ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ, ୭୪ ବର୍ଷରେ ଆଖି ବୁଜିଲେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ
ଡାକ୍ତର ଅଶୋକ ମହାପାତ୍ର ଦେଶର ଜଣେ ପ୍ରତିଷ୍ଠିତ ସ୍ନାୟୁଶଲ୍ୟ ଚିକିତ୍ସକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ନୂଆଦିଲ୍ଲୀ ଏମ୍ସର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।
ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ଦେଶର ଚିକିତ୍ସା ଜଗତ ପାଇଁ ଦୁଃଖଦ ଖବର। ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ନୂଆଦିଲ୍ଲୀ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୯ଟା ୧୫ ମିନିଟ୍ରେ ୭୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଡାକ୍ତର ଅଶୋକ ମହାପାତ୍ର ଦେଶର ଜଣେ ପ୍ରତିଷ୍ଠିତ ସ୍ନାୟୁଶଲ୍ୟ ଚିକିତ୍ସକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ସେ ନୂଆଦିଲ୍ଲୀ ଏମ୍ସର ସ୍ନାୟୁବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବେ କାର୍ଯ୍ୟ କରିଥିବା ବେଳେ ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଥିଲେ।
ବିଶେଷକରି ଶିଶୁ ସ୍ନାୟୁଶଲ୍ୟ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ। ୨୦୧୭ରେ ଯୋଡ଼ାମୁଣ୍ଡ ଶିଶୁଙ୍କ ଜଟିଳ ଅସ୍ତ୍ରୋପଚାର ସହ ଜଡ଼ିତ ହୋଇ ସେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ଚିକିତ୍ସା କ୍ଷେତ୍ରରେ ତାଙ୍କର ଅସାଧାରଣ ଅବଦାନ ପାଇଁ ୨୦୨୪ରେ ତାଙ୍କୁ ଦେଶର ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଜଣେ ଦକ୍ଷ ଚିକିତ୍ସକ, ଶିକ୍ଷାବିତ୍ ଓ ମାନବସେବୀ ଭାବେ ଡାକ୍ତର ମହାପାତ୍ରଙ୍କ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।