Bhubaneswar News: ଭୁବନେଶ୍ବରରେ ଆଜିଠୁ ଅର୍ବାନ୍ ମୋବିଲିଟି ଇଣ୍ଡିଆ କନଫରେନ୍ସ ଓ ଏକ୍ସପୋ, କାଲିଠୁ...
Bhubaneswar News: ସହରୀ ବିକାଶ ଓ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬।
Bhubaneswar News: ସହରୀ ବିକାଶ ଓ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଉଛି ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ (UMI) ସମ୍ମିଳନୀ ଓ ପ୍ରଦର୍ଶନୀ-୨୦୨୬। ଆଜି ଓ ଆସନ୍ତାକାଲି ଏହି ସମ୍ମିଳନୀ ଆୟୋଜିତ ହେବ। ଏହା ପରେ ଅକ୍ଟୋବର ୨୪ ଓ ୨୫ ତାରିଖରେ ଦ୍ୱିତୀୟ ଜାତୀୟ ସହରୀ ସମ୍ମିଳନୀ (National Urban Conclave 2026) ଅନୁଷ୍ଠିତ ହେବ। ଭୁବନେଶ୍ୱରର ହୋଟେଲ ମେଫେୟାର ସାଙ୍କ୍ଚୁଆରୀରେ ଏହି ଦୁଇଟି ଜାତୀୟ ସ୍ତରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ (MoHUA) ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଏହି ସମ୍ମିଳନୀଗୁଡ଼ିକ ଆୟୋଜିତ ହେଉଛି। ଏଥିରେ ଦେଶ ଓ ବିଦେଶର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ପରିବହନ ସଂସ୍ଥାର ପ୍ରତିନିଧି, ଗବେଷକ ଏବଂ ବିଭିନ୍ନ ଅଂଶୀଦାର ଯୋଗଦେଇ ଭାରତର ସହରଗୁଡ଼ିକର ଭବିଷ୍ୟତ ବିକାଶ ନେଇ ଆଲୋଚନା କରିବେ।
ଡିଜିଟାଲ୍ ଯୁଗରେ ସହରୀ ଗମନାଗମନ ଉପରେ ଗୁରୁତ୍ୱ:
ଚଳିତ ବର୍ଷ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଡିଜିଟାଲ୍ ଯୁଗରେ ସହରୀ ସୁଗମତା ଓ ବାସଯୋଗ୍ୟତା’। ସ୍ଥାୟୀ ଓ ପରିବେଶ ଅନୁକୂଳ ସାର୍ବଜନୀନ ପରିବହନ, ବିଭିନ୍ନ ପରିବହନ ମାଧ୍ୟମର ସମନ୍ୱୟ, ଯାତ୍ରାର ପ୍ରଥମ ଓ ଶେଷ ପର୍ଯ୍ୟାୟରେ ସଂଯୋଗୀକରଣ ଏବଂ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ଏଥିରେ ଆଲୋଚନା ହେବ।
ମୋବିଲିଟି ଆଜ୍ ସର୍ଭିସ୍ (MaaS) ଏବଂ ରିଅଲ୍ ଟାଇମ୍ ଜିପିଏସ୍ ଆଧାରିତ ସମାଧାନ ମାଧ୍ୟମରେ ଯାତ୍ରୀଙ୍କୁ କିପରି ସୁବିଧାଜନକ ଓ ନିରବଚ୍ଛିନ୍ନ ପରିବହନ ସେବା ଯୋଗାଇ ଦିଆଯାଇପାରିବ, ସେନେଇ ମଧ୍ୟ ଚର୍ଚ୍ଚା ହେବ। ଏହି ସମ୍ମିଳନୀରେ ପ୍ରାୟ ୧୫୦୦ ଜଣ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିନିଧି ଯୋଗଦେବାର ଆଶା ରହିଛି।
ଏହାବି ପଢନ୍ତୁ : Cyclone: ପୁଣି ବାତ୍ୟା ଭୟ! କେଉଁଠି କରିବ ଲ୍ୟାଣ୍ତଫଲ୍ ଓଡ଼ିଶା ନା ଆନ୍ଧ୍ର?
କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଟୋଖନ ସାହୁଙ୍କ ଦ୍ୱାରା ଏହି ସମ୍ମିଳନୀ ଉଦ୍ଘାଟିତ ହେବ। ଏହି ଅବସରରେ ଓଡ଼ିଶାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ।
୨୪ରୁ ଦ୍ୱିତୀୟ ଜାତୀୟ ସହରୀ ସମ୍ମିଳନୀ:
ଅକ୍ଟୋବର ୨୪ ଓ ୨୫ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଜାତୀୟ ସହରୀ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଅର୍ବାନ୍ ରାଇଜିଂ—ସହରୀ ବ୍ୟବସ୍ଥା, ସମାଧାନ ଓ ସେବା ପ୍ରଦାନର ପୁନର୍ବିଚାର’। ଏହି ସମ୍ମିଳନୀରେ ଭାରତୀୟ ସହରଗୁଡ଼ିକର କାର୍ଯ୍ୟଦକ୍ଷତା ବୃଦ୍ଧି, ସହରୀ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ଏବଂ ଯୋଜନାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ।
କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଟୋଖନ ସାହୁଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ସମ୍ମିଳନୀ ଉଦ୍ଘାଟିତ ହେବ। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅନୁରାଗ ଜୈନ ଏବଂ ନୀତି ଆୟୋଗର ସଦସ୍ୟ ରାଜୀବ ଗୌବା ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେବେ।
ଏହାବି ପଢନ୍ତୁ : Earthquake: ତିଦ୍ଦତରେ ଭୟଙ୍କର ଭୂକମ୍ପ, ୧୮ ମୃତ; ଏକାଧିକ ଆହତ
କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ଏହି ସମ୍ମିଳନୀକୁ HUDCO ଓ NBCC ସହଯୋଗ କରୁଛନ୍ତି। ଜାତୀୟ ସହରୀ ବ୍ୟାପାର ପ୍ରତିଷ୍ଠାନ (NIUA) ଏହାର ଜ୍ଞାନ ସହଯୋଗୀ ଭାବେ କାର୍ଯ୍ୟ କରୁଛି।
ସମ୍ମିଳନୀରେ ସାତଟି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ। ସେଗୁଡ଼ିକ ହେଲା—ସୁରକ୍ଷିତ ପଦଯାତ୍ରା ଓ ଚାଲିବା ଅଧିକାର, ଜଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ସୁଲଭ ଗୃହ ନିର୍ମାଣ, ସମନ୍ୱିତ ସହରୀ ବିକାଶ ଓ ଭିତ୍ତିଭୂମି, ଉନ୍ନତ ସହରୀ ସେବା ପ୍ରଦାନ, ଆଦର୍ଶ ନିର୍ମାଣ ଉପନିୟମ ଏବଂ ଆଦର୍ଶ ମ୍ୟୁନିସିପାଲ୍ ଆଇନ।
ଏହି ଆଲୋଚନାରେ ସୁରକ୍ଷିତ ଫୁଟ୍ପାଥ୍, ସ୍କୁଲ୍ ନିକଟରେ ସୁରକ୍ଷିତ ରାସ୍ତା, ଜଳ ଅପଚୟ ହ୍ରାସ, ବର୍ଜ୍ୟବସ୍ତୁରୁ ସମ୍ପଦ ସୃଷ୍ଟି, ସୁଲଭ ଗୃହ ନିର୍ମାଣ, ଜଳବାୟୁ ଅନୁକୂଳ ନିର୍ମାଣ ପ୍ରଯୁକ୍ତି ଏବଂ ପୌରସଂସ୍ଥାଗୁଡ଼ିକର ପ୍ରଶାସନିକ ଓ ଆର୍ଥିକ ଦକ୍ଷତା ବୃଦ୍ଧି ଭଳି ବିଷୟ ସ୍ଥାନ ପାଇବ।