SOCIAL MEDIA

Newsletter

PARTNER SITES
भाषा चुनें राज्य चुनें

Odisha Police: ଅକ୍ଟୋବର ୨୧ରେ କାହିଁକି ପାଳନ ହୁଏ ପୋଲିସ ଶହୀଦ ଦିବସ? ଜାଣନ୍ତୁ ଏହାର ଇତିହାସ

କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ବାହିନୀ ପକ୍ଷରୁ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ମାଧ୍ୟମରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଯାଇଥିଲା।

Written By Priyambada Rana Edited By Priyambada Rana
Published: Oct 21, 2026, 12:27 PM IST | Updated: Oct 21, 2026, 12:34 PM IST
Image Credit: Odisha Police: ଅକ୍ଟୋବର ୨୧ରେ କାହିଁକି ପାଳନ ହୁଏ ପୋଲିସ ଶହୀଦ ଦିବସ? ଜାଣନ୍ତୁ ଏହାର ଇତିହାସ
Join

Odisha Police: ଦେଶ ଓ ମାତୃଭୂମିର ସୁରକ୍ଷା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା ବୀର ପୋଲିସ ଯବାନଙ୍କ ସ୍ମୃତିରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ୬୭ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅମର ଶହୀଦଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏଥିସହ ଶହୀଦଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ପୋଲିସ ବାହିନୀ ପକ୍ଷରୁ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ଶୋକଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା। ଏଥିସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ମାଧ୍ୟମରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଯାଇଥିଲା।

୧୯୫୯ର ବଳିଦାନକୁ ମନେ ପକାଇଲେ ଡିଜିପି:
ଡିଜିପି ବିନୟତୋଷ ମିଶ୍ର କହିଥିଲେ ଯେ, ୧୯୫୯ ମସିହା ଅକ୍ଟୋବର ୨୧ ତାରିଖରେ ଲଦାଖ ଅଞ୍ଚଳରେ ଚୀନ ସୈନ୍ୟଙ୍କ ସହ ମୁକାବିଲା କରି ୧୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ। ସେହି ବୀର ଯବାନଙ୍କ ସାହସ, ଦେଶପ୍ରେମ ଓ ସର୍ବୋଚ୍ଚ ବଳିଦାନର ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖରେ ସାରା ଦେଶରେ ପୋଲିସ ଶହୀଦ ସ୍ମୃତି ଦିବସ ପାଳନ କରାଯାଉଛି।

ଚଳିତ ବର୍ଷ ଦେଶର ବିଭିନ୍ନ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ମୋଟ ୧୫୪ ଜଣ ଯବାନ କର୍ତ୍ତବ୍ୟ ସମ୍ପାଦନ ସମୟରେ ଶହୀଦ ହୋଇଥିବା ନେଇ କାର୍ଯ୍ୟକ୍ରମରେ ସୂଚନା ଦିଆଯାଇଥିଲା। ଏହି ବୀର ଯବାନଙ୍କ ଅତୁଳନୀୟ ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ସମଗ୍ର ପୋଲିସ ବାହିନୀ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।

ମାଓବାଦୀ ବିରୋଧୀ ଅଭିଯାନରେ ଶହୀଦ ଯବାନଙ୍କୁ ସମ୍ମାନ:
ଓଡ଼ିଶାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ଶହୀଦ ହୋଇଥିବା ଓଡ଼ିଶା ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ବଳିଦାନକୁ ମଧ୍ୟ ଡିଜିପି ସ୍ମରଣ କରିଥିଲେ। ସେମାନଙ୍କ ସାହସ, ତ୍ୟାଗ ଓ ନିରନ୍ତର ପ୍ରୟାସ ଯୋଗୁଁ ରାଜ୍ୟରେ ମାଓବାଦୀ ହିଂସାର ମୁକାବିଲା କରି ଶାନ୍ତି ପ୍ରତିଷ୍ଠା ଦିଗରେ ଅଗ୍ରଗତି ସମ୍ଭବ ହୋଇଛି ବୋଲି ସେ କହିଥିଲେ। ଶହୀଦ ଯବାନଙ୍କ ପରିବାରବର୍ଗ ଯେଉଁ ତ୍ୟାଗ ଓ ଧୈର୍ଯ୍ୟର ପରିଚୟ ଦେଇଛନ୍ତି, ତାହାକୁ ମଧ୍ୟ ଡିଜିପି ଉଚ୍ଚ ପ୍ରଶଂସା କରିଥିଲେ।

