Crime News: ପାଠପଢ଼ା ବେଳେ ସ୍କୁଲ୍ରେ ଆତଙ୍କ, ଚେନ୍ସ ଧରି ଛାତ୍ରୀଙ୍କୁ ଆକ୍ରମଣ
ଘଟଣା ପରେ ସ୍କୁଲ୍ରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଆହତ ଛାତ୍ରୀଙ୍କୁ ତୁରନ୍ତ ଅନନ୍ତପୁର ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ।
Andhra Pradesh Chainsaw Horror: ଆନ୍ଧ୍ରପ୍ରଦେଶର ଏକ ସ୍କୁଲ୍ରେ ଘଟିଛି ଅତ୍ୟନ୍ତ ଭୟାନକ ଘଟଣା। ପାଠପଢ଼ା ଚାଲିଥିବା ସମୟରେ ଶ୍ରେଣୀଗୃହ ଭିତରକୁ ଚେନ୍ସ (ବିଦ୍ୟୁତ୍ଚାଳିତ କରତ) ଧରି ପଶି ଜଣେ ବ୍ୟକ୍ତି ଦୁଇ ଜଣ ଦଶମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଛି। ଏଥିରେ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି। ଏହି ଘଟଣା ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲା ରାପ୍ତାଡୁସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲ୍ରେ ଘଟିଛି।
କ୍ଲାସ୍ରୁମ୍ରେ ଆତଙ୍କ ଖେଳାଇଲା ଆକ୍ରମଣକାରୀ:
ସୂଚନା ଅନୁଯାୟୀ, ସ୍କୁଲ୍ରେ ପାଠପଢ଼ା ଚାଲିଥିବା ସମୟରେ ଅଭିଯୁକ୍ତ ଜଣକ ଚେନ୍ସ ଧରି ସ୍କୁଲ୍ ପରିସରରେ ପ୍ରବେଶ କରିଥିଲା। ଏହାପରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଉପରେ ଆକ୍ରମଣ କରିଥିଲା। ଆକ୍ରମଣରେ ଛାତ୍ରୀଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ସମୟରେ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।
ଘଟଣା ପରେ ସ୍କୁଲ୍ରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ଆହତ ଛାତ୍ରୀଙ୍କୁ ତୁରନ୍ତ ଅନନ୍ତପୁର ହସ୍ପିଟାଲ୍କୁ ନିଆଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ କାହାର ମୃତ୍ୟୁ ହୋଇଥିବା ଖବର ମିଳିନାହିଁ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ବେଗ:
ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଦୁଃଖ ଓ କ୍ଷୋଭ ପ୍ରକାଶ କରିଛନ୍ତି। ଆହତ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସେ ନଜର ରଖିଥିବା କହିଛନ୍ତି। ଉଭୟ ଆହତ ଛାତ୍ରୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇଦେବାକୁ ସେ ଅଧିକାରୀ ଓ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏପରିକି ମୁଖ୍ୟମନ୍ତ୍ରୀ ଗୁରୁତର ଛାତ୍ରୀଙ୍କ ମା'ଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କୁ ସାନ୍ତ୍ୱନା ଦେବା ସହ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସ୍ଥାନୀୟ ବିଧାୟିକା ପରିତାଲା ସୁନୀତାଙ୍କ ସହ ମଧ୍ୟ ଚିକିତ୍ସା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।
ନାରା ଲୋକେଶଙ୍କ ନିନ୍ଦା, ଅଭିଯୁକ୍ତ ଗିରଫ:
ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ନାରା ଲୋକେଶ ମଧ୍ୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ପିଲାମାନଙ୍କ ପାଇଁ ସୁରକ୍ଷିତ ଶିକ୍ଷା ପରିବେଶ ରହିବା କଥା ଥିବା ସ୍କୁଲ୍ରେ ଏଭଳି ଅମାନବୀୟ କାଣ୍ଡ ଘଟିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି। ମହିଳା ଓ ଝିଅମାନଙ୍କ ସୁରକ୍ଷା ଏବଂ ସମ୍ମାନ ସରକାରଙ୍କ ପ୍ରାଥମିକତା ବୋଲି ସେ ପୁନର୍ବାର ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣା ସମ୍ପର୍କରେ ମାମଲା ରୁଜୁ କରିଛି। କେଉଁ କାରଣରୁ ଅଭିଯୁକ୍ତ ଏଭଳି ଆକ୍ରମଣ କଲା ଏବଂ ଏହା ପଛରେ କ'ଣ ଉଦ୍ଦେଶ୍ୟ ରହିଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।