Cyclone Akvan: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଶେଷରେ ବାତ୍ୟାର ରୂପ ନେଇଛି। ଏହି ସାମୁଦ୍ରିକ ଝଡ଼ର ନାମ ରଖାଯାଇଛି ‘AKVAN’। ଭାରତୀୟ ପାଣିପାଗ ବିଭାଗ (IMD)ର ନୂଆ ସୂଚନା ଅନୁଯାୟୀ, ଏହା ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆଗାମୀ ଦିନରେ ଏହା ଅଧିକ ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି।
୧୭ରେ ଭୀଷଣ, ୧୯ରେ ଅତି ଭୀଷଣ ବାତ୍ୟା:
IMDର ୧୬ ନଭେମ୍ବର ୨୦୨୬ର ସୂଚନା ଅନୁସାରେ, ବାତ୍ୟା ‘AKVAN’ ୧୬ ତାରିଖ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଥିଲା। ଏହା ଚେନ୍ନାଇଠାରୁ ପ୍ରାୟ ୬୧୦ କିଲୋମିଟର ପୂର୍ବରେ ରହିଥିଲା।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ନଭେମ୍ବର ୧୭ ତାରିଖ ସନ୍ଧ୍ୟା ସୁଦ୍ଧା ଏହା Severe Cyclonic Storm ବା ଭୀଷଣ ବାତ୍ୟାର ରୂପ ନେଇପାରେ। ପରେ ନଭେମ୍ବର ୧୯ ତାରିଖ ସକାଳ ସୁଦ୍ଧା Very Severe Cyclonic Storm ବା ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ଆକଳନ କରାଯାଇଛି।
The Deep Depression over SE & adjoining SW BoB intensified into Cyclonic Storm “Akvan” and lay over central parts of South & adjoining Westcentral BoB at 1730 IST of 16 Nov, about 610 km E of Chennai. Likely to intensify into SCS by 17 Nov evening and VSCS by 19 Nov morning. https://t.co/Lidf8uWved
— India Meteorological Department (@Indiametdept) November 16, 2026
ବିଶାଖାପାଟଣାଠାରୁ ୬୭୦ କିମି ଦୂରରେ ବାତ୍ୟା:
IMDର ଟ୍ରାକ୍ ମ୍ୟାପ୍ ଅନୁଯାୟୀ, ବାତ୍ୟା ‘AKVAN’ ବର୍ତ୍ତମାନ ଆନ୍ଧ୍ର ଉପକୂଳଠାରୁ ଦୂରରେ ସମୁଦ୍ର ମଧ୍ୟରେ ରହିଛି। ଏହା ବିଶାଖାପାଟଣାଠାରୁ ପ୍ରାୟ ୬୭୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏବଂ ଗୋପାଳପୁରଠାରୁ ପ୍ରାୟ ୭୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଥିବା ଦର୍ଶାଯାଇଛି।
୨୦ ତାରିଖରେ ନେଲୋର-ଟୁନି ମଧ୍ୟରେ ଲ୍ୟାଣ୍ଡଫଲ୍!
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟାଟି ଆଗକୁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ନଭେମ୍ବର ୨୦ ତାରିଖ ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚି ନେଲୋର ଓ ଟୁନି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି।
ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ନିରନ୍ତର ନଜର ରଖିଛି IMD। ଜାରି ହୋଇଥିବା ଟ୍ରାକ୍ ମ୍ୟାପ୍ରେ ବାତ୍ୟାର ସମ୍ଭାବ୍ୟ ଗତିପଥ ସହ ଅନିଶ୍ଚିତତାର କ୍ଷେତ୍ର (Cone of Uncertainty) ମଧ୍ୟ ଦର୍ଶାଯାଇଛି।
ସମୁଦ୍ର ଅଶାନ୍ତ, ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା:
ବାତ୍ୟାର ପ୍ରଭାବରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବାର ଆଶଙ୍କା ରହିଛି। IMDର ସୂଚନାରେ ସମୁଦ୍ରର ଅବସ୍ଥାକୁ Very Rough, High to Very High, Very High ଏବଂ Phenomenal ଶ୍ରେଣୀରେ ଦର୍ଶାଯାଇଛି। ଏହି କାରଣରୁ ମତ୍ସ୍ୟଜୀବୀଙ୍କ ପାଇଁ ସମୁଦ୍ରକୁ ଯିବା ଉପରେ କଟକଣା ଓ ମତ୍ସ୍ୟଧରା କାର୍ଯ୍ୟକଳାପ ବନ୍ଦ ରଖିବାକୁ ସତର୍କତା ଦର୍ଶାଯାଇଛି।
ବାତ୍ୟାର ପ୍ରଭାବ ଓଡ଼ିଶାର ପାଣିପାଗ ଉପରେ ମଧ୍ୟ ପଡ଼ିପାରେ। ତେଣୁ ଆଗାମୀ ଦିନରେ ପାଣିପାଗ ବିଭାଗର ପରବର୍ତ୍ତୀ ବୁଲେଟିନ୍ ଉପରେ ନଜର ରଖିବା ସହ ସରକାରୀ ସତର୍କ ସୂଚନା ଅନୁସରଣ କରିବା ଜରୁରୀ।