SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Srimandira News: କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ, ଜାଣନ୍ତୁ କେଉଁ ଦିନ କେଉଁ ବେଶ

କାର୍ତ୍ତିକ ମାସରେ ମାସ ତମାମ ପ୍ରତିଦିନ ସକାଳ ୪ଟାରୁ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ବା ରାଇଦାମୋଦର ବେଶ ହେବ। ସେହିପରି ଅପରାହ୍ନ ୩ଟା ୩୦ରେ ଠିଆ ପହୁଡ଼ ଏବଂ ରାତି ୧୨ଟା ସୁଦ୍ଧା ରାତ୍ର ପହୁଡ଼ ନୀତି ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

Reported By Sanjaya Kumar Mohapatra Written By Priyambada Rana
Published: Oct 15, 2026, 08:29 AM IST | Updated: Oct 16, 2026, 05:02 PM IST
Image Credit: Srimandira News: କାର୍ତ୍ତିକ ମାସ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ, ଜାଣନ୍ତୁ କେଉଁ ଦିନ କେଉଁ ବେଶ
Join

ପୁରୀ: ପବିତ୍ର କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରର ସ୍ୱତନ୍ତ୍ର ନୀତି ନିର୍ଘଣ୍ଟକୁ ଅନୁମୋଦନ ଦେଇଛି ଛତିଶା ନିଯୋଗ। ଅକ୍ଟୋବର ୨୨ ତାରିଖରୁ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବାଳଧୂପ ନୀତି ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଓ ନୀତିକାନ୍ତି ସହ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି।

ସକାଳ ୪ଟାରୁ ହେବ ଦ୍ୱାରଫିଟା:
କାର୍ତ୍ତିକ ମାସରେ ମାସ ତମାମ ପ୍ରତିଦିନ ସକାଳ ୪ଟାରୁ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ବା ରାଇଦାମୋଦର ବେଶ ହେବ। ସେହିପରି ଅପରାହ୍ନ ୩ଟା ୩୦ରେ ଠିଆ ପହୁଡ଼ ଏବଂ ରାତି ୧୨ଟା ସୁଦ୍ଧା ରାତ୍ର ପହୁଡ଼ ନୀତି ସମ୍ପନ୍ନ କରିବାକୁ ନିଷ୍ପତ୍ତି ହୋଇଛି।

ନଭେମ୍ବର ୧୬ରେ ହରିହର ବେଶ:
ନଭେମ୍ବର ୧୬ ତାରିଖରେ ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ଏହି ଦିନ ଅବକାଶ ନୀତି ପରେ ମହାପ୍ରଭୁଙ୍କ ଏହି ସ୍ୱତନ୍ତ୍ର ବେଶ ହେବାକୁ ନୀତି ନିର୍ଘଣ୍ଟରେ ସ୍ଥିର କରାଯାଇଛି।

ପଞ୍ଚୁକରେ ଚାରିଟି ସ୍ୱତନ୍ତ୍ର ବେଶ, ହେବନି ବାଙ୍କଚୁଡ଼ ବେଶ:
ପଞ୍ଚୁକର ପାଞ୍ଚ ଦିନରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ। କିନ୍ତୁ ଦ୍ୱାଦଶୀ ତିଥିର କ୍ଷୟ ଯୋଗୁଁ ଚଳିତ ବର୍ଷ ବାଙ୍କଚୁଡ଼ ବେଶ ବା ବାମନ ବେଶ ଅନୁଷ୍ଠିତ ହେବ ନାହିଁ। ଅନ୍ୟ ବେଶଗୁଡ଼ିକ ନିର୍ଦ୍ଧାରିତ ନୀତି ଅନୁଯାୟୀ ସମ୍ପନ୍ନ ହେବ।

ପଞ୍ଚୁକର ବିଭିନ୍ନ ଦିନରେ ମହାପ୍ରଭୁଙ୍କ ବେଶ ଓ ନୀତି ନିର୍ଘଣ୍ଟ ଏହିପରି ରହିବ:

- ନଭେମ୍ବର ୨୧: ଲକ୍ଷ୍ମୀନାରାୟଣ ବେଶ ଓ ହରି ଉତ୍‌ଥାପନ ନୀତି।
-ନଭେମ୍ବର ୨୨: ଡାଳିକିଆ ବା ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି।
-ନଭେମ୍ବର ୨୩: ଲକ୍ଷ୍ମୀନୃସିଂହ ବେଶ।
-ନଭେମ୍ବର ୨୪: ରାଜାଧିରାଜ ବେଶ ବା ସୁନାବେଶ।

ଏହି ବିଶେଷ ବେଶଗୁଡ଼ିକର ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ବଢ଼ିବାର ସମ୍ଭାବନା ରହିଛି।

ସିଂହଦ୍ୱାରରେ ପ୍ରବେଶ, ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ:
କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼କୁ ନଜରରେ ରଖି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନିଷ୍ପତ୍ତି ଅନୁଯାୟୀ, ଭକ୍ତ ଓ ଶ୍ରଦ୍ଧାଳୁମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ। ଦର୍ଶନ ପରେ ଅନ୍ୟ ତିନିଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ।

ଏହାଦ୍ୱାରା ଭିଡ଼ ନିୟନ୍ତ୍ରଣ କରିବା ସହ ଭକ୍ତଙ୍କ ଯାତାୟାତକୁ ସୁଗମ କରିବା ଲକ୍ଷ୍ୟ ରଖାଯାଇଛି।

ଆନନ୍ଦ ବଜାରରେ ଭିଡ଼ ନିୟନ୍ତ୍ରଣ ଉପରେ ଗୁରୁତ୍ୱ:
କାର୍ତ୍ତିକ ମାସରେ ମହାପ୍ରସାଦ ସେବନ ପାଇଁ ଆନନ୍ଦ ବଜାରରେ ଅଧିକ ଭିଡ଼ ହେବାର ଆଶଙ୍କା ରହିଛି। ତେଣୁ ଭକ୍ତମାନେ ଯେପରି ସୁବିଧାରେ ମହାପ୍ରସାଦ ପାଇପାରିବେ ଏବଂ ଅଯଥା ଭିଡ଼ ନହେବ, ସେନେଇ ଆବଶ୍ୟକ ବ୍ୟବସ୍ଥା କରିବା ଉପରେ ଆଲୋଚନା ହୋଇଛି।

ଛତିଶା ନିଯୋଗର ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ନୀତି ନିର୍ଘଣ୍ଟ ଓ ଭକ୍ତଙ୍କ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ପୁରୀ ଏସ୍‌ପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ।

କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ କରିବାକୁ ପୁରୀ ଆସୁଥିବା ଭକ୍ତମାନେ ନୀତି ନିର୍ଘଣ୍ଟ ଓ ପ୍ରବେଶ-ପ୍ରସ୍ଥାନ ବ୍ୟବସ୍ଥା ସମ୍ପର୍କରେ ଆଗୁଆ ସୂଚନା ରଖିବା ଉଚିତ୍‌।

Add Zee News as a Preferred Source
TAGS:

About the Author

Sanjaya Kumar Mohapatra
Read More

ZEENEWS TRENDING STORIES