Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
Top 10 News: ଚୁଟକିରେ ପଢ଼ନ୍ତୁ ଆଜି ଦିନ ତମାମର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର..
1.Cyclone Alert: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଶକ୍ତିଶାଳୀ ପାଣିପାଗ ପ୍ରଣାଳୀ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା Well Marked Low Pressure Area ବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଆହୁରି ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବା ସହ ୧୬ ନଭେମ୍ବର ସନ୍ଧ୍ୟା ଆଡ଼କୁ ଦକ୍ଷିଣ ଓ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିବାର ସମ୍ଭାବନା ରହିଛି।
2.Maoist Dump: ନୂଆପଡ଼ା ଜିଲ୍ଲାରେ ସୁରକ୍ଷା ବଳକୁ ବଡ଼ ସଫଳତା ମିଳିଛି। ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ଓ ଗର୍ଜନପାଣି ନିକଟସ୍ଥ ଜଙ୍ଗଲରୁ ମାଓବାଦୀଙ୍କ ଏକ ଡମ୍ପ ଠାବ କରିଛନ୍ତି ସୁରକ୍ଷା କର୍ମୀ। ଏହି ଡମ୍ପରୁ ୭ଟି IED ପ୍ରେସର କୁକର ବୋମା ଜବତ କରିଛି ଡିଷ୍ଟ୍ରିକ୍ଟ ଭଲଣ୍ଟାରୀ ଫୋର୍ସ (DVF)। ଏହି ଜବତ ପରେ ଅଞ୍ଚଳରେ ସୁରକ୍ଷା ବଳ ପକ୍ଷରୁ ଯାଞ୍ଚ ଓ ସତର୍କତା ବଢ଼ାଯାଇଛି।
3.Dilip Kumar Nayak: ବିଜେଡିରୁ ନିଲମ୍ବିତ ହୋଇଛନ୍ତି ନିମାପଡ଼ାର ପୂର୍ବତନ ବିଧାନସଭା ପ୍ରାର୍ଥୀ ଦିଲ୍ଲୀପ କୁମାର ନାୟକ। ଜାଲିଆତିପୂର୍ଣ୍ଣ ଓ ଦଳବିରୋଧୀ କାର୍ଯ୍ୟର ଅଭିଯୋଗରେ ଦଳ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ ପଦକ୍ଷେପ ନେଇଛି। ଶୃଙ୍ଖଳା କମିଟିର ରିପୋର୍ଟ ଆଧାରରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିଲମ୍ବନ କରାଯାଇଥିବା ଦଳୀୟ ମୁଖପାତ୍ର ଲେଲିନ ମହାନ୍ତି ସୂଚନା ଦେଇଛନ୍ତି।
4.Odisha High Court Judge: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ବହୁ ସଂଖ୍ୟକ ପଦ ଖାଲି ପଡ଼ିଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର। ଏହି ସମସ୍ୟାର ସମାଧାନ ସହ ଖାଲି ପଡ଼ିଥିବା ବିଚାରପତି ପଦଗୁଡ଼ିକୁ ତୁରନ୍ତ ପୂରଣ କରିବା ପାଇଁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।
5.Teachers Salary Hike: ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ପାଇଁ ଖୁସି ଖବର। ବଢ଼ିବ ଦରମା, ମିଳିବ ପଦୋନ୍ନତି। ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଶିକ୍ଷକ ଓ କର୍ମଚାରୀଙ୍କ ଦୀର୍ଘଦିନର ଦାବିକୁ ବିଚାର କରି ରାଜ୍ୟ ସରକାର ୧୫ଟି ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁସାରେ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ସହ ପଦୋନ୍ନତିର ସୁଯୋଗ ମିଳିବ। ଏହାସହ ବ୍ଲକ୍ଗ୍ରାଣ୍ଟରୁ ବଞ୍ଚିତ ଥିବା ୧୯୪ଟି ହାଇସ୍କୁଲକୁ ଅନୁଦାନଭୁକ୍ତ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଦୀର୍ଘଦିନ ଧରି ଦାବି ଉଠାଇ ଆସୁଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ଉପକୃତ ହେବାର ଆଶା ରହିଛି।
6.PM Awas Yojana: ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଆବାସ ବଣ୍ଟନର ଶୁଭାରମ୍ଭ ହୋଇଛି। ଶନିବାର ବଲାଙ୍ଗୀରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ଓଡ଼ିଶାକୁ ଅତିରିକ୍ତ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର ହୋଇଛି। ଫଳରେ ରାଜ୍ୟ ପାଇଁ ଏହି ପର୍ଯ୍ୟାୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆବାସ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି।
7.Chikiti MLA: ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କ ଏକ ଭିଡିଓକୁ ନେଇ ସୋସିଆଲ୍ ମିଡିଆରେ ଜୋରଦାର ବିବାଦ ସୃଷ୍ଟି ହୋଇଛି। ଅସଲି ଭିଡିଓକୁ AI ଟେକ୍ନୋଲୋଜି ଜରିଆରେ ବିକୃତ କରି ନକଲି ଭିଡିଓ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଭିଡିଓ ମାଧ୍ୟମରେ ବିଧାୟକଙ୍କୁ ସୋସିଆଲ୍ ମିଡିଆରେ ବଦନାମ ଓ ଅପମାନିତ କରିବାକୁ ଉଦ୍ୟମ ହୋଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
8.Pak Minister: ‘ଅପରେସନ୍ ସିନ୍ଦୂର’ ପରେ ପ୍ରଥମଥର ପାଇଁ ପାକିସ୍ତାନର ଜଣେ ମନ୍ତ୍ରୀ ଭାରତ ଆସିବାକୁ ଯାଉଛନ୍ତି। ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO)ର ଏକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ବୈଠକରେ ପାକିସ୍ତାନ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଡଃ ମୁସାଦିକ୍ ମସୁଦ ମଲିକ୍ ଯୋଗଦେବେ। ନଭେମ୍ବର ୧୪ ତାରିଖରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏକ ସରକାରୀ ବିବୃତି ଜରିଆରେ ଏହି ସୂଚନା ଦେଇଛନ୍ତି। ମଲିକ୍ ପାକିସ୍ତାନର ଶାସକ ଦଳ PML-N ସହ ଜଡ଼ିତ ଜଣେ ବରିଷ୍ଠ ରାଜନେତା ଏବଂ ସିନେଟ୍ ସଦସ୍ୟ। ସେ ମାର୍ଚ୍ଚ ୨୦୨୫ରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।
9.Political News: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭କୁ ନେଇ ଏବେଠାରୁ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP) ଓ କଂଗ୍ରେସ ମଧ୍ୟରେ ଆସନ ବଣ୍ଟନକୁ ନେଇ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାରି ମଧ୍ୟରେ ସପା ମୁଖ୍ୟ ଅଖିଳେଶ ଯାଦବ ଏକ ବଡ଼ ଖୁଲାସା କରିଛନ୍ତି। ତାଙ୍କ ଦାବି ଅନୁଯାୟୀ, ଉତ୍ତରପ୍ରଦେଶର ମୋଟ ୪୦୩ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୧୮୧ଟି ଆସନରେ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛି।
10.India U19 Team: ଏସିଆ କପ୍ରେ ଭାରତର ଦମଦାର ବିଜୟ। ଫାଇନାଲ୍ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଚାମ୍ପିଅନ୍ ହୋଇଛି ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଦଳ। ଓମାନରେ ଖେଳାଯାଇଥିବା ଏହି ରୋମାଞ୍ଚକର ଫାଇନାଲ୍ରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ଟି ୱିକେଟ୍ ହରାଇ ୩୩୭ ରନ୍ ସଂଗ୍ରହ କରିଥିଲା। ଏହାପରେ ଭାରତୀୟ ଯୁବ ଦଳ ଦମଦାର ପ୍ରଦର୍ଶନ କରି ମ୍ୟାଚ୍କୁ ନିଜ ପକ୍ଷକୁ ନେବା ସହ ଏସିଆ କପ୍ ଟ୍ରଫି ହାସଲ କରିଛି। ଭାରତୀୟ ଦଳର ଏହି ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ଭାରତୀୟ କ୍ରିକେଟ୍ ପାଇଁ ଏକ ଅବିଶ୍ୱସନୀୟ ଦିନ ବୋଲି କହିବା ସହ ଯୁବ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ସେ ଅତ୍ୟନ୍ତ ଗର୍ବିତ ବୋଲି ମତ ଦେଇଛନ୍ତି। ଏହି ବିଜୟ ଆଗାମୀ ଦିନରେ ଦେଶର ଯୁବପିଢ଼ିଙ୍କୁ କ୍ରିକେଟ୍ ଓ କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି।