Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Cyclone Murasu 2026: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୁରାସୁ’ କ୍ରମଶଃ ଶକ୍ତିଶାଳୀ ହେବାରେ ଲାଗିଛି। ପ୍ରାୟ ୨୦ କିଲୋମିଟର ବେଗରେ ଆଗକୁ ବଢ଼ୁଥିବା ଏହି ବାତ୍ୟା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ବା ‘ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ’ର ରୂପ ନେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅଧିକ ଶକ୍ତିଶାଳୀ ହୋଇପାରେ। ପରବର୍ତ୍ତୀ ସମୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି।
2.Flood Relief: ରାଜ୍ୟର ବନ୍ୟା ପ୍ରଭାବିତ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ କ୍ଷୟକ୍ଷତି ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫସଲ ନଷ୍ଟଠାରୁ ଆରମ୍ଭ କରି ଘର ଭାଙ୍ଗିବା ଓ ବ୍ୟବସାୟିକ କ୍ଷତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ସହାୟତା ମିଳିବ। ଏଥିସହ ବନ୍ୟା ପ୍ରଭାବିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ। ଘୋଷଣା ଅନୁଯାୟୀ, ଅଣଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୮ ହଜାର ୫୦୦ ଟଙ୍କା ସହାୟତା ମିଳିବ। ସେହିପରି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ୧୭ ହଜାର ଟଙ୍କା ଏବଂ ବାରମାସୀ ଫସଲ କ୍ଷତି ପାଇଁ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯିବ।
3.Odisha Weather: ପାଣିପାଗ ବିଭାଗର ନଭେମ୍ବର ୫ ତାରିଖ ପାଇଁ ଜାରି ମାନଚିତ୍ରରେ ରାଜ୍ୟର କେତେକ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ଝଟକା ପବନର ସମ୍ଭାବନା ଦର୍ଶାଯାଇଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଆଦି ରହିଛି।
4.School Closed: ଏନେଇ ଘୋଷଣା ଅନୁସାରେ, ଆସନ୍ତାକାଲିଠାରୁ ୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ, କଲେଜ ବନ୍ଦ ରହିବ। ବାତ୍ୟା ଯୋଗୁଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଘୋଷଣା ଅନୁଯାୟୀ, ଆସନ୍ତାକାଲିଠାରୁ ନଭେମ୍ବର ୪ ତାରିଖ ଯାଏଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବାତ୍ୟା ଯୋଗୁଁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରଭାବକୁ ଆକଳନ କରି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ପାଣିପାଗ ପରିସ୍ଥିତି ଉପରେ ନଜର ରଖିବା ସହ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
5.INDIA Alliance: ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ INDIA ମେଣ୍ଟ ପକ୍ଷରୁ ଆୟୋଜିତ ମହାରାଲିରେ କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିଜ ଅଭିଭାଷଣରେ ସେ ଜ୍ଞାନେଶ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ପଦରୁ ହଟାଇବା ସହ ଜେଲ୍ ପଠାଯିବ ବୋଲି ଦାବି କରିଛନ୍ତି। ଏଥିସହ ଦେଶ କେବଳ ୨-୩ ଜଣଙ୍କ ହାତରେ ସୀମିତ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
