Kedarnath Dham: ବନ୍ଦ ହେଲା ବାବା କେଦାରନାଥଙ୍କ ଦ୍ୱାର, ଚଳିତ ବର୍ଷ ଦର୍ଶନ କଲେ ୧୯.୨୦ ଲକ୍ଷ ଭକ୍ତ!
ମନ୍ଦିରର ଦ୍ୱାର ବନ୍ଦ ହେବା ପରେ ବାବା କେଦାରନାଥଙ୍କ ଚଳନ୍ତି ବିଗ୍ରହକୁ ନେଇ ସୁସଜ୍ଜିତ ପାଲିଙ୍କି ବା ଡୋଲି ଉଖିମଠସ୍ଥିତ ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ଶୀତ ଋତୁରେ ଉଖିମଠର ଓଁକାରେଶ୍ୱର ମନ୍ଦିରରେ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା ଜାରି ରହିବ।
Kedarnath Dham: ଶୀତ ଋତୁ ଆରମ୍ଭ ସହ ବନ୍ଦ ହୋଇଛି ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ କେଦାରନାଥ ଧାମର ଦ୍ୱାର। ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ଭକ୍ତଙ୍କ ପାଇଁ ଖୋଲିଥିବା କେଦାରନାଥ ମନ୍ଦିରର ଦ୍ୱାର ଆଜି ବିଧିବଦ୍ଧ ଭାବେ ବନ୍ଦ କରାଯାଇଛି। ଚଳିତ ତୀର୍ଥଯାତ୍ରା ଋତୁରେ ୧୯ ଲକ୍ଷ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଦର୍ଶନ କରିଛନ୍ତି।
ରୁଦ୍ରପ୍ରୟାଗ ଜିଲ୍ଲାପାଳ ବିଶାଲ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, ମନ୍ଦିରର ଦ୍ୱାର ବନ୍ଦ ପୂର୍ବରୁ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜାପାଠ ଓ ବନ୍ଦ ସମାରୋହର ବିଧି ଆରମ୍ଭ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC)ର ପ୍ରତିନିଧି, ତୀର୍ଥ ପୁରୋହିତ ଏବଂ କେଦାର ସଭାର ସଦସ୍ୟମାନେ ଉପସ୍ଥିତ ଥିଲେ।
ମନ୍ଦିରର ଦ୍ୱାର ବନ୍ଦ ହେବା ପରେ ବାବା କେଦାରନାଥଙ୍କ ଚଳନ୍ତି ବିଗ୍ରହକୁ ନେଇ ସୁସଜ୍ଜିତ ପାଲିଙ୍କି ବା ଡୋଲି ଉଖିମଠସ୍ଥିତ ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ଶୀତ ଋତୁରେ ଉଖିମଠର ଓଁକାରେଶ୍ୱର ମନ୍ଦିରରେ ବାବା କେଦାରନାଥଙ୍କ ପୂଜାର୍ଚ୍ଚନା ଜାରି ରହିବ।
ପ୍ରତିବର୍ଷ ଶୀତ ଋତୁରେ ଅତ୍ୟଧିକ ତୁଷାରପାତ ଓ ପ୍ରତିକୂଳ ପାଣିପାଗ ଯୋଗୁଁ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଇଥାଏ। ଏହାପରେ ପରବର୍ତ୍ତୀ ଯାତ୍ରା ଋତୁରେ ପୁଣି ଭକ୍ତଙ୍କ ପାଇଁ ମନ୍ଦିର ଖୋଲାଯାଏ। ଚଳିତ ବର୍ଷ ୧୯.୨୦ ଲକ୍ଷରୁ ଅଧିକ ଭକ୍ତଙ୍କ ଦର୍ଶନ ସହ କେଦାରନାଥ ଯାତ୍ରାର ଆଉ ଏକ ଅଧ୍ୟାୟ ଶେଷ ହୋଇଛି।