SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Written By Priyambada Rana Edited By Priyambada Rana
Published: Nov 02, 2026, 10:07 PM IST | Updated: Nov 02, 2026, 10:13 PM IST
Image Credit: Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Join

1.Cyclone Update: ବଙ୍ଗୋପସାଗରର ପଶ୍ଚିମ-ମଧ୍ୟ ଭାଗରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ମୁରାସୁ’ (MURASU) ଏବେ ଅଧିକ ଶକ୍ତିଶାଳୀ ହୋଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଏହି ବାତ୍ୟା ନଭେମ୍ବର ୨ ତାରିଖ ମଧ୍ୟରାତ୍ରିରୁ ନଭେମ୍ବର ୩ ତାରିଖ ଭୋର୍‌ ମଧ୍ୟରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ‘ମୁରାସୁ’ ନେଲ୍ଲୋର ଓ ନରସାପୁର ମଧ୍ୟରେ, ଓଙ୍ଗୋଲେର ଦକ୍ଷିଣ ଭାଗ ଦେଇ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

2.Low Pressure: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ଏବଂ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ମଧ୍ୟରେ ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ସମସ୍ତ ବୋଟ୍ ଓ ଡଙ୍ଗା ପାରାଦୀପ ମାଛଧରା ବନ୍ଦରକୁ ଫେରିଆସିଛନ୍ତି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି ହେବା ପରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସିଛନ୍ତି।

3.Cyclone Relief Package: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷାରେ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ରାଜ୍ୟକୁ ଆସୁଛି ୮ ଜଣିଆ କେନ୍ଦ୍ରୀୟ ଟିମ୍। ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଓଡ଼ିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

4.Dr Ashok Mahapatra: ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ବ୍ରେନ୍ ଷ୍ଟ୍ରୋକ୍‌ରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଡାକ୍ତର ଅଶୋକ ମହାପାତ୍ର ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅସୁସ୍ଥତା ଖବର ପରେ ଶୁଭେଚ୍ଛୁ ଓ ଚିକିତ୍ସା ଜଗତରେ ଚିନ୍ତା ପ୍ରକାଶ ପାଇଛି।

5.Crime News: ରୋଷେଇକୁ କେନ୍ଦ୍ର କରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡଗୋଳରୁ ଘଟିଲା ଅଭାବନୀୟ ଘଟଣା। ଉତ୍ତ୍ୟକ୍ତ ହୋଇ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ଅନ୍ତର୍ଗତ ପଦୁଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି କବିତା ସାଉଁନ୍ତା। ଘଟଣା ପରେ ପୋଲିସ ଅଭିଯୁକ୍ତ ସ୍ୱାମୀ ରାବଙ୍କୁ ଗିରଫ କରିଛି। ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ତାଙ୍କର ୪ ଜଣ ଶିଶୁ। ଏହି ଘଟଣାରେ ପିଲାମାନେ ମା’ ଛେଉଣ୍ଡ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ବଡ଼ ଝିଅ ତୁନପାରରେ ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଛି। ମା’ଙ୍କ ମୃତ୍ୟୁ ପରେ ପିଲାମାନେ ବଡ଼ମା’ଙ୍କ ଘରେ ଆଶ୍ରୟ ନେଇଥିଲେ। ଏଭଳି ଦୁଃଖଦ ପରିସ୍ଥିତିରେ ଥିବା ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଛି।

6.Panchang Weather Prediction: ଓଡ଼ିଶାରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଓ ପରବର୍ତ୍ତୀ ବର୍ଷାକୁ ନେଇ ଚିନ୍ତା ଦୂର ହୋଇନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନଭେମ୍ବର ୧୩ରୁ ୧୫ ତାରିଖ ମଧ୍ୟରେ ବାତ୍ୟା, ପ୍ରବଳ ବାୟୁ ପ୍ରବାହ, ଉଚ୍ଚ ଜୁଆର, ଲଘୁଚାପ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି କେତେକ ପଞ୍ଜିକାରେ ଆକଳନ ଥିବା ଦାବି କରାଯାଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ବଢ଼ିଛି।

7.Panchayat Election: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକା ଓ ବୁଥ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ଡୋର୍-ଟୁ-ଡୋର୍ ସର୍ଭେ ଆରମ୍ଭ ହୋଇଛି। ଗୋଟିଏ ପରିବାରର ସମସ୍ତ ଭୋଟର ଯେପରି ଗୋଟିଏ ବୁଥ୍‌ରେ ମତଦାନ କରିପାରିବେ ଏବଂ ଭୋଟରମାନେ ନିଜ ଅଞ୍ଚଳର ନିକଟସ୍ଥ ବୁଥ୍‌ରେ ଭୋଟ୍ ଦେଇପାରିବେ, ତାହା ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ସହରାଞ୍ଚଳରେ ଗୋଟିଏ ଅଞ୍ଚଳର ଲୋକଙ୍କୁ ମତଦାନ ପାଇଁ ୧୦ରୁ ୧୨ଟି ବୁଥ୍‌କୁ ଯିବାକୁ ପଡ଼ୁଛି। ସେହିପରି ଗ୍ରାମାଞ୍ଚଳରେ ମଧ୍ୟ ୱାର୍ଡ ଅନୁସାରେ ଭୋଟରଙ୍କ ନାମ ଠିକ୍ ଭାବେ ତାଲିକାଭୁକ୍ତ ହୋଇନଥିବା ଅଭିଯୋଗ ରହିଛି।

