SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

ମଦ ବିରୋଧୀ ଆନ୍ଦୋଳନ ଉଗ୍ର: ବନ୍ଦ ମଦ ଭାଟିରେ ନିଆଁ ଲଗାଇଲେ ୩୦୦ରୁ ଅଧିକ ମହିଳା

ଡାବୁଗାଁ ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରିଗୁଡ଼ା ପଞ୍ଚାୟତର ବରିପଦର ଗ୍ରାମରେ ଥିବା ଏକ ଦେଶୀ ମଦ ଭାଟି ଉପରେ ପ୍ରାୟ ୩୦୦ରୁ ଅଧିକ ମହିଳା ଏକାଠି ହୋଇ ଚଢ଼ାଉ କରିଥିଲେ। ମହିଳାମାନେ ଠେଙ୍ଗା ଓ ବାଡ଼ି ଧରି ଭାଟି ପରିସରକୁ ପ୍ରବେଶ କରିବା ସହ ସେଠାରେ ଥିବା ବିଭିନ୍ନ ସାମଗ୍ରୀକୁ ବାହାରକୁ ଆଣି ଫିଙ୍ଗାଫୋପଡ଼ା କରିଥିଲେ।

Reported By Manoj Kumar Mallia Written By Priyambada Rana
Published: Nov 07, 2026, 01:40 PM IST | Updated: Nov 07, 2026, 01:45 PM IST
Image Credit: ମଦ ବିରୋଧୀ ଆନ୍ଦୋଳନ ଉଗ୍ର: ବନ୍ଦ ମଦ ଭାଟିରେ ନିଆଁ ଲଗାଇଲେ ୩୦୦ରୁ ଅଧିକ ମହିଳା
Join

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଧୀରେ ଧୀରେ ଉଗ୍ର ରୂପ ନେଉଛି। ମଦ ବିକ୍ରି ଓ ମଦ ଭାଟି ବିରୋଧରେ ନାରୀ ସଂଘର ଆନ୍ଦୋଳନ ମଧ୍ୟରେ ଡାବୁଗାଁ ବ୍ଲକ୍‌ର ଏକ ଦୀର୍ଘଦିନ ଧରି ବନ୍ଦ ଥିବା ଦେଶୀ ମଦ ଭାଟିରେ ମହିଳାମାନେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ୍‌ ଅନ୍ତର୍ଗତ ଡଙ୍ଗରିଗୁଡ଼ା ପଞ୍ଚାୟତର ବରିପଦର ଗ୍ରାମରେ ଥିବା ଏକ ଦେଶୀ ମଦ ଭାଟି ଉପରେ ପ୍ରାୟ ୩୦୦ରୁ ଅଧିକ ମହିଳା ଏକାଠି ହୋଇ ଚଢ଼ାଉ କରିଥିଲେ। ମହିଳାମାନେ ଠେଙ୍ଗା ଓ ବାଡ଼ି ଧରି ଭାଟି ପରିସରକୁ ପ୍ରବେଶ କରିବା ସହ ସେଠାରେ ଥିବା ବିଭିନ୍ନ ସାମଗ୍ରୀକୁ ବାହାରକୁ ଆଣି ଫିଙ୍ଗାଫୋପଡ଼ା କରିଥିଲେ।

ସୂଚନା ମିଳିଛି ଯେ, ଲାଇସେନ୍ସ ନବୀକରଣ ହୋଇ ନଥିବାରୁ ଗତ ଏପ୍ରିଲ ମାସରୁ ଏହି ଭାଟିଟି ସରକାରୀ ଭାବେ ବନ୍ଦ ରହିଥିଲା। ଭାଟିରେ ଥିବା ଆସବାବପତ୍ର ଓ ସାମଗ୍ରୀର ଦେଖାଶୁଣା ପାଇଁ ମାତ୍ର ୨ରୁ ୩ ଜଣ କର୍ମଚାରୀ ଉପସ୍ଥିତ ଥିଲେ। ମହିଳାମାନେ ସେଠାରେ ଥିବା ପ୍ଲାଷ୍ଟିକ୍ ଡ୍ରମ୍‌, ମଦ ପ୍ରସ୍ତୁତି ସରଞ୍ଜାମ ଓ ଅନ୍ୟାନ୍ୟ ସାମଗ୍ରୀକୁ ବାହାରକୁ ଫିଙ୍ଗିବା ପରେ କିଛି ପ୍ଲାଷ୍ଟିକ୍ ଡ୍ରମ୍‌ରେ ନିଆଁ ଲଗାଇ ଦେଇଥିଲେ।

ଘଟଣାରେ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା ରକ୍ତପାତ ହୋଇନଥିବା କୁହାଯାଉଥିବା ବେଳେ ଭାଟି ପରିସରରେ ଥିବା ବହୁ ସାମଗ୍ରୀ ନଷ୍ଟ ହୋଇଛି। ଦୀର୍ଘ ମାସ ଧରି ବନ୍ଦ ଥିବା ଏକ ଭାଟିକୁ ନେଇ ଏତେ ସଂଖ୍ୟକ ମହିଳା କାହିଁକି ଏଭଳି ପଦକ୍ଷେପ ନେଲେ, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜାରି ରହିଛି।

ଅନ୍ୟପଟେ, ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର ଏବଂ ମଦ ଭାଟି ବିରୋଧରେ ନାରୀ ସଂଘର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଏବେ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ଭଳି ସ୍ଥିତିକୁ ଯାଉଥିବାରୁ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଏହି ଘଟଣା ସମ୍ପର୍କରେ ପୋଲିସ କିମ୍ବା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ।

Add Zee News as a Preferred Source
TAGS:

About the Author

ZEENEWS TRENDING STORIES