ଆଧୁନିକ ଆହ୍ୱାନର ମୁକାବିଲା ପାଇଁ ପୋଲିସକୁ ଆହ୍ୱାନ:
ବର୍ତ୍ତମାନ ସମୟରେ ପୋଲିସର ଦାୟିତ୍ୱ କେବଳ ଅପରାଧ ନିୟନ୍ତ୍ରଣରେ ସୀମିତ ନାହିଁ। ଆତଙ୍କବାଦ, ମାଓବାଦ, ସଂଗଠିତ ଅପରାଧ, ସାଇବର ଅପରାଧ ଓ ନିଶାଦ୍ରବ୍ୟ ଚୋରାଚାଲାଣର ମୁକାବିଲା ସହ ମହିଳା ଓ ଶିଶୁଙ୍କ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ଆଇନଶୃଙ୍ଖଳା ରକ୍ଷା ଭଳି ଅନେକ ଆହ୍ୱାନ ପୋଲିସ ସମ୍ମୁଖରେ ରହିଛି। ଏହି ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ପାଇଁ ପୋଲିସ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ନିରନ୍ତର ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଥିବା ଡିଜିପି କହିଥିଲେ।

ଏକ ସୁରକ୍ଷିତ, ଶାନ୍ତିପୂର୍ଣ୍ଣ ଓ ଅପରାଧମୁକ୍ତ ଓଡ଼ିଶା ଗଠନ ପାଇଁ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ସଚ୍ଚୋଟତା, ସାହସ ଓ ନିଷ୍ଠାର ସହ କାର୍ଯ୍ୟ କରିବା ସହ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ଅର୍ଜନ କରିବାକୁ ସେ ଆହ୍ୱାନ ଜଣାଇଥିଲେ।

ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ:
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ପ୍ରତୀକ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସ୍ମୃତି ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏଥିରେ ନିର୍ଦ୍ଦେଶକ (ଗୁଇନ୍ଦା) ଶ୍ରୀ ଆର୍. ପି. କୋଚେ, ନିର୍ଦ୍ଦେଶକ (ଭିଜିଲାନ୍ସ) ଶ୍ରୀ ୟଶବନ୍ତ କୁମାର ଜେଠୱା, ଅତିରିକ୍ତ ଡିଜିପି ଶ୍ରୀ ଏସ୍. କେ. ପ୍ରିୟଦର୍ଶୀ, ଡାକ୍ତର ସନ୍ତୋଷ ବାଲା, ଶ୍ରୀ ଅରୁଣ ବୋଥ୍ରା, ଶ୍ରୀ ଅସୀତ କୁମାର ପାଣିଗ୍ରାହୀ, ଶ୍ରୀ ସଞ୍ଜୟ କୁମାର, ଶ୍ରୀ ରାଜେଶ କୁମାର ଓ ଶ୍ରୀ ୟତୀନ୍ଦ୍ର କୋୟଲଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇ ଶହୀଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦେଶ ଓ ରାଜ୍ୟର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଏହି ବୀର ଯବାନଙ୍କ ସାହସ, ତ୍ୟାଗ ଓ ଦେଶପ୍ରେମ ଆଗାମୀ ପିଢ଼ି ପାଇଁ ସର୍ବଦା ପ୍ରେରଣା ହୋଇ ରହିବ।

Add Zee News as a Preferred Source
TAGS:

About the Author

I am Priyambada Rana, a journalist and content professional with experience in digital media and journalism. I previously worked with Krishi Jagran, where I gained experience in agricultural journalism and content creation. Currently, I am working as a Sub-Editor at India.com, focusing on content writing, editing, research, and producing engaging digital content for readers.
Read More

ZEENEWS TRENDING STORIES