Vice President of India: ଓଡ଼ିଶା ଗସ୍ତ ସାରି ଫେରିଲେ ଉପରାଷ୍ଟ୍ରପତି, ବିଧାୟକଙ୍କୁ ଦେଲେ ଗୁରୁମନ୍ତ୍ର
ଉପରାଷ୍ଟ୍ରପତି କହିଥିଲେ ଯେ, ଚଳିତ ଥର ଓଡ଼ିଶା ବିଧାନସଭାକୁ ୮୨ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ନେତୃତ୍ୱ ଓ ଅଭିଜ୍ଞତାର ଏକ ସୁନ୍ଦର ମିଶ୍ରଣ। ଏହି ସୁଯୋଗକୁ ଉପଯୋଗ କରି ବିଧାୟକମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଲୋକଙ୍କ ସମସ୍ୟା ଓ ବିଧାନସଭାର ମର୍ଯ୍ୟାଦାକୁ ପ୍ରାଥମିକତା ଦେବା ଆବଶ୍ୟକ।
ଭୁବନେଶ୍ୱର: ଓଡ଼ିଶା ଗସ୍ତ ଶେଷ କରି ଫେରିଛନ୍ତି ଦେଶର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ। ତାଙ୍କ ଗସ୍ତ ସମାପନ ଅବସରରେ ଭୁବନେଶ୍ୱର ବିମାନବନ୍ଦରଠାରେ ରାଜ୍ୟପାଳ ବ୍ରଜମୋହନ ରାମ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଆନୁଷ୍ଠାନିକ ବିଦାୟ ସମ୍ବର୍ଦ୍ଧନା ଜଣାଇଛନ୍ତି।
ଏହି ଗସ୍ତ ସମୟରେ ଉପରାଷ୍ଟ୍ରପତି ସପ୍ତଦଶ ଓଡ଼ିଶା ବିଧାନସଭାର ନବନିର୍ବାଚିତ ସଦସ୍ୟ ଓ ସଦସ୍ୟାମାନଙ୍କ ପାଇଁ ଆୟୋଜିତ 'ଦିଗ୍ଦର୍ଶନ କାର୍ଯ୍ୟକ୍ରମ'ରେ ଯୋଗଦେଇଥିଲେ। ଏହି ଅବସରରେ ବିଧାୟକମାନଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, କ୍ଷମତା ସହିତ ଦାୟିତ୍ୱ ମଧ୍ୟ ଆସିଥାଏ। ତେଣୁ ପ୍ରତ୍ୟେକ ବିଧାୟକ ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ଗ୍ରହଣ କରି ଆଗକୁ ବଢ଼ିବା ଉଚିତ।
ଉପରାଷ୍ଟ୍ରପତି କହିଥିଲେ ଯେ, ଚଳିତ ଥର ଓଡ଼ିଶା ବିଧାନସଭାକୁ ୮୨ ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ବିଧାୟକ ଆସିଛନ୍ତି। ଏହା ଯୁବ ନେତୃତ୍ୱ ଓ ଅଭିଜ୍ଞତାର ଏକ ସୁନ୍ଦର ମିଶ୍ରଣ। ଏହି ସୁଯୋଗକୁ ଉପଯୋଗ କରି ବିଧାୟକମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ, ଲୋକଙ୍କ ସମସ୍ୟା ଓ ବିଧାନସଭାର ମର୍ଯ୍ୟାଦାକୁ ପ୍ରାଥମିକତା ଦେବା ଆବଶ୍ୟକ।
ଅନ୍ୟପକ୍ଷରେ, ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ବିଧାୟକମାନଙ୍କୁ ଏକତାର ବାର୍ତ୍ତା ଦେଇଥିଲେ। ଆଗାମୀ ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାନସଭାର ମର୍ଯ୍ୟାଦା ଓ ଶୃଙ୍ଖଳା ବଜାୟ ରଖିବା ସହ ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଏବଂ ଜନସାଧାରଣଙ୍କ ବିକାଶ ପାଇଁ ଦଳମତ ନିର୍ବିଶେଷରେ ଏକାଠି ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଜଣାଇଥିଲେ।
ରାଜନୈତିକ ମତଭେଦ ଥିଲେ ମଧ୍ୟ ରାଜ୍ୟର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ ବୋଲି ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ନବନିର୍ବାଚିତ ବିଧାୟକମାନଙ୍କ ପାଇଁ ଏକ ମାର୍ଗଦର୍ଶନ ହୋଇଥିବା ବେଳେ ଆଗାମୀ ବିଧାନସଭା ଅଧିବେଶନକୁ ଶୃଙ୍ଖଳିତ ଓ ଫଳପ୍ରଦ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।