Ganjam Flood: ଗଞ୍ଜାମ ବନ୍ୟା ପାଇଁ ୨୪ ବର୍ଷର ବିଫଳତା ଦାୟୀ: BJD ଉପରେ ବର୍ଷିଲେ ରାଜସ୍ୱ ମନ୍ତ୍ରୀ
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୮, ୨୯ ଓ ୩୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିଲା। ମାତ୍ର ୩ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ପାତ୍ରପୁରରେ ଏହି ସମୟ ମଧ୍ୟରେ ୮୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।
Ganjam Flood: ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟ୍ କରି ବିସ୍ତୃତ ସୂଚନା ଦେଇଛନ୍ତି। ଗଞ୍ଜାମର ବନ୍ୟା ସ୍ଥିତି ପାଇଁ ପୂର୍ବର ୨୪ ବର୍ଷର ସରକାରଙ୍କ ବିଫଳତାକୁ ଦାୟୀ କରିଛନ୍ତି ମନ୍ତ୍ରୀ। ଜିଲ୍ଲାର ବିଭିନ୍ନ ନଦୀ ଓ ଡ୍ୟାମ୍ରେ ଜଳ ପରିଚାଳନା ବ୍ୟବସ୍ଥାକୁ ନେଇ ମଧ୍ୟ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବିଭିନ୍ନ ନଦୀରେ ଜଳ ନିଷ୍କାସନ ବ୍ୟବସ୍ଥାକୁ ଅଟୋମେଟିକ୍ ରଖାଯାଇଥିଲା। ଫଳରେ ଅତ୍ୟଧିକ ବର୍ଷା ଯୋଗୁଁ ଅଚାନକ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିଲା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ ସରକାରଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିଲା। କିନ୍ତୁ ଆକଳନଠାରୁ ଅଧିକ ବର୍ଷା ହେବାରୁ ପରିସ୍ଥିତି ଜଟିଳ ହୋଇଥିଲା ବୋଲି ସେ କହିଛନ୍ତି।
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୮, ୨୯ ଓ ୩୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମରେ ବନ୍ୟା ସ୍ଥିତି ଉପୁଜିଥିଲା। ମାତ୍ର ୩ ଦିନ ମଧ୍ୟରେ ଜିଲ୍ଲାରେ ମୋଟ ୩୩୭.୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା। ସେହିପରି ପାତ୍ରପୁରରେ ଏହି ସମୟ ମଧ୍ୟରେ ୮୦୮.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗୋଟିଏ ଦିନରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।
ବନ୍ୟା ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ସୁଚାରୁ ଭାବେ ପରିଚାଳନା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଆଗାମୀ ଦିନରେ ଏଭଳି ବନ୍ୟା ସ୍ଥିତିର ସଠିକ୍ ମୁକାବିଲା ପାଇଁ ବିଭିନ୍ନ IIT ସହ ଆଲୋଚନା କରାଯିବ। ଜଳ ପରିଚାଳନା ଓ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଅଧିକ ବୈଜ୍ଞାନିକ ଓ ଉନ୍ନତ କରିବା ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ସେ ସୂଚନା ଦେଇଛନ୍ତି।
ଏହା ସହିତ ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ସୁରେଶ ପୂଜାରୀ କହିଛନ୍ତି ଯେ, ପୂର୍ବର ୨୪ ବର୍ଷର ସରକାର ନିଜ ବିଫଳତା ଲୁଚାଇବା ପାଇଁ ବର୍ତ୍ତମାନର ସରକାରଙ୍କୁ ଦୋଷ ଦେଉଛନ୍ତି। ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧୀ ତଥ୍ୟ ଓ ପ୍ରମାଣ ସହ ଏହି ପ୍ରସଙ୍ଗରେ ଉତ୍ତର ରଖନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି।
ପୂର୍ବର ବାତ୍ୟା ଓ ବିପର୍ଯ୍ୟୟ ସମୟରେ ହୋଇଥିବା ଜୀବନହାନିର ଉଦାହରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ, ତିତ୍ଲି ବାତ୍ୟା ସମୟରେ ୭୨ ଜଣ ଏବଂ ଫନି ବାତ୍ୟା ସମୟରେ ୬୫ ଜଣଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନର ସରକାର ଶୂନ୍ୟ ମୃତ୍ୟୁ ବା ‘ଜିରୋ କାଜୁଆଲିଟି’କୁ ପ୍ରାଥମିକତା ଦେଉଛନ୍ତି। ତେବେ ପାହାଡ଼ରୁ ହଠାତ୍ ପଥର ଖସିବା ଭଳି ଘଟଣାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ବନ୍ୟା ପରିଚାଳନାକୁ ନେଇ ରାଜ୍ୟରେ ରାଜନୈତିକ ବୟାନବାଜି ଜାରି ରହିଥିବା ବେଳେ ଆଗାମୀ ଦିନରେ ଜଳ ପରିଚାଳନା ବ୍ୟବସ୍ଥାରେ କି ପ୍ରକାର ପରିବର୍ତ୍ତନ ଆସୁଛି, ତାହା ଉପରେ ନଜର ରହିବ।