1.Panchuka: ପଞ୍ଚୁକ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। କାର୍ତ୍ତିକ ମାସର ପବିତ୍ର ଅବସରରେ ଆଜି ଶ୍ରୀମନ୍ଦିରରେ ଗରୁଡ଼ ଉତ୍ଥାପନ ଦ୍ୱାଦଶୀ ନୀତି ଅନୁଷ୍ଠିତ ହେବ। ଏଥିସହ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦୁର୍ଲଭ ଡାଳିକିଆ ବେଶ ବା ତ୍ରିବିକ୍ରମ ବେଶରେ ସଜ୍ଜିତ ହେବେ। ଶ୍ରୀମନ୍ଦିରରେ ଅବକାଶ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ଏହି ମନୋରମ ବେଶ ଅନୁଷ୍ଠିତ ହେବ। ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।
2.Kotia Dispute: କୋଟିଆରେ ଅଶାନ୍ତି ସୃଷ୍ଟି ଓ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି କୋଟିଆ ପୋଲିସ। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଫାଟୁସିନେରୀ ଅଞ୍ଚଳର ବିଶୁ ପାଙ୍ଗୀ ଓ ଲିବୃ ହିମେରିକା। ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା, ରାସ୍ତା ଅବରୋଧ, ଗାଳିଗୁଲଜ, ହତ୍ୟା ଧମକ ଓ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗରେ BNSର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଘଟଣାକୁ ନେଇ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି।
3.Accident: ରାଜସ୍ଥାନରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା। ଦ୍ରୁତଗତିରେ ଆସୁଥିବା ଏକ କ୍ରୁଜର ଗାଡ଼ି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍ ପଛରେ ଜୋରଦାର ଧକ୍କା ଦେଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭରଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ମଧ୍ୟ ରହିଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି।
4.Dense Fog in Odisha: ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କୁହୁଡ଼ିର ପ୍ରକୋପ। ସକାଳୁ ସକାଳୁ ସହରର ବିଭିନ୍ନ ଅଞ୍ଚଳ ଘନ କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହିଥିବା ଦେଖିବାକୁ ମିଳିଛି। କୁହୁଡ଼ିର ମାତ୍ରା ଏତେ ଅଧିକ ରହିଥିଲା ଯେ ଦୃଶ୍ୟମାନ ଦୂରତା ହ୍ରାସ ପାଇ ମାତ୍ର ୧୦୦ ମିଟରରେ ପହଞ୍ଚିଥିଲା। ଏହା ସହିତ ରାଜଧାନୀରେ ହାଲୁକା ଶୀତ ଅନୁଭୂତ ହୋଇଛି।
5.Delhi AQI: ଦିଲ୍ଲୀବାସୀଙ୍କୁ ବାୟୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ଆରମ୍ଭ ହୋଇଛି। ରାଜଧାନୀର ବାୟୁ ଗୁଣବତ୍ତାରେ କିଛିଟା ସୁଧାର ଦେଖିବାକୁ ମିଳିଥିଲେ ମଧ୍ୟ ଏବେ ବି ପ୍ରଦୂଷଣ ସ୍ତର ଚିନ୍ତାଜନକ ରହିଛି। ନଭେମ୍ବର ୨୨ ତାରିଖରେ ଦିଲ୍ଲୀର ହାରାହାରି ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୨୩୬ ରେକର୍ଡ କରାଯାଇଛି, ଯାହା ଖରାପ (Poor) ଶ୍ରେଣୀରେ ରହିଛି। ତେବେ ସହରର ୪ଟି ଅଞ୍ଚଳରେ AQI ୩୦୦ ଅତିକ୍ରମ କରିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ITOରେ AQI ୨୮୬ ଏବଂ ଆନନ୍ଦ ବିହାରରେ ୨୫୧ ରେକର୍ଡ ହୋଇଛି। ଅନ୍ୟପଟେ ରାଜଧାନୀର ସର୍ବନିମ୍ନ ତାପମାତ୍ରା ପ୍ରାୟ ୧୪ ଡିଗ୍ରୀ ସେଲସିୟସ୍ ରହିଛି। ତାପମାତ୍ରା କମିବା ସହ ଶୀତର ପ୍ରକୋପ ମଧ୍ୟ ବଢ଼ିବାରେ ଲାଗିଛି।
6.Delhi AQI: ଦିଲ୍ଲୀ-NCRରେ ଶୀତର ପ୍ରକୋପ ବଢ଼ିବା ସହ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଛି। ପାହାଡ଼ିଆ ରାଜ୍ୟଗୁଡ଼ିକରେ ତୁଷାରପାତ ଜାରି ରହିଥିବା ବେଳେ ଦକ୍ଷିଣ ଭାରତରେ ବାତ୍ୟା ଅକଓ୍ୱାନର ପ୍ରଭାବରେ ପ୍ରବଳ ପବନ ଓ ବର୍ଷା ହେଉଛି। ଏହାର ପ୍ରଭାବରେ ଉତ୍ତର ଭାରତର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଓ କାକର ଦେଖାଦେଉଛି। ଅନ୍ୟପଟେ, ନଭେମ୍ବର ୨୧ ତାରିଖ ସକାଳେ ଦିଲ୍ଲୀର ୯ଟି ଅଞ୍ଚଳରେ AQI ୩୫୦ ଅତିକ୍ରମ କରିଥିବା ବେଳେ ୧୫ଟି ଅଞ୍ଚଳରେ ୩୦୦ରୁ ଅଧିକ ରେକର୍ଡ ହୋଇଛି। ଦିଲ୍ଲୀର ସାମଗ୍ରିକ AQI ୨୭୯ ରହିଛି। ଶୀତ ସହ ବିଷାକ୍ତ ବାୟୁ ଦିଲ୍ଲୀ-NCRବାସୀଙ୍କ ପାଇଁ ଦୁଇଗୁଣ ଚିନ୍ତାର କାରଣ ପାଲଟିଛି।
7.Mexico Violence Killed 11: ମେକ୍ସିକୋର ସିନାଲୋଆ ରାଜ୍ୟରେ କୁଖ୍ୟାତ ଡ୍ରଗ୍ସ ମାଫିଆ ଫାଉଷ୍ଟୋ ଇସିଡ୍ରୋ ମେଜା ଫ୍ଲୋରେସ୍ ଓରଫ୍ ‘ଏଲ୍ ଚାପୋ ଇସିଡ୍ରୋ’ ଗିରଫ ହେବା ପରେ ଭୟଙ୍କର ହିଂସାକାଣ୍ଡ ଘଟିଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କାର୍ଟେଲର ୭ ଜଣ ସନ୍ଦିଗ୍ଧ ବନ୍ଧୁକଧାରୀ ଏବଂ ମେକ୍ସିକୋର ୪ ଜଣ ସୈନିକ ରହିଛନ୍ତି। ଆମେରିକାର ଗୁଇନ୍ଦା ସଂସ୍ଥାର ସହଯୋଗରେ ମେକ୍ସିକୋ ସୁରକ୍ଷା ବାହିନୀ ଏକ ସ୍ୱତନ୍ତ୍ର ଅପରେସନ୍ କରି ଡ୍ରଗ୍ସ କାର୍ଟେଲ ମୁଖ୍ୟଙ୍କୁ ଗିରଫ କରିଥିଲା। ଏହାପରେ କାର୍ଟେଲ ସଦସ୍ୟ ଓ ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇ ହିଂସାକାଣ୍ଡର ରୂପ ନେଇଥିଲା।
8.Job Scam: ବଲାଙ୍ଗିରରେ ଚାକିରି ଦେବା ନାଁରେ ଏକାଧିକ ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ଶିକ୍ଷକ, ଇଞ୍ଜିନିୟର ଓ ପିଅନ ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଅଭିଯୁକ୍ତ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି। ଶିକ୍ଷକ ଚାକିରି ପାଇଁ ୮ ଲକ୍ଷ ଏବଂ ଇଞ୍ଜିନିୟର ପଦବୀ ପାଇଁ ୪ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ରହିଛି। ଏନେଇ ପୁଇଁତଳା ଥାନାରେ ଲିଖିତ ଅଭିଯୋଗ ପରେ ବୁବେଲ ଗାଁର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଗତ ୩ ବର୍ଷ ଧରି ବରଗଡ଼ ଓ ବଲାଙ୍ଗିର ଜିଲ୍ଲାର ଅନେକ ଯୁବକ ଏହି ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି।
9.Israel Politics: ଇସ୍ରାଏଲରେ ନୂଆ ସରକାର ଗଠନକୁ ନେଇ ରାଜନୈତିକ ତତ୍ପରତା ଜୋରଦାର ହୋଇଛି। ନୂଆ ମେଣ୍ଟ ଗଠନ ପାଇଁ ନେତନ୍ୟାହୁଙ୍କ ଦକ୍ଷିଣପନ୍ଥୀ ଲିକୁଡ୍ ପାର୍ଟିକୁ ପୁଣିଥରେ ଆଲୋଚନା ପାଇଁ ଡାକିଛନ୍ତି ୟଶର ପାର୍ଟି ମୁଖ୍ୟ ତଥା ପୂର୍ବତନ IDF ମୁଖ୍ୟ ଆଇଜେନ୍କୋଟ। ଆଜିଠାରୁ ଉଭୟ ପକ୍ଷ ମଧ୍ୟରେ ସରକାର ଗଠନ ନେଇ ଆଲୋଚନା ହେବ। ଡିସେମ୍ବର ସୁଦ୍ଧା ସରକାର ଗଠନ କରିବାକୁ ଆଇଜେନ୍କୋଟଙ୍କ ପାଖରେ ସମୟ ରହିଛି। ଚଳିତ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନାହିଁ। ନେତନ୍ୟାହୁଙ୍କ ମେଣ୍ଟକୁ ୫୩ଟି, ଆଇଜେନ୍କୋଟଙ୍କ ମେଣ୍ଟକୁ ୪୮ଟି ଏବଂ ଆରବ ସଂଖ୍ୟାଗରିଷ୍ଠ ଦଳଗୁଡ଼ିକୁ ୧୯ଟି ଆସନ ମିଳିଥିବାରୁ ସରକାର ଗଠନ ପାଇଁ ମେଣ୍ଟ ରାଜନୀତି ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
10.IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଆଉ ଜଣେ ପୂର୍ବତନ ସଦସ୍ୟ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇପାରନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍ ଜରିଆରେ ମୁମ୍ବାଇ ଛାଡ଼ି ପଞ୍ଜାବ କିଙ୍ଗ୍ସରେ ଯୋଗଦେବା ପରେ ଏବେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପାରସ ମାମ୍ବ୍ରେଙ୍କ ନାମ ଚର୍ଚ୍ଚାକୁ ଆସିଛି। ମୁମ୍ବାଇ ଇଣ୍ଡିଆନ୍ସ ସହ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିବାରୁ ସେ ପଞ୍ଜାବ କିଙ୍ଗ୍ସରେ ବୋଲିଂ କୋଚ୍ ଭାବେ ଯୋଗଦେଇପାରନ୍ତି। ତେବେ ଏନେଇ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଛି।