SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ଅପରେସନ୍ କଳା ପାଣି: ହ୍ୟାଣ୍ଡପମ୍ପରୁ ବାହାରୁଛି 'ବିଷ' ! ୨୦ଟି ଗାଁରେ ବ୍ୟାପୁଛି ରୋଗ

Operation Kala Pani: ଜୀ ମିଡିଆ 'ଅପରେସନ୍ କଳାପାଣି' ଅଧୀନରେ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ଗଜରୌଲାଠାରେ ଅବସ୍ଥିତ ଜୁବିଲେଣ୍ଟ ଇଙ୍ଗ୍ରେଭିଆର ରାସାୟନିକ କାରଖାନା କିପରି ଲୋକଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ବନାଉଛି, ସେନେଇ ଏକ ଚମକାଇ ଦେବା ଭଳି ଗ୍ରାଉଣ୍ଡ ରିପୋର୍ଟ ପ୍ରସ୍ତୁତ କରିଛି।

Written By Soubhagya Ranjan Mishra Edited By Soubhagya Ranjan Mishra
Published: Nov 12, 2026, 08:58 PM IST | Updated: Nov 12, 2026, 09:07 PM IST
Image Credit: Ground Zero Reports of ZEE Media
Join

Operation Kala Pani: ଯେତେବେଳେ ବି ଆମେ ଭାବୁ ଯେ, କୌଣସି ଅଞ୍ଚଳରେ ଏକ ବଡ଼ କାରଖାନା ବସିଲେ ଲୋକଙ୍କର ଉନ୍ନତି ହେବ, ଖୁସି ଆସିବ, ଲୋକଙ୍କୁ ରୋଜଗାର ମିଳିବ.... କିନ୍ତୁ ଉତ୍ତରପ୍ରଦେଶର ଅମରୋହା ଜିଲ୍ଲାର ଗଜରୌଲାରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ଏକ ରାସାୟନିକ କାରଖାନା ବର୍ତ୍ତମାନ ଆତଙ୍କର ଅନ୍ୟ ନାମ ପାଲଟିଯାଇଛି। ଏହି କାରଖାନା କାରଣରୁ ଏପର୍ଯ୍ୟନ୍ତ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗ୍ରାମବାସୀଙ୍କ ଦ୍ୱାରା ଏହି ଅଭିଯୋଗ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାରଖାନାରୁ ବାହାରୁଥିବା ପ୍ରଦୂଷଣ ସେଠାକାର ବାୟୁ ଏବଂ ଭୂତଳ ଜଳକୁ ବିଷାକ୍ତ କରିଦେଇଛି।

ଏହି ମାମଲାରେ ସ୍ଥାନୀୟ ଲୋକଙ୍କ ଦାବି ହେଉଛି ଯେ, ପ୍ରଦୂଷଣ କାରଣରୁ ଅଞ୍ଚଳରେ କ୍ୟାନ୍ସର ଭଳି ଜୀବନଘାତୀ ରୋଗ ବ୍ୟାପିବାରେ ଲାଗିଛି ଏବଂ ଅନେକ ଘରେ ମୃତ୍ୟୁ ଘଟିଛି। ଜୀ ମିଡିଆର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ 'ଅପରେସନ୍ କଳା ପାନି' ଅଧୀନରେ ଗ୍ରାଉଣ୍ଡ ଜିରୋକୁ ଯାଇ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରିଛି।

ଗୋଟିଏ ପରିବାରରେ ୭ ଜଣଙ୍କ ମୃତ୍ୟୁ
ଏହି ଅଞ୍ଚଳର ସ୍ଥିତି ଏପରି ଯେ, ପ୍ରାୟ ପ୍ରତି ଦ୍ୱିତୀୟ ଘର ରୋଗୀଙ୍କ ଠିକଣା ପାଲଟିଯାଇଛି। ଜଣେ ସ୍ଥାନୀୟ ବାସିନ୍ଦା ନିଜର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, 'ମୋ ବାପା ଚାଲିଗଲେ, ମୋ ମାଆ ଚାଲିଗଲେ। ପାଣି କାରଣରୁ ସେମାନଙ୍କୁ କ୍ୟାନ୍ସର ହୋଇଯାଇଥିଲା। ପରିବାରରେ ସମସ୍ତେ ଅସୁସ୍ଥ ଅଛନ୍ତି।'

ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, 'ଏସବୁ ଜୁବିଲେଣ୍ଟ କାରଖାନା କାରଣରୁ ହେଉଛି, କାରଣ ଏହା ପାଣିକୁ ଦୂଷିତ କରିଦେଇଛି। କାହାକୁ କ୍ୟାନ୍ସର ହୋଇଛି ତ କାହାକୁ ଟିବି (ଯକ୍ଷ୍ମା) ହୋଇଛି। ସମସ୍ତେ ଏହିପରି ଭାବେ ମରିଛନ୍ତି। ୩ ଜଣ ସାନ ଭାଇ ଥିଲେ, ସେମାନେ ଚାଲିଗଲେ। ଭାଇର ବୋହୂ ଚାଲିଗଲେ, ଜଣେ ପୁତୁରା ଚାଲିଗଲା। ଜଣେ ଝିଅ ଚାଲିଗଲା। ମୋ ବାପା ଚାଲିଗଲେ, ମୋ ମାଆ ଚାଲିଗଲେ, ଆମ ପରିବାରରେ ୭ ବର୍ଷ ଭିତରେ ୭ ଜଣଙ୍କର ମୃତ୍ୟୁ ହୋଇଛି।'

ହ୍ୟାଣ୍ଡପମ୍ପରୁ ବାହାରୁଛି 'କଳା ପାଣି'
ଯେତେବେଳେ ଜୀ ମିଡିଆ ଗ୍ରାଉଣ୍ଡ ଜିରୋକୁ ଓହ୍ଲାଇଲା ସେତେବେଳେ ଜଣାପଡିଲା ଯେ, ଗାଁରେ ଥିବା ସମସ୍ତ ହ୍ୟାଣ୍ଡପମ୍ପରୁ ଅଲଗା ଅଲଗା ରଙ୍ଗର ମଇଳା ଏବଂ କଳା ପାଣି ବାହାରୁଛି। କେବଳ ଗାଁ ଲୋକ ନୁହଁନ୍ତି, ବରଂ କାରଖାନାରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଏଥିରୁ ବାଦ୍ ପଡ଼ିନାହାନ୍ତି। ଜଣେ କର୍ମଚାରୀ କହିଛନ୍ତି ଯେ, 'ଆଖିରେ ସମସ୍ୟା ଅଛି, ପାଣିରେ ସମସ୍ୟା ଅଛି, ସବୁଥିରେ ସମସ୍ୟା ଅଛି। ପ୍ରତ୍ୟେକ ଜିନିଷରେ ସମସ୍ୟା ରହିଛି।' ସ୍ଥାନୀୟ ଡାକ୍ତର ଡି. ଏସ୍. ହର୍ଷଙ୍କ ମଧ୍ୟ କହିବା କଥା ଯେ ଏହି ସମ୍ପୂର୍ଣ୍ଣ ଅଞ୍ଚଳ ଫୁସଫୁସ, ଶ୍ୱାସକ୍ରିୟା ଏବଂ ଆଖି ରୋଗର ଗଡ଼ ପାଲଟିଯାଇଛି। ତାଙ୍କ ପାଖକୁ ବିଭିନ୍ନ ରୋଗର ଚିକିତ୍ସା କରାଇବା ପାଇଁ ଲୋକମାନେ ପହଞ୍ଚୁଛନ୍ତି।

କ’ଣ ତିଆରି କରେ ଏହି କାରଖାନା?
ଅମରୋହାର ଗଜରୌଲାରେ ଥିବା ଏହି କାରଖାନାର ନାମ ଜୁବିଲେଣ୍ଟ ଇଙ୍ଗ୍ରେଭିଆ ଲିମିଟେଡ୍ । ଏହା କମ୍ପାନୀର ଏକ ବଡ଼ ଇଣ୍ଟିଗ୍ରେଟେଡ୍ ମ୍ୟାନୁଫ୍ୟାକଚରିଂ କମ୍ପ୍ଲେକ୍ସ। ଏଥିରେ ସ୍ପେଶାଲିଟି କେମିକାଲ୍ସ ଏବଂ କେମିକାଲ୍ ଇଣ୍ଟରମିଡିଏଟ୍ସର ଉତ୍ପାଦନ ହୁଏ। ସରଳ ଭାଷାରେ ବୁଝିବାକୁ ଗଲେ, ଏଠାରେ ଏପରି ଶିଳ୍ପ ରାସାୟନିକ ପଦାର୍ଥ ପ୍ରସ୍ତୁତ ହୁଏ ଯାହାର ପରିଚାଳନା ଏବଂ ବର୍ଜ୍ୟବସ୍ତୁ ନିଷ୍କାସନ (ୱେଷ୍ଟ ମ୍ୟାନେଜମେଣ୍ଟ) ପାଇଁ ଅତ୍ୟନ୍ତ କଠୋର ସୁରକ୍ଷା ମାପଦଣ୍ଡର ଆବଶ୍ୟକତା ପଡ଼ିଥାଏ।

୨୦ରୁ ଅଧିକ ଗାଁର ଲୋକ ହଳଦିଆ ପାଣି ପିଇବାକୁ ବାଧ୍ୟ
ଆଖପାଖର ଗ୍ରାମବାସୀ କାରଖାନାରୁ ବାହାରୁଥିବା ଗ୍ୟାସ୍, ଦୁର୍ଗନ୍ଧ ଏବଂ ପାଣିର ଖରାପ ଗୁଣବତ୍ତାକୁ ନେଇ ବର୍ଷ ବର୍ଷ ଧରି ଅଭିଯୋଗ କରିଆସୁଛନ୍ତି। ଜୁବିଲେଣ୍ଟ କାରଖାନା ଚାରିପାଖରେ ୨୦ରୁ ଅଧିକ ଗାଁ ରହିଛି। କିନ୍ତୁ ସବୁଠାରୁ ଅଧିକ ପ୍ରଭାବ ନାଇପୁରା, ସୱାଜପୁର ଡୋର, ସାଦେଲାପୁର, ବସେଲି ଏବଂ ତିଗରିଆ ଗାଁ ଭୋଗୁଛନ୍ତି। ଖରାପ ପାଣି କାରଣରୁ ଏହି ଗାଁଗୁଡ଼ିକର ଅବସ୍ଥା ବିଗିଡ଼ିବାରେ ଲାଗିଛି। ଗ୍ରାମବାସୀଙ୍କ ଅଭିଯୋଗ ଯେ ଭୂତଳ ଜଳ ସମ୍ପୂର୍ଣ୍ଣ ଭାବେ ଦୂଷିତ ହୋଇସାରିଛି ଏବଂ ହ୍ୟାଣ୍ଡପମ୍ପରୁ କଳା ପାଣି ବାହାରୁଛି। ଯିଏ ବି ବାଧ୍ୟ ହୋଇ ଏହି ପାଣି ପିଇଛନ୍ତି, ସେ କୌଣସି ନା କୌଣସି ରୋଗର କବଳରେ ପଡ଼ିଛନ୍ତି।

