Toxic Liquor Tragedy: ମଣିପୁରରେ ବିଷାକ୍ତ ମଦ ପିଇ ମୃତ୍ୟୁର ତାଣ୍ଡବ! ବେଆଇନ ଭାବେ ପ୍ରସ୍ତୁତ କିମ୍ବା ଯୋଗାଣ ହୋଇଥିବା ସନ୍ଦିଗ୍ଧ ମଦ ପିଇ ୪୮ ଘଣ୍ଟା ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅତି କମ୍ରେ ୧୮୧ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ମଣିପୁରର ଚନ୍ଦେଲ ଜିଲ୍ଲା ଅନ୍ତର୍ଗତ ଚକପିକାରୋଙ୍ଗ ଅଞ୍ଚଳରେ ଘଟିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କ ଖେଳିଯାଇଛି।
୪୮ ଘଣ୍ଟାରେ ୧୧ ଜଣଙ୍କ ମୃତ୍ୟୁ:
ସୂଚନା ଅନୁସାରେ, ଇମ୍ଫାଲଠାରୁ ପ୍ରାୟ ୭୫ କିଲୋମିଟର ଦୂର ଚନ୍ଦେଲ ଜିଲ୍ଲାର ଚକପିକାରୋଙ୍ଗ ଅଞ୍ଚଳରେ କିଛି ଲୋକ ସନ୍ଦିଗ୍ଧ ବିଷାକ୍ତ ମଦ ପିଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗତ ୪୮ ଘଣ୍ଟା ମଧ୍ୟରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ୧୮୧ ଜଣଙ୍କୁ ଚିକିତ୍ସା ପାଇଁ ଇମ୍ଫାଲର ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
#WATCH | Imphal, Manipur: Several people died in Chandel district, allegedly due to the consumption of adulterated liquor; several others are undergoing treatment in the hospital. Manipur Chief Minister Yumnam Khemchand Singh visited the hospital to take stock of the situation and spoke with the patients.
— ANI (@ANI) November 20, 2026
ଦୁଇଟି ହସ୍ପିଟାଲରେ ୧୮୧ ରୋଗୀ ଭର୍ତ୍ତି:
ଘଟଣା ପରେ ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ ଶୁକ୍ରବାର ସନ୍ଧ୍ୟାରେ ଇମ୍ଫାଲର ଦୁଇଟି ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ। ତାଙ୍କ ସୂଚନା ଅନୁସାରେ, ଲାମ୍ଫେଲପତ୍ସ୍ଥିତ ଶିଜା ହସ୍ପିଟାଲରେ ୧୪୦ ଜଣ ଏବଂ ସଜିୱାସ୍ଥିତ ବବିନା ହସ୍ପିଟାଲରେ ୪୧ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।
କାକଚିଂ ଜିଲ୍ଲାରୁ ଆସିଥିଲା ସନ୍ଦିଗ୍ଧ ମଦ:
ଏନଡିଟିଭି ରିପୋର୍ଟ ଅନୁସାରେ, ଚନ୍ଦେଲ ଜିଲ୍ଲା ପୋଲିସ ଅଧୀକ୍ଷକଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୀଡ଼ିତମାନେ ପିଇଥିବା ମଦ ଚନ୍ଦେଲରେ ପ୍ରସ୍ତୁତ ହୋଇନଥିଲା। ଏହା ପଡ଼ୋଶୀ କାକଚିଂ ଜିଲ୍ଲାର ସୁଗନୁ ଅଞ୍ଚଳରୁ ଅଣାଯାଇଥିବା ଜଣାପଡ଼ିଛି। ଚନ୍ଦେଲ ଜିଲ୍ଲାରେ ପାରମ୍ପରିକ ମଦ ପ୍ରସ୍ତୁତି ସମ୍ପର୍କରେ କୌଣସି ସୂଚନା ନଥିବା ପୋଲିସ କହିଛି। ପୋଲିସର ପ୍ରାରମ୍ଭିକ ରିପୋର୍ଟରେ ଆଠ ଜଣ ମୃତକଙ୍କ ପରିଚୟ ମଧ୍ୟ ଉଲ୍ଲେଖ କରାଯାଇଛି।
ଚନ୍ଦେଲକୁ ପଠାଗଲା ଡାକ୍ତରୀ ଟିମ୍:
ସ୍ଥିତି ନିୟନ୍ତ୍ରଣ ଏବଂ ଚିକିତ୍ସା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଜେନେରାଲ ମେଡିସିନ୍ ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍ ଆବଶ୍ୟକୀୟ ଔଷଧ ସହ ଚନ୍ଦେଲ ଜିଲ୍ଲାକୁ ପଠାଯାଇଛି। ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସ୍ୱାସ୍ଥ୍ୟ ସତର୍କତା ଜାରି କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବୈଜ୍ଞାନିକ ଓ ଡାକ୍ତରୀ ଯାଞ୍ଚ ଜାରି ରହିଛି।
ସନ୍ଦିଗ୍ଧ ମଦ ପିଇବାକୁ ମନା, ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା:
ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସ୍ଥାନୀୟ ଭାବେ ପ୍ରସ୍ତୁତ କିମ୍ବା ସନ୍ଦିଗ୍ଧ ମଦ ପିଇବାକୁ ବାରଣ କରାଯାଇଛି। ମଦ ପିଇବା ପରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଦୃଷ୍ଟି ଧୂସର ହେବା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରୀ ସହାୟତା ନେବାକୁ କୁହାଯାଇଛି। ଏପରିକି ସନ୍ଦିଗ୍ଧ ଉତ୍ସରୁ ମଦ ପିଇଥିବା ବ୍ୟକ୍ତିଙ୍କୁ କୌଣସି ଲକ୍ଷଣ ନଥିଲେ ମଧ୍ୟ ଡାକ୍ତରୀ ପରୀକ୍ଷା କରାଇବାକୁ ପ୍ରଶାସନ ପରାମର୍ଶ ଦିଆଯାଇଛି।