6.Land slide: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଏଯାଏଁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ମୃତକଙ୍କ ପରିଚୟ ମଧ୍ୟ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଜାରି ରହିଛି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ଏନଡିଆରଏଫ୍ ଟିମ୍ ସହ ରେଲୱେର ଏକ ଟିମ୍ ମଧ୍ୟ ଏହି ଅପରେସନରେ ନିୟୋଜିତ ଅଛନ୍ତି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି। ତେବେ ଘଟଣାସ୍ଥଳକୁ ଯିବା ପାଇଁ ରାସ୍ତା ନଥିବାରୁ ବଡ଼ କ୍ରେନ୍ ପହଞ୍ଚିବା ସମ୍ଭବ ନୁହେଁ। ତେଣୁ ଭୂସ୍ଖଳନରେ ଖସିପଡ଼ିଥିବା ବଡ଼ ବଡ଼ ପଥରଗୁଡ଼ିକୁ ନିୟନ୍ତ୍ରିତ ବିସ୍ଫୋରଣ ବା କଣ୍ଟ୍ରୋଲ୍ ବ୍ଲାଷ୍ଟିଂ ମାଧ୍ୟମରେ ହଟାଇବାକୁ ଯୋଜନା କରାଯାଇଛି। ଉଦ୍ଧାରକାରୀ ଦଳ ସତର୍କତାର ସହ କାର୍ଯ୍ୟ ଜାରି ରଖିଛନ୍ତି।
7.Reshuffle at the ips: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। ଜେଲ ବିଭାଗ ଡିଜି ସୁଶାନ୍ତ ନାଥ ହେଲେ ଗୃହ ବିଭାଗ OSD। SFSL ନିର୍ଦ୍ଦେଶକ ସନ୍ତୋଷ ବାଲାଙ୍କୁ ଜେଲ ବିଭାଗ ଡିଜି ଅତିରିକ୍ତ ଦାୟିତ୍ବ ମିଳିଛି। ଅମିତାଭ ଠାକୁରଙ୍କୁ କଟକ ପରିବହନ କମିଶନର ଦାୟିତ୍ବ ମିଳିଛି। ସେହିପରି ରାଜେଶ କୁମାରଙ୍କୁ ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସାରା ଶର୍ମା ଭିଜିଲାନ୍ସ DIG ହୋଇଛନ୍ତି। ଝାରସୁଗୁଡା ଏସପି ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ପୋଲିସ ମୁଖ୍ୟାଳୟ AIG ଭାବେ ପଦୋନ୍ନତୀ ପାଇଛନ୍ତି।
8.Money Laundering Case: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଆଜମ ଖାନ୍ଙ୍କ ଅଡୁଆ ବଢ଼ିଛି। ପାନ୍ କାର୍ଡ ମାମଲାରେ ଜାମିନ ପାଇ ରାମପୁର ଜେଲରୁ ମୁକୁଳିବାର ମାତ୍ର ୧୫ ମିନିଟ୍ ମଧ୍ୟରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏବେ ଗାଜିଆବାଦର ସ୍ୱତନ୍ତ୍ର PMLA କୋର୍ଟ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହାଜତକୁ ପଠାଇଛନ୍ତି। ତାଙ୍କୁ ଡାସନା ଜେଲରେ ରଖାଯିବ।
9.Sunelita Toppo: ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ। ଭାରତୀୟ ହକିର ଉଦୀୟମାନ ଖେଳାଳି ସୁନେଲିତା ଟପ୍ପୋଙ୍କୁ ୨୦୨୬ ବର୍ଷ ପାଇଁ ମର୍ଯ୍ୟାଦାଜନକ ୩୪ତମ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ହକି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବାକୁ ଯାଉଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକଲବ୍ୟ ପୁରସ୍କାର କମିଟିର ବୈଠକରେ ସର୍ବସମ୍ମତିକ୍ରମେ ସୁନେଲିତାଙ୍କ ନାମ ଚୟନ କରାଯାଇଛି। ଏହି ପୁରସ୍କାର ସହ ତାଙ୍କୁ ୭ ଲକ୍ଷ ଟଙ୍କାର ନଗଦ ରାଶି ଏବଂ ଟ୍ରଫି ପ୍ରଦାନ କରାଯିବ। ଆଗାମୀ ପୁରସ୍କାର ସମାରୋହରେ ତାଙ୍କୁ ଔପଚାରିକ ଭାବେ ଏହି ସମ୍ମାନ ପ୍ରଦାନ କରାଯିବ।
10.OCA: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA)ର ବହୁ ପ୍ରତୀକ୍ଷିତ ନିର୍ବାଚନକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଡିସେମ୍ବର ୨୪ ତାରିଖରେ କଟକରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଶେଷ ହେବା ପରେ ଓସିଏର ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ଓସିଏ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଓସିଏର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ପ୍ରଥମେ ଡିସେମ୍ବର ୨୪ର ଅନ୍ତର୍ଜାତୀୟ ମ୍ୟାଚ୍କୁ ସଫଳତାର ସହ ଆୟୋଜନ କରିବା ଏବଂ ଏହାପରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ସଦସ୍ୟମାନେ ସହମତି ପ୍ରକାଶ କରିଛନ୍ତି।