Laxmidhar Bishoi: ମହାପ୍ରଭୁଙ୍କ ଅଧରହାଣ୍ଡି ସେବକ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକ
ଲକ୍ଷ୍ମୀଧର ବିଶୋଇଙ୍କ ବିୟୋଗରେ ପୁରୀର କୁମ୍ଭକାର ସମାଜ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଓଡ଼ିଶା କୁରାଳ ମହାସଂଘର ପୁରୀ ଜିଲ୍ଲା କମିଟି, ପୁରୀ କୁମ୍ଭକାର ସମିତି ଏବଂ କୁମ୍ଭକାର ନିଯୋଗ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଧରହାଣ୍ଡି ପ୍ରସ୍ତୁତ କରି ଦୀର୍ଘ ୪ ଦଶନ୍ଧି ଧରି ସେବା ଯୋଗାଇ ଆସୁଥିବା ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକ ହୋଇଛି। କୁମ୍ଭାରପଡ଼ାର ବାସିନ୍ଦା ଲକ୍ଷ୍ମୀଧରଙ୍କ ମୃତ୍ୟୁ ବେଳକୁ ୬୦ ବର୍ଷ ବୟସ ହୋଇଥିଲା। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ଲକ୍ଷ୍ମୀଧର ବିଶୋଇଙ୍କ ବିୟୋଗରେ ପୁରୀର କୁମ୍ଭକାର ସମାଜ ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ଓଡ଼ିଶା କୁରାଳ ମହାସଂଘର ପୁରୀ ଜିଲ୍ଲା କମିଟି, ପୁରୀ କୁମ୍ଭକାର ସମିତି ଏବଂ କୁମ୍ଭକାର ନିଯୋଗ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।
ଆଜି ସନ୍ଧ୍ୟାରେ ଭୁବନେଶ୍ୱରରୁ ଲକ୍ଷ୍ମୀଧରଙ୍କ ପାର୍ଥିବ ଶରୀର ପୁରୀ କୁମ୍ଭାରପଡ଼ାସ୍ଥିତ ବାସଭବନରେ ପହଞ୍ଚିଥିଲା। ସେଠାରେ ଶେଷ ଦର୍ଶନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ଏକ ଶୋଭାଯାତ୍ରାରେ ପାର୍ଥିବ ଶରୀରକୁ ସ୍ୱର୍ଗଦ୍ୱାର ନିଆଯାଇଥିଲା। ସେଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ଜ୍ୟେଷ୍ଠପୁତ୍ର ରାଜେଶ କୁମାର ବିଶୋଇ ମୁଖାଗ୍ନି ଦେଇଥିଲେ।
ଲକ୍ଷ୍ମୀଧର ବିଶୋଇ ଦୀର୍ଘଦିନ ଧରି ଓଡ଼ିଶା କୁରାଳ ମହାସଂଘ ସହ ଜଡ଼ିତ ରହି କୁମ୍ଭକାର ସମାଜର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟ କରିଥିଲେ। ତାଙ୍କ ସେବା ଓ ସାମାଜିକ ଅବଦାନକୁ ସ୍ମରଣ କରି କୁମ୍ଭକାର ସଂଗଠନର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଗୁଣନିଧି ବିଶୋଇଙ୍କ ପରେ ଲକ୍ଷ୍ମୀଧର ବିଶୋଇ ପ୍ରାୟ ୪୦ ବର୍ଷ ଧରି ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ପାଇଁ ଅଧରହାଣ୍ଡି ନିର୍ମାଣ କରି ସେବା ଯୋଗାଇ ଆସୁଥିଲେ। ତାଙ୍କ ଆକସ୍ମିକ ବିୟୋଗରେ ପୁରୀ କୁମ୍ଭକାର ସମାଜରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପୁରୀ କୁମ୍ଭକାର ସମିତି ସଭାପତି ରାଧାମୋହନ ବିଶୋଇ, ସମ୍ପାଦକ କୈଳାସ ବିଶୋଇ, କୁମ୍ଭକାର ନିଯୋଗର ଉପଦେଷ୍ଟା ମହେନ୍ଦ୍ର ବିଶୋଇ, ପ୍ରଶାନ୍ତ କୁମାର ବିଶୋଇଙ୍କ ସମେତ ବହୁ ନେତୃବୃନ୍ଦ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।