8.ACF Soumya Ranjan Case: ପୂର୍ବତନ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ୫ ବର୍ଷର ନ୍ୟାୟିକ ଲଢ଼େଇ ପରେ ଏବେ ନୂଆ ମୋଡ଼ ଆସିଛି। ଦୀର୍ଘଦିନ ଧରି ବୋହୂ ବିଦ୍ୟାଭାରତୀଙ୍କ ଗିରଫ ଦାବି କରିଆସୁଥିବା ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ଓ ମା’ ତୁଳସୀ ମହାପାତ୍ର ଏବେ ନ୍ୟାୟ ମିଳିବା ନେଇ ଆଶା ରଖିଛନ୍ତି। ସୁପ୍ରିମକୋର୍ଟ ଓ ହାଇକୋର୍ଟରୁ ଆଶ୍ୱସ୍ତି ନମିଳିବା ପରେ ବିଦ୍ୟାଭାରତୀ ଆତ୍ମସମର୍ପଣ କରିଛନ୍ତି। ଏହାପରେ ତାଙ୍କୁ ପାରଳାଖେମୁଣ୍ଡି ସବ୍‌ଜେଲ୍‌କୁ ପଠାଯାଇଛି। ପୁଅର ମୃତ୍ୟୁ ପରଠାରୁ ଭାଙ୍ଗିପଡ଼ିଥିବା ବୃଦ୍ଧ ବାପାମା’ ଏବେ ବି ନିଜ ପୁଅକୁ ଝୁରି ଲୁହ ଗଡ଼ାଉଛନ୍ତି। ନ୍ୟାୟ ପାଇଁ ଦୀର୍ଘ ପାଞ୍ଚ ବର୍ଷର ସଂଘର୍ଷ ପରେ ସେମାନେ ଏବେ ସବୁକିଛି ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଛାଡ଼ି ଦେଇଛନ୍ତି।

9.Actor Imran Khan: ବିରୋଧ ପ୍ରଦର୍ଶନ ମାମଲାରେ ବମ୍ବେ ହାଇକୋର୍ଟଙ୍କ ନିକଟରେ ବିନା ସର୍ତ୍ତରେ କ୍ଷମା ମାଗିଛନ୍ତି ଅଭିନେତା ଇମ୍ରାନ ଖାନ୍‌। ସୋମବାର କୋର୍ଟରେ ହାଜର ହୋଇ ସେ ଭବିଷ୍ୟତରେ କୌଣସି ବିରୋଧ ପ୍ରଦର୍ଶନରେ ସାମିଲ ନହେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଭାରତକୁ ଏକ ମହାନ ଦେଶ ବୋଲି କହିବା ସହ ସମ୍ବିଧାନ ପ୍ରତି ତାଙ୍କର ଗଭୀର ଭଲପାଇବା ଓ ସମ୍ମାନ ରହିଥିବା କୋର୍ଟଙ୍କୁ ଜଣାଇଛନ୍ତି। ଯେଉଁ ବିରୋଧ ପ୍ରଦର୍ଶନକୁ ନେଇ ବିବାଦ ଉପୁଜିଥିଲା, ସେଥିରେ ସାମିଲ ହେବା ତାଙ୍କର ଉଦ୍ଦେଶ୍ୟ ନଥିଲା ବୋଲି ଇମ୍ରାନ ସ୍ପଷ୍ଟ କରିଛନ୍ତି। କେବଳ ସେଠାରେ କ’ଣ ଘଟୁଛି ତାହା ଦେଖିବା ପାଇଁ ସେ ଯାଇଥିଲେ ବୋଲି କୋର୍ଟରେ କହିଛନ୍ତି।

10.Sarfaraz Khan: ରଣଜୀ ଟ୍ରଫିରେ ମୁମ୍ବାଇର ଷ୍ଟାର ବ୍ୟାଟର୍ ସରଫରାଜ ଖାନ୍‌ଙ୍କ ବ୍ୟାଟ୍‌ରୁ କ୍ରମାଗତ ଭାବେ ରନ୍ ବର୍ଷା ହେଉଛି। ଘରୋଇ କ୍ରିକେଟ୍‌ରେ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳୁନାହିଁ। ଶ୍ରୀଲଙ୍କା ଗସ୍ତରେ ସେ ଗୋଟିଏ ବି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଏବଂ ତିନୋଟି ‘ଏ’ ମ୍ୟାଚ୍ ପାଇଁ ମଧ୍ୟ ତାଙ୍କୁ ଚୟନ କରାଯାଇନାହିଁ। ଲଗାତାର ଉପେକ୍ଷାକୁ ନେଇ ଏବେ ସରଫରାଜ ନିଜ ମନର କଥା କହିଛନ୍ତି। ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି ଖୁଲାସା କରିବା ସହ ତାଙ୍କ ବାପାଙ୍କ ବ୍ୟତୀତ ଅନ୍ୟ କେହି ତାଙ୍କୁ ସମର୍ଥନ କରୁନଥିବା କଥା ମଧ୍ୟ କହିଛନ୍ତି।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES