Sonia Gandhi: କାହିଁକି ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ସୋନିଆଙ୍କ ପୁସ୍ତକରେ ରୋଚକ ଖୁଲାସା
ସୋନିଆଙ୍କ କହିବା ଅନୁସାରେ, ଆରମ୍ଭରୁ ହିଁ ପ୍ରଧାନମନ୍ତ୍ରୀ ହେବା ତାଙ୍କର ଲକ୍ଷ୍ୟ ନଥିଲା। ଏପରିକି ତାଙ୍କ ପିଲା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁନଥିଲେ। ଏହାର କାରଣ ଥିଲା ତାଙ୍କ ଦାଦୀ ଇନ୍ଦିରା ଗାନ୍ଧୀ ଏବଂ ବାପା ରାଜୀବ ଗାନ୍ଧୀଙ୍କ ହତ୍ୟାର ଭୟାବହ ସ୍ମୃତି।
Sonia Gandhi: କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘Belonging: A Journey of Love’ ପ୍ରକାଶ ପାଇବା ପରେ ଏବେ ଚର୍ଚ୍ଚାକୁ ଆସିଛି ୨୦୦୪ ମସିହାର ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣା। ଏହି ପୁସ୍ତକରେ ସୋନିଆ ଗାନ୍ଧୀ ଖୋଲାସା କରିଛନ୍ତି ଯେ, ସେ କାହିଁକି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିନଥିଲେ ଏବଂ କିପରି ଡ. ମନମୋହନ ସିଂହଙ୍କ ନାମକୁ ଏହି ପଦ ପାଇଁ ପ୍ରସ୍ତାବ ଦେଇଥିଲେ।
ସୋନିଆଙ୍କ କହିବା ଅନୁସାରେ, ଆରମ୍ଭରୁ ହିଁ ପ୍ରଧାନମନ୍ତ୍ରୀ ହେବା ତାଙ୍କର ଲକ୍ଷ୍ୟ ନଥିଲା। ଏପରିକି ତାଙ୍କ ପିଲା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କୁ ଏହି ପଦରେ ଦେଖିବାକୁ ଚାହୁଁନଥିଲେ। ଏହାର କାରଣ ଥିଲା ତାଙ୍କ ଦାଦୀ ଇନ୍ଦିରା ଗାନ୍ଧୀ ଏବଂ ବାପା ରାଜୀବ ଗାନ୍ଧୀଙ୍କ ହତ୍ୟାର ଭୟାବହ ସ୍ମୃତି। ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କଲେ ମା’ଙ୍କ ପ୍ରତି ବିପଦ ବଢ଼ିପାରେ ବୋଲି ଉଭୟଙ୍କ ମନରେ ଆଶଙ୍କା ରହିଥିଲା। ପିଲାମାନେ ଏନେଇ ପଚାରିବା ପରେ ସୋନିଆ ସ୍ପଷ୍ଟ ଭାବେ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଦେଇଥିଲେ।
ପୁସ୍ତକରେ ସେ ଲେଖିଛନ୍ତି, ନିର୍ବାଚନ ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ପିଲାମାନଙ୍କ ସହ ଆଲୋଚନା ହୋଇଥିଲା। ଦଳ ନିର୍ବାଚନ ଜିତିଲେ ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ କି ନାହିଁ ବୋଲି ପଚରାଯିବାରୁ ସେ ସିଧାସଳଖ ‘ନା’ କହିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ସେ ଏହି ନିଷ୍ପତ୍ତିକୁ ସାର୍ବଜନୀନ କରିନଥିଲେ। ଦଳ ଭିତରେ ନେତୃତ୍ୱକୁ ନେଇ ବିବାଦ ସୃଷ୍ଟି ନହେବା ଏବଂ ନିର୍ବାଚନୀ ଏକତା ବଜାୟ ରଖିବା ପାଇଁ ସେ ନିଜ ମତକୁ ଗୋପନ ରଖିଥିଲେ।
ସୋନିଆଙ୍କ ବର୍ଣ୍ଣନା ଅନୁସାରେ, ନିର୍ବାଚନ ପରେ ମେଣ୍ଟ ନେତାମାନଙ୍କ ସହ ତାଙ୍କ ବାସଭବନରେ ବୈଠକ ହୋଇଥିଲା। ସେଠାରେ ମେଣ୍ଟର କିଛି ନେତା ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ଚାପ ପକାଇଥିଲେ। ସେ ମନା କରିବାକୁ ଚେଷ୍ଟା କରିବା ସତ୍ତ୍ୱେ ନେତାମାନେ ତାଙ୍କ ନିଷ୍ପତ୍ତିକୁ ଗ୍ରହଣ କରିନଥିଲେ। ଏହି ସମୟରେ ଖୋଲା ଝରକା ବାହାରେ ଠିଆ ହୋଇ ପ୍ରିୟଙ୍କା ସମସ୍ତ ଘଟଣା ଦେଖୁଥିବା କଥା ମଧ୍ୟ ସୋନିଆ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ପରେ କଂଗ୍ରେସ ସାଂସଦମାନଙ୍କ ବୈଠକରେ ସୋନିଆ ଗାନ୍ଧୀ ନିଜ ନିଷ୍ପତ୍ତି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ପଦ ତାଙ୍କର ଲକ୍ଷ୍ୟ ନୁହେଁ ଏବଂ ତାଙ୍କ ଅନ୍ତରାତ୍ମା ଏହି ପଦକୁ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିବାକୁ କହୁଛି ବୋଲି ସେ କହିଥିଲେ। ଏହାପରେ ସେ ଡ. ମନମୋହନ ସିଂହଙ୍କ ନାମକୁ ନିଜ ଉତ୍ତରାଧିକାରୀ ଭାବେ ପ୍ରସ୍ତାବ ଦେଇଥିଲେ। ଏହିପରି ଭାବେ ୨୦୦୪ରେ ଡ. ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀ ହେବାର ପଥ ପ୍ରଶସ୍ତ ହୋଇଥିଲା।
ସୋନିଆ ଗାନ୍ଧୀଙ୍କ ଏହି ପୁସ୍ତକରେ ଥିବା ବର୍ଣ୍ଣନା ୨୦୦୪ର ସେହି ଐତିହାସିକ ରାଜନୈତିକ ନିଷ୍ପତ୍ତି ପଛରେ ଥିବା ପାରିବାରିକ ଚିନ୍ତା, ବ୍ୟକ୍ତିଗତ ଆଶଙ୍କା ଓ ରାଜନୈତିକ ପରିସ୍ଥିତି ଉପରେ ନୂଆ ଆଲୋକପାତ କରିଛି।