Accident: ଦୀପାବଳି ରାତିରେ ଭୟଙ୍କର ଦୁର୍ଘଟଣା: ଡିଭାଇଡରକୁ ପିଟି ଜଳିଗଲା କାର୍, ୬ ଜଣଙ୍କ ମୃତ୍ୟୁ
ସୂଚନା ଅନୁଯାୟୀ, ମୁଜାଫରନଗରର ତିତାବି ଥାନା ଅଞ୍ଚଳ ଅନ୍ତର୍ଗତ ଜଗାହେଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍ରେ ଥିବା ସମସ୍ତ ୬ ଜଣ ହରିୟାଣାର ଜିନ୍ଦ ଜିଲ୍ଲାର ବାସିନ୍ଦା ଥିଲେ। ସେମାନେ ଜିନ୍ଦରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରୁଥିଲେ। ଜଗାହେଡ଼ି ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ କାର୍ଟି ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।
Accident: ଉତ୍ତରପ୍ରଦେଶର ମୁଜାଫରନଗରରେ ଦୀପାବଳି ରାତିରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଯାଉଥିବା ଏକ ହୁଣ୍ଡାଇ ଅରା କାର୍ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିବା ପରେ ଗାଡ଼ିରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଓ ଶିଶୁଙ୍କ ସମେତ କାର୍ରେ ଥିବା ସମସ୍ତ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି।
ସୂଚନା ଅନୁଯାୟୀ, ମୁଜାଫରନଗରର ତିତାବି ଥାନା ଅଞ୍ଚଳ ଅନ୍ତର୍ଗତ ଜଗାହେଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। କାର୍ରେ ଥିବା ସମସ୍ତ ୬ ଜଣ ହରିୟାଣାର ଜିନ୍ଦ ଜିଲ୍ଲାର ବାସିନ୍ଦା ଥିଲେ। ସେମାନେ ଜିନ୍ଦରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରୁଥିଲେ। ଜଗାହେଡ଼ି ନିକଟରେ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ କାର୍ଟି ଡିଭାଇଡରକୁ ଧକ୍କା ଦେଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଧକ୍କା ଲାଗିବାର କିଛି ସମୟ ମଧ୍ୟରେ କାର୍ରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁ ପୂରା ଗାଡ଼ିକୁ ଘେରି ଯାଇଥିଲା। ଫଳରେ କାର୍ ଭିତରେ ଥିବା ଲୋକଙ୍କୁ ବାହାରକୁ ବାହାରିବାର ସୁଯୋଗ ମିଳିନଥିଲା।
ଘଟଣା ଦେଖି ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ତିତାବି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ନିଆଁ ଲିଭାଇଥିଲେ। ତେବେ ଉଦ୍ଧାରକାରୀ ଦଳ ପହଞ୍ଚିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। କାର୍ ଭିତରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଆଁରେ ମୃତଦେହଗୁଡ଼ିକ ଗୁରୁତର ଭାବେ ପୋଡ଼ିଯାଇଥିଲା। ପୋଲିସ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଦୁର୍ଘଟଣାର ଖବର ପାଇ ଏସ୍ପି ଦେହାତ ସଞ୍ଜୟ ମହାଡିକ ଓ ଫୁଗାନା ସିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତିତାବି ଥାନା ଅଧିକାରୀ ଜୟବୀର ସିଂହଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ କାର୍ରେ ଥିବା ସମସ୍ତ ଯାତ୍ରୀ ହରିୟାଣାର ଜିନ୍ଦ ଜିଲ୍ଲାର ବୋଲି ଜଣାପଡ଼ିଛି। ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ପକ୍ଷରୁ ଆଇନଗତ ପ୍ରକ୍ରିୟା ଜାରି ରହିଛି।
ଲକ୍ଷ୍ନୌରେ ମଧ୍ୟ ଓଲଟିଲା ଯାତ୍ରୀବାହୀ ବସ୍:
ସେପଟେ ଦୀପାବଳି ସମୟରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମଧ୍ୟ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଆଗ୍ରା ଏକ୍ସପ୍ରେସ୍ୱେର ଜିରୋ ପଏଣ୍ଟ ନିକଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ନିୟନ୍ତ୍ରଣ ହରାଇ ଉଚ୍ଚ ସ୍ଥାନରୁ ତଳକୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି।
ଖବର ପାଇ ପାରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଓ ଉଦ୍ଧାରକାରୀ ଦଳ ଆମ୍ବୁଲାନ୍ସ ସହାୟତାରେ ଆହତଙ୍କୁ ହସ୍ପିଟାଲକୁ ପଠାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ହୋଇଥିଲା ଅଫରାତଫରି।
ଦୀପାବଳି ରାତିରେ ମୁଜାଫରନଗରରେ ୬ ଜଣଙ୍କ ଜୀବନହାନି ଓ ଲକ୍ଷ୍ନୌରେ ବସ୍ ଦୁର୍ଘଟଣା ଉତ୍ତରପ୍ରଦେଶରେ ସଡ଼କ ସୁରକ୍ଷାକୁ ନେଇ ପୁଣି ଚିନ୍ତା ବଢ଼ାଇଛି।