କାଜିରଙ୍ଗାରେ ମର୍ମନ୍ତୁଦ ଦୁର୍ଘଟଣା: ମିନି ବସ୍ ଓ ଟ୍ରକ୍ ମଧ୍ୟaରେ ଜୋରଦାର ଧକ୍କା, ୨୩ ମୃତ...
ମର୍ମନ୍ତୁଦ ଦୁର୍ଘଟଣାରେ ଏକ ଦ୍ରୁତଗାମୀ ଟ୍ରକ୍ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଭର୍ତ୍ତି ହୋଇଥିବା ଏକ ଟ୍ରାଭେଲର୍ (ମିନି ବସ୍) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
Road Accident: ଆସାମର କାଜିରଙ୍ଗା ଅଞ୍ଚଳରେ ଏକ ଅତ୍ୟନ୍ତ ହୃଦୟ ବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗାମୀ ଟ୍ରକ୍ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ଟ୍ରାଭେଲର୍ (ମିନି ବସ୍) ମଧ୍ୟରେ ମୁହାଁମୁହିଁ ଜୋରଦାର ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଦୁଃଖଦ ଦୁର୍ଘଟଣା ରୋଙ୍ଗାଜନ ନିକଟରେ ଘଟିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଟ୍ରାଭେଲର୍ ଗାଡ଼ିଟି ବୋକାଖାତରୁ ନଗାଓଁ ଅଭିମୁଖେ ଯାଉଥିଲା। ଏହି ସମୟରେ ରାସ୍ତାରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। କୁହାଯାଉଛି ଯେ ମିନି ବସରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ରହିଥିଲେ। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ଅନେକ ଯାତ୍ରୀ ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଦ୍ରୁତ ଗତିରେ ଉଦ୍ଧାର କାର୍ଯ୍ୟ ଚଲାଯାଉଛି। ଆହତମାନଙ୍କୁ ଚିକିତ୍ସା ପାଇଁ କୋହୋରା ମଡେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି, ତାହାର ସଠିକ୍ ସଂଖ୍ୟା ସମ୍ପର୍କରେ ସରକାରୀ ଭାବେ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।
ଗୋଲାଘାଟ ଏସପି ସ୍ୱପ୍ନନୀଲ ଡେକା ନ୍ୟୁଜ୍ ଏଜେନ୍ସି ଏଏନଆଇ (ANI) କୁ ସୂଚନା ଦେଇ କହିଛନ୍ତି, 'ଆମକୁ ପ୍ରାଥମିକ ରିପୋର୍ଟ ମିଳିଛି ଯେ ଏହି ଦୁର୍ଘଟଣାରେ ଅତି କମରେ ସାତ ଜଣଙ୍କର ମୃତ୍ୟୁ ହୋଇଛି। ଆମେ ସମସ୍ତେ ଘଟଣାସ୍ଥଳରେ ଉପସ୍ଥିତ ଅଛୁ ଏବଂ ବସ୍ ଭିତରୁ ମୃତଦେହ ବାହାର କରାଯାଉଛି। ଏଭଳି ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ।'
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X) ରେ ଏକ ପୋଷ୍ଟ କରି ଲେଖିଛନ୍ତି, 'ଆଜି କାଜିରଙ୍ଗାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୁଁ ଅତ୍ୟନ୍ତ ମର୍ମାହତ। ଏହି କ୍ଷତିର ଭୟାବହତା ଆମ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ଏବଂ ଯେଉଁ ପରିବାରମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା ରହିଛି। କୌଣସି ଶବ୍ଦ ସେମାନଙ୍କ ଦୁଃଖକୁ କମ୍ କରିପାରିବ ନାହିଁ, କିନ୍ତୁ ମୁଁ ସେମାନଙ୍କୁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ସେମାନେ ଏକୁଟିଆ ନୁହଁନ୍ତି। ଦୁଃଖର ଏହି ସମୟରେ ସମଗ୍ର ଆସାମ ସେମାନଙ୍କ ସହିତ ଠିଆ ହୋଇଛି।'
ମୁଖ୍ୟମନ୍ତ୍ରୀ ପୋଷ୍ଟରେ ଆହୁରି ଲେଖିଛନ୍ତି, 'ଆମର ସର୍ବପ୍ରଥମ ପ୍ରାଥମିକତା ହେଉଛି ଆହତମାନଙ୍କୁ ବିନା କୌଣସି ବିଳମ୍ବରେ ଉତ୍ତମରୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା। ମନ୍ତ୍ରୀ ଅତୁଲ ବୋରା ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ନିଜେ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି। ମୁଁ ଆହତମାନଙ୍କ ଆଶୁ ଆରୋଗ୍ୟ ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖ ସହିବା ପାଇଁ ଶକ୍ତି ମିଳିବାକୁ ପ୍ରାର୍ଥନା କରୁଛି।'
Also Read- ପୁରୀ ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ବିସ୍ଫୋରଣ