ବନ୍ୟା ପରିଚାଳନା ସମ୍ପର୍କରେ ବଡ କଥା କହିଲେ ମୁଖ୍ୟ ଶାସନ ସଚିବ
ଅନୁ ଗର୍ଗ କହିଛନ୍ତି ଯେ, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ୩ ଦିନ ବର୍ଷା ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ।
ଭୁବନେଶ୍ୱର: ଗଞ୍ଜାମରେ ବନ୍ୟା ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଜି ଗଣମାଧ୍ୟମ ସାମ୍ନାରେ ଉତ୍ତର ରଖିଛନ୍ତି । ଗତକାଲି ବିରୋଧି କଂଗ୍ରେସ ଏବଂ ବିଜେଡି ପକ୍ଷରୁ ଆସିଥିବା ଅଭିଯୋଗ ନେଇ ଉତ୍ତର ରଖିଛନ୍ତି ଅନୁ ଗର୍ଗ । ସେ କହିଛନ୍ତି ଯେ, ଅଭୂତପୂର୍ବ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଲଗାତାର ୩ ଦିନ ବର୍ଷା ହେବା କାରଣରୁ ଏପରି ପରିସ୍ଥିତି ସୃଷ୍ଟି ହେଲା । ପାତ୍ରପୁରରେ ଗୋଟିଏ ଦିନରେ ୫୪୬ ମିମି ବର୍ଷା ହୋଇଥିଲା । ପାତ୍ରପୁରରେ ତା ପୂର୍ବ ଦିନ ୮୯ ମିମି ଓ ପରଦିନ ୧୭୩ ମିମି ବର୍ଷା ହୋଇଥିଲା । ଏପରିକି ଆଉ କିଛି ସ୍ଥାନ ଇତିହାସରେ ସର୍ବାଧିକ ବର୍ଷାର ରେକର୍ଡ ବି କରିଥିଲା । ୧୯୯୦ ଓ ୨୦୧୩ରେ ହୋଇଥିବା ପ୍ରବଳ ବର୍ଷାଠୁ ବି ତାହା ଅଧିକ ଥିଲା । ୨୦୧୩ରେ ଫାଇଲିନ୍ ବର୍ଷା ଠାରୁ ବି ୬୫% ଅଧିକ ବର୍ଷା ଥିଲା । ଫାଇଲିନ୍ ସମୟରେ ଗୋଟିଏ ଦିନ ବର୍ଷା ଥିଲା, ମାତ୍ର ଏଥର ୩ ଦିନ ବର୍ଷା ହୋଇଥିଲା ।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ, ଋଷିକୁଲ୍ୟା ଓ ବାହୁଦାର କ୍ୟାଚମେଣ୍ଟ ଏରିଆର ୧୦% ପାଣି ଡ୍ୟାମ୍କୁ ଯାଏ ଏବଂ ଅବଶିଷ୍ଟ ପାଣି ସିଧାସଳଖ ନଦୀକୁ ଯାଏ, ସେଥିରେ ଆଉ ନିୟନ୍ତ୍ରଣ ନାହିଁ । ମାତ୍ର ଡ୍ୟାମ୍ରୁ ଜଳ ନିଷ୍କାସନ ନେଇ ଯାହା କରାଯିବା କଥା ତାହା କରାଯାଇଛି । ଏଥର ମଧ୍ୟ ଅନୁଧ୍ୟାନ କରି ଯନ୍ତ୍ରୀମାନେ ଡ୍ୟାମ୍ର ପାଣି ଖସାଇଥିଲେ । ଫାଇଲିନ୍ ସମୟରେ ଯେପରି ପାଣି କମା ଯାଇଥିଲା, ଏଥର ମଧ୍ୟ ସମାନ ପରି ହୋଇଛି । ଅଧିକ ଗେଟ୍ ଖୋଲି ଦିଆଯାଇଥିବା ଅଭିଯୋଗର ଜବାବ ରଖି କହିଛନ୍ତି ଯେ, ଡ୍ୟାମ୍ ନିରାପତ୍ତା ହେଉଛି ପ୍ରାଥମିକତା, ଏଥିରେ ରିସ୍କ ନେଇ ହେବନି । ଯେଉଁ ଅନୁସାରେ ପାଣି ଆସିଲା ସେହି ଅନୁସାରେ ଗେଟ୍ ଖୋଲାଗଲା । ପୂର୍ବତନ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଆରୋପ ନେଇ କହିଛନ୍ତି ଯେ, ମୁଁ ଏନେଇ ଶୁଣିଛି, ସେଣ୍ଟ୍ରାଲ ଟିମ୍ ରିପୋର୍ଟ ଦେଇ ସାରିଛନ୍ତି । ସେଣ୍ଟ୍ରାଲ ଟିମ୍ ଅଭୂତପୂର୍ବ ବର୍ଷା ପାଇଁ ପରିସ୍ଥିତି ସୃଷ୍ଟି ହେଲା କହିଛନ୍ତି । ବିଦ୍ୟୁତ ଓ ପିଇବା ପାଣି ଆଦି ନେଇ ସମସ୍ୟା ପ୍ରାୟତଃ ଦୂର ହୋଇସାରିଛି ।
ଆପଣଙ୍କୁ କହିରଖୁଛୁ ଯେ, ଗତକାଲି ସରକାରଙ୍କ ବନ୍ୟା ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓକୁ ନେଇ ପ୍ରଶ୍ନ କରିଥିଲେ ପିସିସି ମୁଖ୍ୟ ଭକ୍ତ ଦାସ । ବିଫଳତା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଭକ୍ତ । ବନ୍ୟାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା ସହ ୫୦୦୦ କୋଟିର ସହାୟତା ଦାବି କରିଛନ୍ତି । ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓକୁ ସମାଲୋଚନା କରିଛନ୍ତି । ଜଳସମ୍ପଦ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ମଧ୍ୟ ସମାଲୋଚନା କରିଛନ୍ତି । IMDର ବର୍ଷା ସତର୍କ ସୂଚନା ସତ୍ତ୍ୱେ କାହିଁକି ଆଗୁଆ ପ୍ରସ୍ତୁତି ନଥିଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ସେହିପରି, ଗଞ୍ଜାମ ବନ୍ୟା ଦୁର୍ଦ୍ଦଶା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତୁରନ୍ତ ରିଲିଫ୍ ଓ ପୁନର୍ବାସ ପଦକ୍ଷେପ ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । କେଉଁମାନଙ୍କ ତ୍ରୁଟିରୁ ଏପରି ମନୁଷ୍ୟକୃତ ଦୁର୍ଦ୍ଦଶା ସୃଷ୍ଟି ହେଲା ନିର୍ଦ୍ଧାରଣ ଦାବି କରିଛନ୍ତି ।
Also Read- Saturn Transit 2026: ୩ ମାସରେ ୪ଟି ରାଶିକୁ ବମ୍ପର ଲାଭ !