ଜଣେ ସ୍ଥାନୀୟ ବୃଦ୍ଧା ମହିଳା ଅସହାୟତା ପ୍ରକାଶ କରି କହିଛନ୍ତି ଯେ, 'ଏହି ପାଣି ଏକଦମ୍ ହଳଦିଆ ଏବଂ ପାଣି ପିଇଲେ କଷ୍ଟ ମଧ୍ୟ ହେଉଛି। କିନ୍ତୁ କ’ଣ କରିବୁ, ଆମେ ମଜୁରିଆ ଲୋକ, ଗରିବ ମଣିଷ।' ଅନ୍ୟ ଜଣେ ସ୍ଥାନୀୟ ମହିଳା କହିଛନ୍ତି ଯେ, 'ଏହାଦ୍ୱାରା ରୋଗ ହେଉଛି। ଏଥିରୁ କ୍ୟାନ୍ସର ଏବଂ ପଥରୀ (ଷ୍ଟୋନ୍) ହେଉଛି। ସବୁ ପ୍ରକାରର ରୋଗ ହେଉଛି। ଏଥିରେ କାରଖାନାର ପାଣି ଆସୁଛି, ଯାହାକୁ ପିଇ ସମସ୍ତେ ଅସୁସ୍ଥ ହୋଇପଡ଼ୁଛନ୍ତି। ପେଟରେ ଯନ୍ତ୍ରଣା ହେଉଛି। ଆଖିକୁ ଦେଖାଯିବା ବନ୍ଦ ହୋଇଯାଉଛି ଏବଂ ଆଖିରେ ମଧ୍ୟ ଅସୁବିଧା ହେଉଛି।'

ଲ୍ୟାବ୍ ଟେଷ୍ଟରୁ ହେବ ପ୍ରଦୂଷଣର ସତ୍ୟ ପର୍ଦ୍ଦାଫାଶ
ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଯେବେଠାରୁ ଏହି କାରଖାନା ବସିଛି, ସେବେଠାରୁ ସେମାନଙ୍କ ଅଞ୍ଚଳ ରୋଗର ଗନ୍ତାଘର ପାଲଟିଯାଇଛି। ଲୋକଙ୍କ ଏହି ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଜୀ ମିଡିଆ ସମ୍ବାଦଦାତା ବ୍ରିଜେଶ ତିୱାରୀ ରିୟଲିଟି ଚେକ୍ କରିଛନ୍ତି ଏବଂ ଗାଁର ହ୍ୟାଣ୍ଡପମ୍ପଗୁଡ଼ିକରୁ ପାଣିର ଅଲଗା ଅଲଗା ନମୁନା ବୋତଲରେ ଭରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଇଛନ୍ତି। ଆଗାମୀ ରିପୋର୍ଟରେ ଆମେ ଜଣାଇବୁ ଯେ, ଲ୍ୟାବ୍ ପରୀକ୍ଷା ରିପୋର୍ଟରେ କ’ଣ ଚମକାଇ ଦେବା ଭଳି ଖୁଲାସା ହୋଇଛି ଏବଂ କିପରି ଗଜରୌଲାର ଏହି କାରଖାନା ଚାରିପାଖରେ ବସତି ସ୍ଥାପନ କରିଥିବା ଗାଁଗୁଡ଼ିକ ରୋଗର କବଳରେ ପଡ଼ିଛନ୍ତି।

Also Read- ୧୦ ଦିନର ଅନଶନ ପରେ ମୁଣ୍ଡନ ହେଲେ ଟାଟା କମ୍ପାନୀ ଠିକା କର୍ମଚାରୀ

Add Zee News as a Preferred Source
TAGS:

About the Author

Soubhagya Ranjan Mishra is a senior and well-known journalist. He has served in senior positions at prominent media houses like Zee Media and Network18. Throughout his career, he has achieved versatile success ranging from TV promos and programming to digital journalism. Additionally, he has also worked extensively as a freelancer. For over two years, he contributed as an AI Content Reviewer at IIT Patna. He brings more than 11 years of rich experience working exclusively in national media. After completing his Postgraduate degree in journalism from SSOMAC, he has continuously advanced his career in the media industry. In the early stages of his career, he developed a keen interest in entertainment journalism, fostering excellent professional relationships with numerous artists in the Odisha entertainment industry.
Read More

ZEENEWS TRENDING STORIES