Fire Tragedie: ଦୀପାବଳି ପରେ ମୃତ୍ୟୁର ତାଣ୍ଡବ! ଅଗ୍ନିକାଣ୍ଡରେ ଚାଲିଗଲା ୧୨ ନିରୀହ ଜୀବନ
ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ଦୁଇ ମାସର ଶିଶୁଟି ମା’ ପୁନମ୍ଙ୍କ କୋଳରେ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
Fire Tragedie: ଦୀପାବଳି ଉତ୍ସବ ପରେ ମଧ୍ୟପ୍ରଦେଶରେ ଘଟିଛି ଦୁଇଟି ହୃଦୟବିଦାରକ ଅଗ୍ନିକାଣ୍ଡ। ସେଓନି ଓ କଟନି ଜିଲ୍ଲାରେ ଦୁଇଟି ପୃଥକ୍ ଅଗ୍ନିକାଣ୍ଡରେ ଦୁଇ ପରିବାରର ମୋଟ ୧୨ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଦୁଇ ମାସର ଶିଶୁ ମଧ୍ୟ ରହିଛି। ଏହି ଦୁଇଟି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସେଓନିରେ ଗୋଟିଏ ପରିବାରର ୬ ମୃତ:
ପ୍ରଥମ ଅଘଟଣ ସେଓନି ଜିଲ୍ଲାର ଛାପରା ସହରରେ ଘଟିଛି। ସୋମବାର ଭୋର ପ୍ରାୟ ୪ଟାରୁ ୪ଟା ୩୦ ମଧ୍ୟରେ ମହାବୀର ୱାର୍ଡର ଜୈନ ମନ୍ଦିର ନିକଟରେ ଥିବା ସୁନାରୀ କୁନ୍ଦନ ଲାଲ ସୋନିଙ୍କ ତିନି ମହଲା ଘରେ ଭୟଙ୍କର ନିଆଁ ଲାଗିଥିଲା। ଘଟଣା ସମୟରେ ଘରେ ୧୦ ଜଣ ଥିଲେ। ଏହି ଅଗ୍ନିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ୭୫ ବର୍ଷୀୟ କୁନ୍ଦନ ଲାଲ ସୋନି, ତାଙ୍କ ପତ୍ନୀ ରାଜକୁମାରୀ (୬୫), ରିତୁ (୪୨), ସ୍ମୃତି (୪୦), ସୂର୍ଯ୍ୟ (୪୫) ଓ ଆଦିତ୍ୟ (୧୬)। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
କଟନିରେ ଦୁଇ ମାସର ଶିଶୁ ସମେତ ୬ ମୃତ:
ସେହିପରି ଦ୍ୱିତୀୟ ଘଟଣା କଟନି ଜିଲ୍ଲାର ବରହି ସହରରେ ଘଟିଛି। ମଧ୍ୟରାତ୍ରି ପାଖାପାଖି ଏକ ତିନି ମହଲା କୋଠାର ତଳ ମହଲାରେ ଥିବା କ୍ରୋକେରି ଦୋକାନରେ ନିଆଁ ଲାଗିଥିଲା। ନିଆଁ ଦ୍ରୁତଗତିରେ କୋଠାର ଅନ୍ୟ ଅଂଶକୁ ବ୍ୟାପିଯିବାରୁ ପରିବାରର ସଦସ୍ୟମାନେ ଭିତରେ ଫସି ରହିଥିଲେ। ଏହି ଘଟଣାରେ ଦୋକାନ ମାଲିକ ପୁରଣ ଅଗ୍ରୱାଲ (୭୭), ତାଙ୍କ ପତ୍ନୀ ଚନ୍ଦ୍ରକଳା (୭୪), ବୋହୂ ପୁନମ୍, ନାତୁଣୀ ଆର୍ଯ୍ୟ (୧୪), ଅନ୍ୱୀ (୬) ଏବଂ ଦୁଇ ମାସର ଶିଶୁର ମୃତ୍ୟୁ ହୋଇଛି।
ସବୁଠାରୁ ହୃଦୟବିଦାରକ ଘଟଣା ହେଉଛି, ଦୁଇ ମାସର ଶିଶୁଟି ମା’ ପୁନମ୍ଙ୍କ କୋଳରେ ଥିବା ଅବସ୍ଥାରେ ପ୍ରାଣ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ଦୁଇଟି ଯାକ ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡ଼ିନାହିଁ। ଏହି ଦୁଃଖଦ ଘଟଣା ଦୁଇ ପରିବାରକୁ ଛାରଖାର କରିଦେଇଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି।