଅଶାନ୍ତି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଦିଲ୍ଲୀ ପୁଲିସ ହାଇକୋର୍ଟଙ୍କୁ ଆଶ୍ୱାସନା ଦେଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୩ ତାରିଖରେ ହେବ।
 

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES