ଗଞ୍ଜାମ: ବାତ୍ୟା ‘ଅକଓ୍ୱାନ’ ପ୍ରଭାବରେ ପ୍ରବଳ ବର୍ଷା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଗଞ୍ଜାମ ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିବାକୁ ଆଜି ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ବର୍ଷା ପରବର୍ତ୍ତୀ ସ୍ଥିତି, ଜଳମଗ୍ନ ଅଞ୍ଚଳ ଓ ଚାଷଜମିର କ୍ଷୟକ୍ଷତି ସମ୍ପର୍କରେ ସେ ଅନୁଧ୍ୟାନ କରିବେ।
ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଗଞ୍ଜାମ ଗସ୍ତ କରିବେ। ଉଭୟେ ପୁରୁଷୋତ୍ତମପୁର ଓ ଛତ୍ରପୁର ଅଞ୍ଚଳ ପରିଦର୍ଶନ କରି ବନ୍ୟା ଓ ବର୍ଷା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିବେ। ଏନେଇ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।
ଜଳମଗ୍ନ ହୋଇଥିଲା ଅନେକ ଅଞ୍ଚଳ:
ବାତ୍ୟା ‘ଅକଓ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଥିଲା। ଛତ୍ରପୁର, ଚିକିଟି, ପୁରୁଷୋତ୍ତମପୁର, ଖଲ୍ଲିକୋଟ, ବେଗୁନିଆପଡ଼ା, ପାତ୍ରପୁର, ବ୍ରହ୍ମପୁର ଓ ପୋଲସରା ଅଞ୍ଚଳରେ ବର୍ଷାଜଳ ଜମି ରହିଥିଲା।
ବିଶେଷକରି ପ୍ରବଳ ବର୍ଷା ଯୋଗୁଁ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇଥିବାରୁ ଚାଷୀଙ୍କ ଫସଲ କ୍ଷତି ନେଇ ଚିନ୍ତା ବଢ଼ିଛି। ତେବେ ପୂର୍ବରୁ ବାତ୍ୟା ‘ଅର୍ଣ୍ଣବ’ ସମୟରେ ହୋଇଥିବା ଭଳି ବଡ଼ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ବର୍ଷା ଓ ବାତ୍ୟାଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ସହ ଜଳମଗ୍ନ ଅଞ୍ଚଳ ଓ ଚାଷଜମିର ପରିସ୍ଥିତି ଉପରେ ଗୁରୁତ୍ୱ ଦିଆଯିବ।