Petrol Diesel Price Today: ପେଟ୍ରୋଲ-ଡିଜେଲ ଦର କମିବ ନା ବଢ଼ିବ? ଜାଣନ୍ତୁ ଆଜିର ନୂଆ ରେଟ୍
ସୋମବାର ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ ପିଛା ପ୍ରାୟ ୯୭ ଡଲାରକୁ ଖସିଥିବା ବେଳେ ଆମେରିକାର WTI କ୍ରୁଡ୍ ଅଏଲ୍ ପ୍ରାୟ ୯୦ ଡଲାର ଆଖପାଖରେ କାରବାର କରୁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍ ଦରରେ ୧୬ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି।
Petrol Diesel Price Today: ଆନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ ଦରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ୨୦୨୦ ଏପ୍ରିଲ ପରଠାରୁ ସବୁଠୁ ବଡ଼ ସାପ୍ତାହିକ ହ୍ରାସ ରେକର୍ଡ କରିଛି କ୍ରୁଡ୍ ଅଏଲ୍। ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କମିବା ନେଇ ଆଶା ସୃଷ୍ଟି ହେବା ପରେ ବିଶ୍ୱ ବଜାରରେ ତେଲ ଦର ତଳକୁ ଖସିଛି। ଏହାର ପ୍ରଭାବରେ ଭାରତରେ ପେଟ୍ରୋଲ ଓ ଡିଜେଲ ଦର କମିବ କି ନାହିଁ, ଏବେ ତାହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି।
ସୋମବାର ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ ପିଛା ପ୍ରାୟ ୯୭ ଡଲାରକୁ ଖସିଥିବା ବେଳେ ଆମେରିକାର WTI କ୍ରୁଡ୍ ଅଏଲ୍ ପ୍ରାୟ ୯୦ ଡଲାର ଆଖପାଖରେ କାରବାର କରୁଛି। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ବ୍ରେଣ୍ଟ କ୍ରୁଡ୍ ଦରରେ ୧୬ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି।
କାହିଁକି ଖସିଲା କଚ୍ଚା ତେଲ ଦର?
ଆନ୍ତର୍ଜାତୀୟ ବଜାରରେ କଚ୍ଚା ତେଲ ଦର ହ୍ରାସ ପଛରେ ମୁଖ୍ୟତଃ ତିନୋଟି କାରଣ ରହିଛି।
- ଆମେରିକା-ଇରାନ ଆଲୋଚନା ନେଇ ଆଶା: ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇବା ଏବଂ ଆଲୋଚନା ଆଗକୁ ବଢ଼ିବା ନେଇ ବଜାରରେ ଆଶା ସୃଷ୍ଟି ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆଲୋଚନା ଆଗକୁ ବଢ଼ିଲେ ନୂଆ ଆକ୍ରମଣର ସମ୍ଭାବନା କମିପାରେ ବୋଲି ସଙ୍କେତ ଦେଇଛନ୍ତି। ତେବେ ଆଲୋଚନାରେ ବଡ଼ ଅଗ୍ରଗତି ହୋଇନଥିବା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି।
- ତେଲ ଯୋଗାଣରେ ସୁଧାର: ପଶ୍ଚିମ ଏସିଆ ଓ ହର୍ମୁଜ୍ ପ୍ରଣାଳୀରେ ମଝିରେ ମଝିରେ ଆକ୍ରମଣ ଘଟୁଥିଲେ ମଧ୍ୟ ପାରସ୍ୟ ଉପସାଗରରୁ କଚ୍ଚା ତେଲ ରପ୍ତାନି ଯୁଦ୍ଧ ପୂର୍ବ ସ୍ତରର ନିକଟତର ହୋଇଛି।
- OPEC ଦେଶର ଉତ୍ପାଦନ ବୃଦ୍ଧି: OPEC ଦେଶଗୁଡ଼ିକ ତେଲ ଉତ୍ପାଦନ ବଢ଼ାଇଥିବାରୁ ବଜାରରେ ଯୋଗାଣ ସ୍ୱାଭାବିକ ହେବାକୁ ଲାଗିଛି। ଫଳରେ ଦର ଉପରେ ଚାପ ପଡ଼ିଛି।
କଚ୍ଚା ତେଲ ଶସ୍ତା ହେଲେ ମଧ୍ୟ ଭାରତରେ କାହିଁକି କମୁନି ପେଟ୍ରୋଲ-ଡିଜେଲ ଦର?
ଆନ୍ତର୍ଜାତୀୟ ବଜାରରେ ତେଲ ଦରରେ ବଡ଼ ହ୍ରାସ ହୋଇଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି। ଏହା ପଛରେ ଦୁଇଟି ପ୍ରମୁଖ କାରଣ ରହିଛି।
ପ୍ରଥମ କାରଣ ହେଉଛି ଫ୍ୟୁଚର୍ସ ଟ୍ରେଡିଂ ବା ଭବିଷ୍ୟତ ଡେଲିଭରି ପାଇଁ ହେଉଥିବା କାରବାର। ଆନ୍ତର୍ଜାତୀୟ ବଜାରରେ ଦେଖାଯାଉଥିବା ଦର ଅନେକ କ୍ଷେତ୍ରରେ ଭବିଷ୍ୟତରେ ତେଲ ଯୋଗାଣ ପାଇଁ ହୋଇଥିବା ଚୁକ୍ତି ଉପରେ ଆଧାରିତ। ତେଣୁ ଏହାର ପ୍ରଭାବ ତୁରନ୍ତ ଖୁଚୁରା ଇନ୍ଧନ ଦରରେ ପଡ଼ିନଥାଏ।
ଦ୍ୱିତୀୟ କାରଣ ହେଉଛି ତେଲ କମ୍ପାନୀଗୁଡ଼ିକର ପୂର୍ବ କ୍ଷତିର ଭରଣା। ଭାରତରେ HPCL, BPCL ଓ IOCL ଭଳି ତେଲ ବିପଣନ କମ୍ପାନୀ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ନିର୍ଦ୍ଧାରଣ କରନ୍ତି। କଚ୍ଚା ତେଲ ଦର ବଢ଼ିଲେ କମ୍ପାନୀଗୁଡ଼ିକ ସବୁବେଳେ ତୁରନ୍ତ ଖୁଚୁରା ଦର ବଢ଼ାନ୍ତି ନାହିଁ। ସେହିପରି ଦର କମିଲେ ପ୍ରଥମେ ପୂର୍ବରୁ ହୋଇଥିବା କ୍ଷତିର ଭରଣା କରିବା ଉପରେ ଗୁରୁତ୍ୱ ଦିଆଯାଏ।
୯ ନଭେମ୍ବର ୨୦୨୬: ଦେଶର ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦର
ସୋମବାର ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର ନଭେମ୍ବର ୮ ତାରିଖର ଦର ସହ ସମାନ ରହିଛି।
| ସହର | ପେଟ୍ରୋଲ (ଲିଟର ପିଛା) | ଡିଜେଲ (ଲିଟର ପିଛା) |
|---|---|---|
| ଦିଲ୍ଲୀ | ₹୧୦୨.୧୨ | ₹୯୫.୨୦ |
| ନୋଏଡା | ₹୧୦୨.୧୨ | ₹୯୫.୫୬ |
| ଗୁରୁଗ୍ରାମ | ₹୧୦୨.୯୭ | ₹୯୫.୬୪ |
| ଲକ୍ଷ୍ନୌ | ₹୧୦୧.୮୯ | ₹୯୫.୩୬ |
| ଅହମଦାବାଦ | ₹୧୦୨.୧୫ | ₹୯୮.୨୭ |
| ମୁମ୍ବାଇ | ₹୧୧୧.୨୧ | ₹୯୭.୮୩ |
| କୋଲକାତା | ₹୧୧୩.୫୧ | ₹୯୯.୮୨ |
| ଚେନ୍ନାଇ | ₹୧୦୭.୭୬ | ₹୯୯.୫୫ |
| ବେଙ୍ଗାଲୁରୁ | ₹୧୧୧.୬୮ | ₹୯୯.୫୬ |
| ହାଇଦ୍ରାବାଦ | ₹୧୧୫.୬୯ | ₹୧୦୩.୮୨ |
| ଜୟପୁର | ₹୧୧୨.୬୯ | ₹୯୭.୭୮ |
| ପାଟନା | ₹୧୧୩.୩୭ | ₹୯୯.୩୬ |
| ଭୋପାଳ | ₹୧୧୪.୫୭ | ₹୯୯.୬୪ |
| ଭୁବନେଶ୍ୱର | ₹୧୦୮.୯୭–୧୦୯.୦୫ | ₹୧୦୦.୬୮ |
ତେବେ ଆଗକୁ କମିବ କି ପେଟ୍ରୋଲ-ଡିଜେଲ ଦର?
ବିଶ୍ୱ ବଜାରରେ କଚ୍ଚା ତେଲ ଦର ହ୍ରାସ ଭାରତ ପାଇଁ ଏକ ସକାରାତ୍ମକ ସଙ୍କେତ। କିନ୍ତୁ ଏହାର ପ୍ରଭାବ ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦରରେ ପ୍ରତିଫଳିତ ହେବା ନିଶ୍ଚିତ ନୁହେଁ। ତେଲ ଯୋଗାଣ, ଆନ୍ତର୍ଜାତୀୟ ବଜାରର ଦର ଏବଂ ତେଲ କମ୍ପାନୀଗୁଡ଼ିକର ଆର୍ଥିକ ସ୍ଥିତି ଉପରେ ଆଗାମୀ ଦିନରେ ଇନ୍ଧନ ଦର ନିର୍ଭର କରିବ।