Amitabh Bachchan Threat: ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଢିଲ୍ଲୋନଙ୍କ ନାଁରେ ଥିବା ଏକ ସୋସିଆଲ ମିଡିଆ ଆକାଉଣ୍ଟରୁ ଉଭୟଙ୍କୁ ଧମକ ଦିଆଯାଇଥିବା ଏକ ପୋଷ୍ଟ ଭାଇରାଲ୍ ହେଉଛି। ଏହି ପୋଷ୍ଟରେ ମୁମ୍ବାଇରେ ୨୦୦ ଜଣ ସହଯୋଗୀ ପ୍ରସ୍ତୁତ ଥିବା ଦାବି କରାଯାଇଛି। ଏହାକୁ ନେଇ ବଲିଉଡ୍ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
ଦୁଇ ସହଯୋଗୀଙ୍କ ଗିରଫ ପରେ ଧମକପୂର୍ଣ୍ଣ ପୋଷ୍ଟ!
ଭାଇରାଲ୍ ପୋଷ୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଗୋଲ୍ଡି ଢିଲ୍ଲୋନଙ୍କ ଦୁଇ ସହଯୋଗୀ ବିକାଶ ଠାକୁର ଓ ଦୀପକ ସିଂହଙ୍କୁ ଗିରଫ କରିଛି। ତେବେ ଏହି ଗିରଫଦାରୀ ସତ୍ତ୍ୱେ ତାଙ୍କ ଯୋଜନା ଉପରେ କୌଣସି ପ୍ରଭାବ ପଡ଼ିନଥିବା ନେଇ ପୋଷ୍ଟରେ ଦାବି କରାଯାଇଛି।

ଏଥିସହ ମୁମ୍ବାଇରେ ତାଙ୍କର ଆହୁରି ୨୦୦ ଜଣ ସହଯୋଗୀ ପ୍ରସ୍ତୁତ ଥିବା ଉଲ୍ଲେଖ ରହିଛି। ଏହି ପୋଷ୍ଟରେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କୁ ଟାର୍ଗେଟ୍ କରି ଧମକ ଦିଆଯାଇଥିବା ଦାବି କରାଯାଇଛି।
୧୯୮୪ ଶିଖ୍ ବିରୋଧୀ ହିଂସାକୁ ନେଇ ଉଲ୍ଲେଖ:
ଗୋଲ୍ଡି ଢିଲ୍ଲୋନଙ୍କ ନାଁରେ ଭାଇରାଲ୍ ହେଉଥିବା ପୋଷ୍ଟରେ ୧୯୮୪ ମସିହାର ଶିଖ୍ ବିରୋଧୀ ହିଂସା ଘଟଣାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନଙ୍କୁ କେବେ କ୍ଷମା କରାଯିବ ନାହିଁ ବୋଲି ପୋଷ୍ଟରେ ଧମକପୂର୍ଣ୍ଣ ଭାଷା ବ୍ୟବହାର କରାଯାଇଛି। ଏହା ସହ ଶିଖ୍ ସମ୍ପ୍ରଦାୟ ବିରୋଧରେ କେହି କିଛି କହିଲେ ତାଙ୍କୁ ଶତ୍ରୁ ଭାବେ ଦେଖାଯିବ ବୋଲି ମଧ୍ୟ ଉଲ୍ଲେଖ ରହିଛି।
ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା:
ପୋଷ୍ଟରେ ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଧମକ ଦିଆଯାଇଛି। ଏପରିକି ବୁଲେଟ୍ପ୍ରୁଫ୍ ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ସେମାନଙ୍କୁ ଟାର୍ଗେଟ୍ କରାଯିବ ବୋଲି ଦାବି କରାଯାଇଛି।
ତେବେ ଏହି ସୋସିଆଲ ମିଡିଆ ପୋଷ୍ଟର ସତ୍ୟତା, ଆକାଉଣ୍ଟର ପ୍ରକୃତ ମାଲିକାନା ଏବଂ ଧମକର ଗମ୍ଭୀରତା ସମ୍ପର୍କରେ ଅଧିକାରୀକ ଯାଞ୍ଚ ଜରୁରୀ। ବଚ୍ଚନ ପରିବାରର ସୁରକ୍ଷା ଏବଂ ପୋଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।