IMD Update: ଭୋରରୁ ବର୍ଷାରେ ଭିଜିଲା ଦିଲ୍ଲୀ, ଏହି ସ୍ଥାନକୁ ଆଲର୍ଟ ଜାରି
ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୫୦ ରୁ ୭୦ କିମି/ଘଣ୍ଟା ବେଗରେ ପବନ ବହିବା ସହ ଝଡ଼ ହେବାର ସମ୍ଭାବନା ଅଛି
Weather Update: ଭାରତୀୟ ପାଣିପାଗ ବିଭାଗ (IMD) ଆଜି ଦିଲ୍ଲୀ-NCR, ଉତ୍ତର ପ୍ରଦେଶ, ବିହାର ଏବଂ ରାଜସ୍ଥାନ ସମେତ ଦେଶର ୨୪ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ପ୍ରବଳ ଝଡ଼ ପବନ (ଘଣ୍ଟା ପ୍ରତି ୭୦ କିମି ପର୍ଯ୍ୟନ୍ତ) ନେଇ ଆଲର୍ଟ ଜାରି କରିଛି। ପାର୍ବତ୍ୟାଞ୍ଚଳରେ ବରଫପାତ ଏବଂ ସମତଳ ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ପାଣିପାଗରେ ହଠାତ୍ ଏହି ବଡ଼ ପରିବର୍ତ୍ତନ ଆସିଛି। ଆଜି ଭୋର ସମୟରେ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ଆଖପାଖ ଅଞ୍ଚଳରେ ବର୍ଷା ହୋଇଛି । ଫଳରେ ଦିଲ୍ଲୀରେ ଆଜି ସକାଳୁ କୋହଲା ପାଗ ଦେଖିବାକୁ ମିଳିଛି ।
ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୫୦ ରୁ ୭୦ କିମି/ଘଣ୍ଟା ବେଗରେ ପବନ ବହିବା ସହ ଝଡ଼ ହେବାର ସମ୍ଭାବନା ଅଛି, ଯାହାଫଳରେ ଗଛ ଭାଙ୍ଗିବା ଆଶଙ୍କା ରହିଛି। ପାର୍ବତ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ନେଇ ସତର୍କ ସୂଚନା ଦିଆଯାଇଛି। ଉତ୍ତର-ପୂର୍ବ (North-East) ରାଜ୍ୟଗୁଡ଼ିକରେ ବଜ୍ରପାତର ଆଶଙ୍କା ରହିଛି। ଜମ୍ମୁ-କାଶ୍ମୀରରେ ୧୩ ଓ ୧୫ ଅକ୍ଟୋବର ଏବଂ ହିମାଚଳ ପ୍ରଦେଶରେ ୧୪ ଓ ୧୫ ଅକ୍ଟୋବରରେ ବର୍ଷା ସହିତ ବରଫପାତ ପାଇଁ ଆଲର୍ଟ ଜାରି କରାଯାଇଛି।
ପୂର୍ବ ଉତ୍ତର ପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ହିମାଚଳ ପ୍ରଦେଶ ଉପରେ ଏକ ପଶ୍ଚିମା ଝଡ଼ (Western Disturbance) ସକ୍ରିୟ ଅଛି। ଯାହା ଫଳରେ ପାଗରେ ପରିବର୍ତ୍ତନ ହୋଇଛି । ବଙ୍ଗୋପସାଗରରୁ ଆସୁଥିବା ଓଦାଳିଆ ପବନ ଯୋଗୁଁ ପୂର୍ବ ଭାରତରେ ବିଳମ୍ବିତ ରାତିରେ ଝଡ଼-ତୋଫାନ ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ଅନୁଯାୟୀ, ୧୧ ରୁ ୧୩ ଅକ୍ଟୋବର ପର୍ଯ୍ୟନ୍ତ ରହି ରହି ବର୍ଷା ଜାରି ରହିବ, ଏହାପରେ ୧୫ ଏବଂ ୧୬ ଅକ୍ଟୋବରରେ କେତେକ ସ୍ଥାନରେ ପୁଣିଥରେ ବର୍ଷା ହୋଇପାରେ। ଓଡ଼ିଶା, ଉତ୍ତର ପ୍ରଦେଶ, ଦିଲ୍ଲୀ, ବିହାର, ହରିୟାଣା, ରାଜସ୍ଥାନ, ଉତ୍ତରାଖଣ୍ଡ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତ୍ରିପୁରା, ଆସାମ, ମେଘାଳୟ, ସିକ୍କିମ, ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ଗୋଆକୁ ଆଲର୍ଟ ଜାରି ହୋଇଛି । ୧୨ ତାରିଖ ସକାଳ ୮ଟା ୩୦ ଯାଏଁ ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।
ଖରାପ ପାଣିପାଗକୁ ଦୃଷ୍ଟିରେ ରଖି ଗଛ କିମ୍ବା ଦୁର୍ବଳ କୋଠାବାଡ଼ି ପାଖରେ ଠିଆ ହେବାଠାରୁ ଦୂରେଇ ରୁହନ୍ତୁ ଏବଂ ପାର୍ବତ୍ୟ ଅଞ୍ଚଳରେ ଯାତ୍ରା କରିବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରନ୍ତୁ।