Cyclone Alert: ୨୨ କିମି ବେଗରେ ଆଗକୁ ବଢୁଛି ଅବପାତ, ଏହି ସବୁ ସ୍ଥାନରେ ଛୁଟି ଘୋଷଣା...
ସମ୍ଭାବ୍ୟ ବାତ୍ୟାକୁ ନେଇ ଉଭୟ ଆନ୍ଧ୍ରପ୍ରଦେଶ ସରକାର ଏବଂ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
Cyclone Alert: ୨୨ କିମି ବେଗରେ ଆଗକୁ ବଢୁଛି ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ଅବପାତ । ବିଗତ ୬ ଘଣ୍ଟା ଧରି ୨୨ କିମି ବେଗରେ ଅବପାତ ଆଗକୁ ବଢୁଥିବା ସୂଚନା ମିଳିଛି । ଚେନ୍ନାଇରୁ ୮୩୦ କିମି, ବିଶଖାପଟ୍ଟନମରୁ ୮୮୦ କିମି ଦୂରରେ ଅବପାତ ରହିଛି । ଆଜି ବାତ୍ୟା ଓ କାଲି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା କୁହାଯାଉଛି । ୩ ତାରିଖ ସକାଳେ ସମ୍ଭାବ୍ୟ ‘ମୁରାସୁ’ ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳ ଅତିକ୍ରମ କରିବା ନେଇ ଆକଳନ କରାଯାଉଛି । ନେଲୁର ଏବଂ ନରସାପୁର ମଧ୍ୟରେ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ପବନ ବେଗ ୧୦୦ ରୁ ୧୧୦କିମି, ଝଟକା ପବନ ୧୨୦କିମି ରହିପାରେ ।
ଅନ୍ୟପଟେ, ସମ୍ଭାବ୍ୟ ବାତ୍ୟାକୁ ନେଇ ଉଭୟ ଆନ୍ଧ୍ରପ୍ରଦେଶ ସରକାର ଏବଂ ଓଡ଼ିଶା ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଓଡ଼ିଶାର ଗଞ୍ଜାମ ଏବଂ ଗଜପତିରେ ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସମୟରେ ପୁଣି ଏକ ବାତ୍ୟାର ପ୍ରଭାବ ଅଞ୍ଚଳରେ ପଡିପାରେ ବୋଲି ଆଶଙ୍କା ବଢିଛି । ରାଜ୍ୟ ସରକାର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି । କନ୍ଧମାଳ ଜିଲ୍ଲାରେ ରବିବାର ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରବିବାର ପାଇଁ ଛୁଟି ବାତିଲ୍ କରାଯାଇଛି । ସରକାରୀ ଅଧିକାରୀ ମାନେ ରବିବାର ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନୁପସ୍ଥିତ ରହିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ସେହିପରି ଗଞ୍ଜାମରେ ରବିବାର ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରିଲିଫ କାର୍ଯ୍ୟ ପାଇଁ ଛୁଟି ବାତିଲ୍ କରାଯାଇଛି । ସରକାରୀ ଅଧିକାରୀ ମାନେ ରବିବାର ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ ଆସନ୍ତା ୩ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି । ପ୍ରେସମିଟ୍ରେ ଏନେଇ ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି ।
ଆଗାମି କିଛି ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାକୁ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ ଆସନ୍ତାକାଲି ସକାଳ ୮ଟା ୩୦ ଯାଏଁ ବଜ୍ରପାତ ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସେହିପରି ଆସନ୍ତାକାଲିଠାରୁ ୩ ନଭେମ୍ଭର ସକାଳ ୮ଟା ୩୦ ଯାଏଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ବଜ୍ରପାତ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ତେବେ ୨ଟି ଜିଲ୍ଲା ଗଞ୍ଜାମ ଏବଂ ଗଜପତିକୁ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷାର ପରିମାଣ ୭ରୁ ୧୧ ସେଣ୍ଟିମିଟର ରହିପାରେ ।
ନଭେମ୍ଭର ୩ରୁ ୪ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲାକୁ ବଜ୍ରପାତ ହେବା ନେଇ ୱାର୍ଣ୍ଣିଂ ଜାରି କରାଯାଇଥିବା ସମୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ବ୍ୟତୀତ ନବରଙ୍ଗପୁର, କଳାହାଣ୍ଡି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାରେ ବର୍ଷାର ପରିମାଣ ୧୨ରୁ ୨୦ ସେଣ୍ଟିମିଟର ମଧ୍ୟରେ ରହିପାରେ ।
ନଭେମ୍ୱର ୪ରୁ ୫ ତାରିଖ ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।