IndiGo Flight: ଆକାଶରେ ଅଘଟଣ: ଇଣ୍ଡିଗୋ ବିମାନକୁ ବଜ୍ରପାତ, ଜରୁରୀ ଲ୍ୟାଣ୍ଡିଂ
ବିମାନରେ ୧୦୦ରୁ ଅଧିକ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନଥିବା ବିମାନବନ୍ଦର ପକ୍ଷରୁ କୁହାଯାଇଛି।
IndiGo Flight: ପାଟଣାରୁ ଲକ୍ଷ୍ନୌ ଆସୁଥିବା ଇଣ୍ଡିଗୋ ବିମାନ ଆକାଶୀୟ ବଜ୍ରପାତର ସମ୍ମୁଖୀନ ହୋଇଛି। ବୁଧବାର ବିମାନଟି ପାଟଣାରୁ ଲକ୍ଷ୍ନୌ ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ପ୍ରାୟ ୧୭ ହଜାର ଫୁଟ୍ ଉଚ୍ଚତାରେ ହଠାତ୍ ବଜ୍ରପାତ ହୋଇଥିଲା। ଏଥିରେ ବିମାନର ଆଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ପରିସ୍ଥିତିକୁ ଦେଖି ପାଇଲଟ୍ଙ୍କ ସୂଚନା ଓ ସତର୍କତାମୂଳକ ପଦକ୍ଷେପ ପରେ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା।
ବିମାନରେ ୧୦୦ରୁ ଅଧିକ ଯାତ୍ରୀଙ୍କ ସହ ୬ ଜଣ କ୍ରୁ ସଦସ୍ୟ ଥିବା ଜଣାପଡ଼ିଛି। ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ବାହାର କରାଯାଇଥିଲା। ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଆହତ ହୋଇନଥିବା ବିମାନବନ୍ଦର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ, ଗ୍ରେଟର ନୋଏଡାସ୍ଥିତ ନୋଏଡା ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ମଧ୍ୟ ଇଣ୍ଡିଗୋ ବିମାନରେ ବୈଷୟିକ ତ୍ରୁଟି ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡ଼ିଥିଲେ। ନୋଏଡାରୁ ଲକ୍ଷ୍ନୌ ଯିବାକୁ ଥିବା 6E 7628 ବିମାନଟି ନିର୍ଦ୍ଧାରିତ ସମୟ ଅପରାହ୍ଣ ୩ଟା ୫ ମିନିଟ୍ରେ ଉଡ଼ାଣ ଭରିପାରିନଥିଲା। ବୈଷୟିକ ସମସ୍ୟା ଯୋଗୁଁ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା।
ଯାତ୍ରୀମାନଙ୍କ ଅନୁସାରେ, ବିମାନ ଭିତରେ ପ୍ରାୟ ୩ ଘଣ୍ଟା ଧରି ବସି ରହିବାକୁ ପଡ଼ିଥିଲା। ଏହି ସମୟରେ ବିମାନର ଏସି ବନ୍ଦ ହୋଇଯିବାରୁ ଯାତ୍ରୀମାନେ ଅସୁବିଧା ଭୋଗିଥିଲେ। ବିଳମ୍ବର କାରଣ ସ୍ପଷ୍ଟ ଭାବେ ଜଣାଯାଉନଥିବା ଅଭିଯୋଗ କରି କିଛି ଯାତ୍ରୀ ବିମାନବନ୍ଦରରେ ପ୍ରତିବାଦ କରିଥିଲେ।
ପରେ ଇଣ୍ଡିଗୋ ପକ୍ଷରୁ ଅନ୍ୟ ଏକ ବିମାନର ବ୍ୟବସ୍ଥା କରାଯାଇ ଯାତ୍ରୀମାନଙ୍କୁ ଯାତ୍ରା କରାଯାଇଥିଲା। ବିମାନଟି ଶେଷରେ ସନ୍ଧ୍ୟା ପ୍ରାୟ ୬ଟା ୪୮ ମିନିଟ୍ରେ ଉଡ଼ାଣ ଭରିଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବୈଷୟିକ ସମସ୍ୟା ଜଣାପଡ଼ିବା ପରେ ତୁରନ୍ତ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିଲା ଏବଂ ଯାତ୍ରୀମାନଙ୍କୁ ରିଫ୍ରେସମେଣ୍ଟ ସହ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଇଥିଲା।