୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ: ବିଜେବି କଲେଜରେ ଭୋଟିଂକୁ ନେଇ ଉତ୍ସାହ, କଡ଼ା ସୁରକ୍ଷା ବ୍ୟବସ୍ଥା
ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ କଲେଜରେ ମଧ୍ୟ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ଭୋଟ୍ ଦେବା ପାଇଁ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଧାଡ଼ିରେ ଠିଆ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି।
ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଜି ଅନୁଷ୍ଠିତ ହେଉଛି ବହୁ ପ୍ରତୀକ୍ଷିତ ଛାତ୍ର ସଂସଦ ନିର୍ବାଚନ। ନିଜ ନିଜର ପ୍ରତିନିଧି ବାଛିବା ପାଇଁ ଛାତ୍ରଛାତ୍ରୀମାନେ ମତଦାନ କରୁଛନ୍ତି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ପ୍ରକ୍ରିୟା ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିବ।
ରାଜଧାନୀ ଭୁବନେଶ୍ୱରର ପ୍ରମୁଖ ଶିକ୍ଷାନୁଷ୍ଠାନ ବିଜେବି ସ୍ୱୟଂଶାସିତ କଲେଜରେ ମଧ୍ୟ ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ଭୋଟ୍ ଦେବା ପାଇଁ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ଧାଡ଼ିରେ ଠିଆ ହୋଇ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି।
ଏଥର ନିର୍ବାଚନରେ ପ୍ରାର୍ଥୀଙ୍କ କାର୍ଯ୍ୟଦକ୍ଷତା ଓ କଲେଜର ବିକାଶକୁ ଛାତ୍ରଛାତ୍ରୀମାନେ ଗୁରୁତ୍ୱ ଦେଉଥିବା କହିଛନ୍ତି। କୌଣସି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ କିମ୍ବା ସଂଗଠନର ବ୍ୟାନର ଦେଖି ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ ଓ କଲେଜର ଉନ୍ନତି ପାଇଁ କିଏ କାମ କରିପାରିବେ, ତାହା ବିଚାର କରି ଭୋଟ୍ ଦେବେ ବୋଲି ସେମାନେ ମତ ଦେଇଛନ୍ତି।
ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଲେଜ ପରିସରକୁ ପ୍ରବେଶ ପୂର୍ବରୁ ଯାଞ୍ଚ କରାଯାଉଥିବା ବେଳେ ଅଣଛାତ୍ରଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଭୋଟ୍ ଗ୍ରହଣ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ, ସେଥିପାଇଁ ପ୍ରଶାସନ ସତର୍କ ରହିଛି।
ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କ୍ୟାମ୍ପସରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଏବେ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ ରହିଛି।