୧୨ ଘଣ୍ଟିଆ ଓଡ଼ିଶା ବନ୍ଦ, ଏହିସବୁ ସ୍ଥାନରେ ପଡିଛି ପ୍ରଭାବ...
ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
Odisha Bandh: ଇଣ୍ଡି ମେଣ୍ଟର ଚାରି ଦଫା ଦାବି ନେଇ ଆଜି କଂଗ୍ରେସ କର୍ମୀଙ୍କ ଦ୍ୱାରା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସମେତ ସାରା ଓଡ଼ିଶାର କେତେକ ସ୍ଥାନରେ ବନ୍ଦର ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସମ୍ବଲପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ସହ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ରାସ୍ତା ଘାଟରେ ମଧ୍ୟ କାଁ ଭାଁ ଚଳାଚଳ ରହିଛି । ସକାଳେ ଇଂଟରସିଟି ଟ୍ରେନ ଗୁଡିକୁ ଅଟକାଇବା ପାଇଁ ଯିବା ବେଳେ ପୋଲିସ କିଛି ସମର୍ଥକଙ୍କୁ ଅଟକାଇଥିଲା ଫଳରେ ସଠିକ ସମୟରେ ଟ୍ରେନ ଚଳାଚଳ ରହିଥିଲା । ପିକେଟିଙ୍ଗ କରି କିଛି କାର୍ଯ୍ୟାଳୟ ମଧ୍ୟ ବନ୍ଦ କରିଥିଲେ କଂଗ୍ରେସ କର୍ମୀ । ସମାଜବାଦୀ ପାର୍ଟି ମଧ୍ୟ ଏହି ବନ୍ଦରେ କଂଗ୍ରେସକୁ ସମର୍ଥନ ଦେଇଥିଲା ।
କେନ୍ଦୁଝରରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେନ୍ଦୁଝର ସହର ଗାନ୍ଧୀ ଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ, ଲାବଣ୍ୟ ଛକରେ ଯାନବାହାନ ଅଟକାଇଛନ୍ତି ଆନ୍ଦୋଳନକାରୀ । କେନ୍ଦୁଝର ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନ ତଥା ଖଣି ଅଞ୍ଚଳରେ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି । ବିଭିନ୍ନ ଖଣିରୁ ଖଣିଜ ପଦାର୍ଥ ପରିବହନ କରୁଥିବା ଟ୍ରକ୍ ଅଟକାଇଛନ୍ତି ଆନ୍ଦୋଳନକାରୀ । ବଡ଼ବିଲ ସହର ନିକଟ କିରିବୁରୁ ଛକ, ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଏବଂ ଯୋଡ଼ା ସହର ନିକଟ କଳାପାହାଡ଼ ଛକ ଠାର ଲୁହାପଥର ବୋଝେଇ ଟ୍ରକ୍ ଅଟକାଇଥିଲେ ଆନ୍ଦୋଳନକାରୀ । ରିମୁଳି ଛକରୁ ଚମ୍ପୁଆ ସହର ଦେଇ ଝାଡ଼ଖଣ୍ଡ ଯାଉଥିବା ରାସ୍ତାର ଚନ୍ଦ୍ରଶେଖର କଲେଜ ନିକଟରେ ଭାରୀଯାନ ଅଟକାଇଛନ୍ତି ଆନ୍ଦୋଳନକାରୀ । ଓଡ଼ିଶା ବନ୍ଦ ଯୋଗୁଁ ଜିଲ୍ଲାରେ ଅନେକ ସ୍ଥାନରେ ସ୍ୱତଃ ଦୋକାନ ବଜାର ବନ୍ଦ ରହିଥିବା ବେଳେ, ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି । ସରକାରୀ ବସ୍ ଚଳାଚଳ ଜାରି ରହିଛି । କେନ୍ଦୁଝରଗଡ଼ ଷ୍ଟେସନ୍ ରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ରହିଛି ।
ବନ୍ଦର ପ୍ରଭାବ ଭଦ୍ରକରେ ଦେଖିବା ପାଇଁ ମିଳିଛି । ୧୬ ନମ୍ୱର୍ ଜାତୀୟ ରାଜପଥକୁ ଆନ୍ଦୋଳନକାରୀ ମାନେ ବନ୍ଦ୍ କରିଚନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ ଓ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ବନ୍ଦ୍ ବେଳେ ଜରୁରୀ କାଳୀନ ସେବା ଗୁଡିକ ପ୍ରଭାବିତ ହେବ ନାହିଁ ବୋଲି କଂଗ୍ରେସ ଓ ବନ୍ଦ୍ ଡାକରା ଦେଇଥିବା ସମର୍ଥିତ ଦଳ ମାନେ କହିଛନ୍ତି ।
ବନ୍ଦରନଗରୀ ପାରାଦୀପରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଆଜି ସକାଳ ୬ ଟାଠାରୁ ପାରାଦୀପ ବନ୍ଦର ସମେତ ବିଭିନ୍ନ ଶିଳ୍ପପ୍ରତିଷ୍ଠାନ ଫାଟକ ସମ୍ମୁଖରେ ପିକେଟିଂ କରିଥିଲେ । ଯାହା ଫଳରେ ଅନେକ ଶିଳ୍ପସଂସ୍ଥାକୁ କାମ କରିବାକୁ ଯାଉଥିବା ଶ୍ରମିକମାନେ ଫେରି ଆସିଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବସ୍ ଚଳାଚଳ ସହିତ ବିଭିନ୍ନ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବିଭିନ୍ନ ବିଦ୍ୟାଳୟରେ ପରୀକ୍ଷା ଥିବାରୁ ସ୍କୁଲ ଖୋଲା ରହିଥିବା ଦେଖିବାକୁ ମିଳିଛି । ଚାରିଦଫା ଦାବିରେ ଇଣ୍ଡିଆ ମେଣ୍ଟରେ ଓଡ଼ିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଦେଖିବାକୁ ମିଳିଛି ।