ପୁଣି ଚମକିବ ତରମାକାନ୍ତ ଚା, କ୍ଷେତ୍ର ପରିଦର୍ଶନ କଲେ କୃଷି ସଚିବ
କୃଷି ସଚିବ ଆଜି କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ବାଂଶପାଳ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ବିକାଶ ସାହୁ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହିତ ଚା ବଗିଚା ବୁଲି ଦେଖିଛନ୍ତି ।
କେନ୍ଦୁଝର: ଦେଶ ବିଦେଶରେ ନାଁ କରିଥିବା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ ଚା ବଗିଚା ପୁଣି ଥରେ ଚମକିବ । ୨୦୦୩/୦୪ରୁ ବନ୍ଦ ହୋଇ ଉଜୁଡି ଯାଇ ଶ୍ରୀହୀନ ହୋଇପଡିଥିବା ଚା ବଗିଚା ପୁଣି ଥରେ ପୁନଃରୁଦ୍ଧାର ହୋଇ ସ୍ଥାନୀୟ ହଜାର ହଜାର ଆଦିବାସୀଙ୍କ ମୁହଁରେ ହସ ଫୁଟିବ ବୋଲି ଆଶା ସଞ୍ଚାର ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥି ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଆଜି ଓଡିଶା ସରକାରଙ୍କ କୃଷି ସଚିବ ସଚିନ ଯାଦବ ତରମା କାନ୍ତ ଚା ବଗିଚା ପରିଦର୍ଶନ କରିଛନ୍ତି ।
କୃଷି ସଚିବ ଆଜି କେନ୍ଦୁଝର ଜିଲ୍ଲାପାଳ ବିଶାଳ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ କୁମାର ନାଗ ଭୂଷଣ, ବାଂଶପାଳ ବିଡ଼ିଓ ରାଜା ରଞ୍ଜିତ ପ୍ରତାପ ବଳ, ତହସିଲଦାର ବିକାଶ ସାହୁ ପ୍ରମୁଖ ସ୍ଥାନୀୟ ଲୋକଙ୍କ ସହିତ ଚା ବଗିଚା ବୁଲି ଦେଖିଛନ୍ତି । ଆଜି ସଚିବ ଚା ବଗିଚାର ସ୍ଥିତି, ପୂର୍ବରୁ କେମିତି ଚାଲିଥିଲା, କେତେ କର୍ମଚାରୀ ଏଠାରେ ନିୟୋଜିତ ହୋଇଥିଲେ, ଏଠାରୁ ଉତ୍ପାଦ ହେଉଥିବା ଚା' ର ମାନ ସ୍ଥାନୀୟ ଲୋକଙ୍କୁ ପଚାରି ବୁଝିଥିଲେ । ଏହା ସହ ଚା ବଗିଚାର ପୁନଃରୁଦ୍ଧାର ହେବା ଦ୍ୱାରା ଲୋକେ କିପରି କର୍ମସଂସ୍ଥାନ ପାଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହ ଏହାର ଡିପିଆର ପ୍ରସ୍ତୁତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ କୃଷି ସଚିବଙ୍କ ପରିଦର୍ଶନ ପରେ ସ୍ଥାନୀୟ ଲୋକଙ୍କ ମୁହଁରେ ଆଶା ଉଦଜୀବିତ ହୋଇଛି । ପରେ ସଚିବ ଜଳଡିହା କଫି ବଗିଚା ବୁଲି ଦେଖିବା ସହିତ କଫି ଚାରା ରୋପଣ କରିଥିଲେ ।
ସୂଚନା ଯୋଗ୍ୟ ୧୯୮୨ରେ ରାଜ୍ୟ ସରକାରଙ୍କ ଇପିକଲ ଓ କୋଲକତାର ଶିଳ୍ପପତି ବସନ୍ତ ଦୁବେଙ୍କ ମିଳିତ ସହଯୋଗରେ ଗଠିତ ଓଟିପିଏଲ ଏଠାରେ ୮୯୬.୫୪ ହେକ୍ଟର ଜମିରେ ଚା ବଗିଚା ଆରମ୍ଭ ହୋଇଥିଲା । ଏଠାରୁ ଉତ୍ପାଦିତ ଚା ଜାପାନ, ଜର୍ମାନୀ, ଫ୍ରାନ୍ସ, ଇଂଲଣ୍ଡ, ଆମେରିକା, ରୁଷ, କାନାଡ଼ାକୁ ରପ୍ତାନି ହେଉଥିଲା, ଓଡିଶା ଟି ପ୍ଲାଣ୍ଟେସନ ଲିଃ ଦେଶ ବିଦେଶକୁ ଚା ରପ୍ତାନି କରି ବେଶ ଲାଭବାନ ହେବା ସଂଗେ ସଙ୍ଗେ ୨୦୦୨ ବେଳକୁ ବ୍ୟବସାୟୀ ଶୀର୍ଷରେ ଛୁଇଁ ଥିଲା । ତେବେ ହଠାତ ଏହି ପ୍ରକଳ୍ପ ୨୦୦୩ ବେଳକୁ ଧିମେଇ ଯାଇଥିଲା । ପରିଚାଳନା ଗ୍ରତ ତ୍ରୁଟି ଯୋଗୁଁ ୨୦୦୪ରେ ଏହା ବନ୍ଦ ହୋଇଯାଇଥିଲା । ତେବେ ସଦର ବିଧାୟକ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ଚା ବଗିଚା ପୁନଃରୁଦ୍ଧାର ହେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ପୁନଃରୁଦ୍ଧାର ପରେ ସ୍ଥାନୀୟ ଲୋକଙ୍କୁ କର୍ମନିଯୁକ୍ତି ପାଇବାର ଆଶା ସଂଚାର ହୋଇଛି ।