Hirakud Dam: ଖୋଲିଲା ହୀରାକୁଦ୍ ଡ୍ୟାମ୍ ର ଆଉ ୫ଟି ଗେଟ୍,ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ସାଳନ୍ଦୀ
Hirakud Dam: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ମହାନଦୀରେ ବି ଜଳ ପ୍ରବାହ ବଢୁଛି। ତେବେ, ଏହାରି ଭିତରେ ହୀରାକୁଦ୍ ଡ୍ୟାମ୍ ର ଆଉ ପାଞ୍ଚଟି ଗେଟ୍ ଖୋଲାଯାଇଛି।
Hirakud Dam: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି। ମହାନଦୀରେ ବି ଜଳ ପ୍ରବାହ ବଢୁଛି। ତେବେ, ଏହାରି ଭିତରେ ହୀରାକୁଦ୍ ଡ୍ୟାମ୍ ର ଆଉ ପାଞ୍ଚଟି ଗେଟ୍ ଖୋଲାଯାଇଛି। ବର୍ତ୍ତମାନ ୧୩ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବାମ ପାର୍ଶ୍ବରେ ୯ଟି ଏବଂ ଡାହାଣ ପାର୍ଶ୍ବରେ ୪ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି। ମହାନଦୀ ଅବବାହିକାର ତଳିଆ ଅଞ୍ଚଳବାସୀ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଶୁକ୍ରବାର ଦିନ ୨ଟି ପର୍ଯ୍ୟାୟରେ ହୀରାକୁଦର ୪ଟି ଗେଟ୍ ଖୋଲାଯାଇଥିଲା। ଏବେ ଡ୍ୟାମ୍ ର ଜଳସ୍ତର ଓ ଉପରମୁଣ୍ତରୁ ଆସୁଥିବା ଜଳ ପ୍ରବାହ ଉପରେ ନଜର ରଖାଯାଉଛି।
ସେପଟେ, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ, ଭଦ୍ରକର ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ଦେଖାଦେଇଛି। ଏହି ୨ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରଜାଘାଟଠାରେ ସାଳନ୍ଦୀ ନଦୀର ବିପଦ ସଙ୍କେତ୍ ୧୭ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୧୮.୭୦ ଫୁଟ ଉପରେ ରହିଛି। ଏବଂ ଆଖୁଆପଦା ଠାରେ ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର ଥିବା ବେଳେ ଜଳସ୍ତର ବର୍ତ୍ତମାନ ୧୯.୩୦ ମିଟରରେ ପ୍ରବାହିତ ହେଉଛି। ଯାହାକୁ ନେଇ ନଦୀ କୂଳିଆ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଭିନ୍ନ ଓ୍ବାର୍ଡରେ ବର୍ଷା ପାଣି ପସିବା ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଭଦ୍ରକ ରୁ ଧାମନଗର ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୩ ଫୁଟର ବର୍ଷା ପାଣି ଲହଡି ମାରୁଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଧାମନଗର ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ଓ୍ବାର୍ଡର ଘରେ ଘରେ ବର୍ଷା ଜଳ ପସିଥିବା ବେଳେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ । ସାଳନ୍ଦୀ ନଦୀର ବନ୍ୟାଜଳ ଭଦ୍ରକରେ ପ୍ରବେଶ କରିସାରିଥିବା ବେଳେ ବନ୍ୟାସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେଲ୍ଟର ବ୍ୟବସ୍ଥା କରାଯାଇଥିବା ପ୍ରଶାସନ ତରଫରୁ କୁହାଯାଇଛି। ଏବଂ ଶୁଖିଲା ଖାଦ୍ୟ ଓ ଗୋ-ଖାଦ୍ୟ ମହଜୁଦ ରଖାଯାଉଛି।