Odisha Assembly: ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି, ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ଚିଟଫଣ୍ଡ ଟଙ୍କା ମିଳିଛି
ସରକାରୀ ଅଧିକାରୀ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ବିଧାୟକ । ସରକାରୀ କାର୍ଯ୍ୟରେ ଡକା ନ ଯାଇ ଉଦ୍ଘାଟନ କରାଯାଉଥିବା ଅଭିଯୋଗ ହୋଇଛି ।
Odisha Assembly: ଆଜି ବିଧାନସଭାର ଶୀତକାଳିନ ଅଧିବେଶନର ଚତୁର୍ଥ ଦିନରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ଗୃହ ଆରମ୍ଭରୁ ପ୍ରଥମେ ହୋହଲ୍ଲା କଂଗ୍ରେସ ବିଧାୟକ କରିଥିଲେ । କୋଟିଆ ପ୍ରସଙ୍ଗରେ ଆଲୋଚନା ଦାବି କରି ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଆଲୋଚନା ପାଇଁ ବାଚସ୍ପତିଙ୍କ ପ୍ରତିଶ୍ରୁତି ପରେ ନିଜ ଆସନରେ ବସିଥିଲେ କଂଗ୍ରେସ ସଦସ୍ୟ ।
ରାଜ୍ୟରେ ଦୁର୍ଘଟଣା ମୃତ୍ୟୁ ନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଗତ ୩ ବର୍ଷରେ ୧୮ ହଜାର ୩୬୪ ଜଣଙ୍କ ଜୀବନ ଯାଇଛି । ୨୦୨୩ରେ ୫୭୩୯, ୨୦୨୪ରେ ୬୧୪୨, ୨୦୨୫ରେ ୬୪୮୩ ମୃତ୍ୟୁବରଣ କରିଛନ୍ତି ।
ସରକାରୀ ଅଧିକାରୀ କଥା ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ବିଧାୟକ । ସରକାରୀ କାର୍ଯ୍ୟରେ ଡକା ନ ଯାଇ ଉଦ୍ଘାଟନ କରାଯାଉଥିବା ଅଭିଯୋଗ ହୋଇଛି । ଗୃହରେ କଂଗ୍ରେସ ବିଧାୟକ ସତ୍ୟଜିତ ଗମାଙ୍ଗୋ ଅଭିଯୋଗ କରିଛନ୍ତି । ସରକାରୀ ଅଧିକାରୀଙ୍କ ବ୍ୟବହାରକୁ ନେଇ ସମାଲୋଚନା କରିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋଶ । ଏଥିପାଇଁ ସରକାରୀ ବାବୁଙ୍କୁ ଟ୍ରେନିଂ ଦେବାକୁ ଦାବି କରିଛନ୍ତି ସୋଫିଆ । ପଞ୍ଚାୟତ ସମିତି ବୈଠକରେ ଡକା ଯାଉନି କହି କ୍ଷୋଭ ଝାଡ଼ିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ଅଭିଯୋଗକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । କଟକ RDCରେ ଖୁବ୍ଶୀଘ୍ର ଏଥିକ୍ସ କମିଟି ଦ୍ୱାରା ଟ୍ରେନିଂ କାର୍ଯ୍ୟକ୍ରମ କରାଯିବ ।
୩ ବର୍ଷରେ ୧୩ ପୋଲିସ ବାବୁଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ଖାକିରେ କଳଙ୍କ ନେଇ ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ନୂଆପଡ଼ାରୁ ଏପରି ଅଭିଯୋଗ ଆସିଛି । ରାଇରଙ୍ଗପୁର, କନ୍ଧମାଳ, କମିସନରେଟ ପୋଲିସରୁ ବି ଅଭିଯୋଗ ଆସିଛି । କଟକ କ୍ରାଇମବ୍ରାଞ୍ଚର ଜଣେ IIC ବି ଯୌନ ନିର୍ଯାତନାରେ ସାମିଲ ରହିଥିବା ଅଭିଯୋଗ ରହିଛି । ଭୁବନେଶ୍ୱର କମିସନରେଟ ପୋଲିସର ଜଣେ ASI ବି ଯୌନ ନିର୍ଯାତନାରେ ସାମିଲ ହୋଇଥିବା ଅଭିଯୋଗ ରହିଛି । ୬ ଗିରଫ, ୩ ଜଣଙ୍କୁ ନୋଟିସ୍, ଜଣେ ଜାମିନରେ ଅଛନ୍ତି ।
ରାଜ୍ୟରେ ମୁଣ୍ଡପିଛା ଋଣ ବଢ଼ିଛି । ଗୃହରେ ମୁଖ୍ୟମନ୍ତ୍ରୀ ଏନେଇ ଲିଖିତ ଉତ୍ତର ରଖିଛନ୍ତି । ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଋଣ ପହଞ୍ଚିଲାଣି ୨୭ ହଜାର ୫୦୨ ଟଙ୍କା । ଅକ୍ଟୋବର ପୂର୍ବରୁ ମୁଣ୍ଡ ପିଛା ଋଣ ଥିଲା ୨୬ ହଜାର ୧୩୩ ଟଙ୍କା । ରାଜ୍ୟର ଋଣ ଭାର ୧ ଲକ୍ଷ୍ୟ ୩୦ ହଜାର କୋଟି ଟଙ୍କା ଟପିଛି ।
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ଅଧିକାରୀ/କର୍ମଚାରୀ ଫସିଛନ୍ତି । ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଏବଂ ୨୩୭ଟି ଫନ୍ଦି ମାମଲା ହୋଇଛି । ୧୪୭ଟି ଅର୍ଥ ତୋଷରପାତ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ । ତନ୍ମଧ୍ୟରେ ୧୩୫ ପ୍ରଥମ ଶ୍ରେଣୀ, ୧୧୪ ଦ୍ଵିତୀୟ ଶ୍ରେଣୀ ଅଧିକାରୀ ରହିଛନ୍ତି । ୩୮୪ ତୃତୀୟ ଶ୍ରେଣୀ, ୧୪ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡ଼ିଛନ୍ତି । ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଭିତରୁ ୨୪୬ ସରକାରୀ ଅଧିକାରୀ/କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଆଜି ଚିଟ୍ଫଣ୍ଡ ଟଙ୍କା ଫେରସ୍ତର ତଥ୍ୟ ରଖିଛନ୍ତି ରାଜ୍ୟ ସରକାର । ୨ ଲକ୍ଷ ୩୯ ହଜାର ଜମାକାରୀଙ୍କୁ ୯୩ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଫେରିଛି । ଗଞ୍ଜାମର ୧ ଲକ୍ଷ ୧୪ ହଜାର ୪୦୧ ଜମାକାରୀଙ୍କୁ ୪୧ କୋଟି ୮୪ ଲକ୍ଷ ଫେରିଛି । ଗୋଲଡେନ୍ ଲ୍ୟାଣ୍ଡ, ହାଇଟେକ୍, ରୋଜ୍ ଭ୍ୟାଲି ଜମାକାରୀଙ୍କୁ ଫେରିଛି ଟଙ୍କା ।
ବର୍ତ୍ତମାନ ଓଡ଼ିଶା ପୋଲିସରେ ୨୬ ହଜାର ୧୦୧ ପଦବୀ ଖାଲି ରହିଥିବା ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୬ ହଜାର ୮୮୫ ପଦବୀ ପୂରଣ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଏହା ବ୍ୟତୀତ ୨୯୮ ASI ପଦବୀ ପୂରଣ ପାଇଁ OUSSSCକୁ କୁହାଯାଇଛି । ପୋଲିସ ବିଭାଗରେ ମୋଟ ୮୪,୨୩୭ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ।
ଆୟୁଷ୍ମାନ ଯୋଜନାରେ ଓଡ଼ିଶାରେ ରୋଗୀ ଚିକିତ୍ସା ନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଅଢ଼େଇ ବର୍ଷରେ ଆୟୁଷ୍ମାନ କାର୍ଡରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କ ଚିକିତ୍ସା ହୋଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ମୋଟ ୬,୮୭୭ କୋଟି ଟଙ୍କା । ୧୧ ଏପ୍ରିଲ ୨୦୨୫ରୁ ୧୯ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ସେହିପରି ଓଡ଼ିଶା ବାହାରେ ମଧ୍ୟ ୨ ଲକ୍ଷ ରୋଗୀଙ୍କ ଚିକିତ୍ସା ହୋଇଛି । ଓଡ଼ିଶା ବାହାରେ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୬୫୬ କୋଟି ଟଙ୍କା । ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସାରେ କଟକ ଆଗରେ ଏବଂ ଗଞ୍ଜାମ ଦ୍ୱିତୀୟରେ ରହିଛି ।
ଅନ୍ୟପଟେ, ଅଢ଼େଇ ବର୍ଷରେ ୨୦ଟି ସ୍ଥାନରେ ଅଭିଯୋଗ ଶୁଣାଣି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ ୧୫,୬୬୭ ଅଭିଯୋଗ ଆସିଥିବା ସମୟରେ ୧୪,୯୮୩ ମାମଲାର ସମାଧାନ । ଅର୍ଥାତ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି । ପ୍ରମିଳା ମଲ୍ଲିକଙ୍କ ପ୍ରଶ୍ନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି । ଏବେ କେବଳ ୬୮୪ଟି ମାମଲା ବିଚାରାଧୀନ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।
Also Read- ଟ୍ରକ୍ କ୍ଲିନରରୁ ଇଣ୍ଟରନେଟ୍ ସେନସେସନ୍ ପାଲଟିଲେ ଅରୁଣ: ଭାବବିହ୍ୟୁଳ କରିବ ସଂଘର୍ଷର କାହାଣୀ
Also Read- ରେଷ୍ଟୁରାଣ୍ଟରେ ଅଭିନେତ୍ରୀ ସୋମାଲିନଙ୍କ ସହ କଣ ଘଟିଲା ? ସାମ୍ନାକୁ ଆସିଲା ସତ !