Kalinga Ghati: ବାତ୍ୟା ‘ଅକୱାନ୍’ ଭୟ: କଳିଙ୍ଗା ଘାଟି ରାସ୍ତା ସିଲ୍, ଆସନ୍ତାକାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଯାତାୟାତ ବନ୍ଦ
କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୮ ନଭେମ୍ବର ୨୦୨୬ରେ ଜାରି ହୋଇଥିବା ଆଦେଶ ଅନୁସାରେ, ୧୯ ନଭେମ୍ବରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ବର୍ଗର ମୋଟର ଯାନ ଚଳାଚଳ ଉପରେ କଟକଣା ଲାଗୁ ହେବ। ଜନସାଧାରଣଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
Kalinga Ghati: ସମ୍ଭାବ୍ୟ ବାତ୍ୟା ‘ଅକୱାନ୍’ ଏବଂ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଫୁଲବାଣୀରେ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ପାହାଡ଼ିଆ ରାସ୍ତାରେ ଭୂସ୍ଖଳନ, ପଥର ଓ ମାଟି ଅତଡ଼ା ଖସିବା ଏବଂ ରାସ୍ତା ନଷ୍ଟ ହେବାର ଆଶଙ୍କା ଥିବାରୁ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି।
କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୮ ନଭେମ୍ବର ୨୦୨୬ରେ ଜାରି ହୋଇଥିବା ଆଦେଶ ଅନୁସାରେ, ୧୯ ନଭେମ୍ବରଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଳିଙ୍ଗା ଘାଟି ରାସ୍ତାରେ ସମସ୍ତ ବର୍ଗର ମୋଟର ଯାନ ଚଳାଚଳ ଉପରେ କଟକଣା ଲାଗୁ ହେବ। ଜନସାଧାରଣଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ ସଡ଼କ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।
ଜିଲ୍ଲାପାଳଙ୍କ ଆଦେଶରେ ଉଲ୍ଲେଖ ରହିଛି ଯେ, କଳିଙ୍ଗା ଘାଟି ରାସ୍ତା ପାହାଡ଼ିଆ ଓ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଦେଇ ଯାଇଥିବାରୁ ପ୍ରବଳ ବର୍ଷା ସମୟରେ ଏଠାରେ ଯାତାୟାତ ବିପଦପୂର୍ଣ୍ଣ ହୋଇପାରେ। ରାସ୍ତାରେ ମାଟି ଓ ପଥର ଖସିବା ସହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।
ଆଦେଶରେ କନ୍ଧମାଳ ଏସ୍ପି, ଜାତୀୟ ରାଜପଥ ବିଭାଗର ଅଧିକାରୀ, ସମ୍ପୃକ୍ତ ଯନ୍ତ୍ରୀ, ଉପଜିଲ୍ଲାପାଳ, ତହସିଲଦାର ଓ ସ୍ଥାନୀୟ ପୋଲିସକୁ କଟକଣା କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକରେ ସତର୍କ ସୂଚନା ଫଳକ, ବ୍ୟାରିକେଡ୍ ଓ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି।