BDA Ekamra Residency: ଭୁବନେଶ୍ୱରରେ ଘର କିଣିବାକୁ ଚାହୁଁଛନ୍ତି କି? BDA ବଢ଼ାଇଲା ଏକାମ୍ର ରେସିଡେନ୍ସି ଆବେଦନ ଅବଧି
BDAର ଏହି ଆବାସିକ ପ୍ରକଳ୍ପ ପ୍ରାୟ ୭.୩୪ ଏକର ଜମିରେ ନିର୍ମିତ ହୋଇଛି। ଏଠାରେ ଦୁଇଟି ବ୍ଲକ୍ରେ ମୋଟ ୪୯୬ଟି ଫ୍ଲାଟ୍ ରହିଛି। ସେଥିମଧ୍ୟରୁ ୨୮୮ଟି ୨BHK ସହିତ ଷ୍ଟଡି ରୁମ୍ ଏବଂ ୨୦୮ଟି ସାଧାରଣ ୨BHK ଫ୍ଲାଟ୍ ରହିଛି।
ଭୁବନେଶ୍ୱର: ଭୁବନେଶ୍ୱରରେ ନିଜର ଏକ ସୁନ୍ଦର ଘର କିଣିବାକୁ ଅପେକ୍ଷା କରିଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର। ସୁବୁଦ୍ଧିପୁରସ୍ଥିତ ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପରେ ଫ୍ଲାଟ୍ ପାଇଁ ଅନଲାଇନ୍ ଆବେଦନର ସମୟସୀମାକୁ ଆଉ ଏକ ମାସ ବଢ଼ାଇଛି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA)। ପୂର୍ବରୁ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଥିବାବେଳେ ଏବେ ଏହାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଇଚ୍ଛୁକ ଗ୍ରାହକମାନେ ଆବେଦନ କରିବା ପାଇଁ ଅଧିକ ଏକ ମାସ ସମୟ ପାଇବେ।
୭.୩୪ ଏକର ଜମିରେ ୪୯୬ଟି ଫ୍ଲାଟ୍:
BDAର ଏହି ଆବାସିକ ପ୍ରକଳ୍ପ ପ୍ରାୟ ୭.୩୪ ଏକର ଜମିରେ ନିର୍ମିତ ହୋଇଛି। ଏଠାରେ ଦୁଇଟି ବ୍ଲକ୍ରେ ମୋଟ ୪୯୬ଟି ଫ୍ଲାଟ୍ ରହିଛି। ସେଥିମଧ୍ୟରୁ ୨୮୮ଟି ୨BHK ସହିତ ଷ୍ଟଡି ରୁମ୍ ଏବଂ ୨୦୮ଟି ସାଧାରଣ ୨BHK ଫ୍ଲାଟ୍ ରହିଛି।
ଏହି ଫ୍ଲାଟ୍ଗୁଡ଼ିକର ଆବଣ୍ଟନ ଲଟେରି ମାଧ୍ୟମରେ କରାଯିବ। ଏହାଦ୍ୱାରା ସମସ୍ତ ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରେ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ଫ୍ଲାଟ୍ ବଣ୍ଟନ କରାଯିବ।
ଆବେଦନ ଫି' ୧୦ ହଜାର, ଜମା ଟଙ୍କା ଫେରସ୍ତର ବ୍ୟବସ୍ଥା:
ଏହି ଯୋଜନାରେ ଆବେଦନ କରିବା ସମୟରେ ୧୦ ହଜାର ଟଙ୍କା ଆବେଦନ ଫି' ଦେବାକୁ ପଡ଼ିବ। ତେବେ ଏହି ଟଙ୍କା ଫ୍ଲାଟ୍ର ଅନ୍ତିମ ମୂଲ୍ୟ ସହ ସମାୟୋଜିତ କରାଯିବ ବୋଲି BDA ସ୍ପଷ୍ଟ କରିଛି।
ଅନ୍ୟପଟେ, ଲଟେରିରେ ଯେଉଁ ଆବେଦନକାରୀଙ୍କୁ ଫ୍ଲାଟ୍ ମିଳିବ ନାହିଁ, ସେମାନଙ୍କୁ ଜମା କରିଥିବା ୨.୧ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଫେରସ୍ତ କରାଯିବ।
ଏହା ସହିତ ସଫଳ ଆବେଦନକାରୀଙ୍କୁ GSTରେ ୧୦୦ ପ୍ରତିଶତ ଛାଡ଼ ଏବଂ ଷ୍ଟାମ୍ପ ଡ୍ୟୁଟିରେ ୫ ପ୍ରତିଶତ ରିହାତି ମିଳିବ। ଫ୍ଲାଟ୍ଗୁଡ଼ିକ ରେଡି-ଟୁ-ମୁଭ୍ ଅବସ୍ଥାରେ ହସ୍ତାନ୍ତର କରାଯିବା ସହ ଫ୍ରିହୋଲ୍ଡ ଆଧାରରେ ଆବଣ୍ଟନ କରାଯିବ। ଏଥିସହ ପ୍ରଥମ ଏକ ବର୍ଷ ପାଇଁ ମାଗଣା ରକ୍ଷଣାବେକ୍ଷଣ ସୁବିଧା ମଧ୍ୟ ରହିଛି।
ସୁଇମିଂ ପୁଲ୍ଠାରୁ ଜିମ୍, ରହିଛି ଅନେକ ଆଧୁନିକ ସୁବିଧା:
ଏକାମ୍ର ରେସିଡେନ୍ସିକୁ ଭୂମିକମ୍ପ ପ୍ରତିରୋଧକ RCC ନିର୍ମାଣ ଶୈଳୀରେ ଡିଜାଇନ୍ କରାଯାଇଛି। ଏଠାରେ ବାସିନ୍ଦାଙ୍କ ପାଇଁ ସୁଇମିଂ ପୁଲ୍, ଜିମ୍ନାସିୟମ୍, ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ, ଜଳ ପୁନଃଭରଣ ବ୍ୟବସ୍ଥା ଏବଂ ୨୪ ଘଣ୍ଟିଆ CCTV ନିରୀକ୍ଷଣ ଭଳି ଆଧୁନିକ ସୁବିଧା ଉପଲବ୍ଧ ହେବ।
କିପରି କରିବେ ଆବେଦନ?
ଏହି ଯୋଜନାରେ ଆବେଦନ କରିବା ପାଇଁ ପ୍ରଥମେ ଇଚ୍ଛୁକ ବ୍ୟକ୍ତିଙ୍କୁ ପଞ୍ଜୀକରଣ କରି ଏକ ୟୁନିକ୍ ଆକାଉଣ୍ଟ ନମ୍ବର (UAN) ହାସଲ କରିବାକୁ ପଡ଼ିବ। BDAର ପ୍ରପର୍ଟି ଆଲଟମେଣ୍ଟ ସିଷ୍ଟମ୍ରେ କାରବାର କରିବା ପାଇଁ ଏହି UAN ବାଧ୍ୟତାମୂଳକ। ପଞ୍ଜୀକରଣ ସମୟରେ ଜନ୍ମ ତାରିଖ ଓ ବାସସ୍ଥାନର ପ୍ରମାଣପତ୍ର ଭାବେ ବୈଧ ଦସ୍ତାବିଜ୍ ଦାଖଲ କରିବାକୁ ହେବ।
ତେଣୁ ଭୁବନେଶ୍ୱରରେ ଘର କିଣିବାକୁ ଇଚ୍ଛୁକ ଲୋକମାନେ ନଭେମ୍ବର ୩୦ ତାରିଖ ପୂର୍ବରୁ ପଞ୍ଜୀକରଣ ଓ ଆବେଦନ ପ୍ରକ୍ରିୟା ଶେଷ କରିପାରିବେ।