ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ହରିଲୁଟ୍ ଅଭିଯୋଗ
ପୁରୀ ଜିଲ୍ଲାପାଳ କହିଛନ୍ତି ଏଭଳି ବେଆଇନ କାରବାରକୁ ଆଦୌ ପ୍ରଶୟ ଦିଆଯିବ ନାହିଁ ।
ପୁରୀ: ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାଁରେ ଥିବା ବିଭିନ୍ନ ପଥର ଖାଦାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ମଳିପଡ଼ା , କାଇପଦର , ନିଜିଗଡତାପଙ୍ଗ, ଡଙ୍ଗରପଦା, ଛତ୍ରମା ଓ ଝିଙ୍କିଝାରୀ ଆଦି ସ୍ଥାନରେ ୫୦ ପାଖାପାଖି ପଥର ଖାଦାନ ରହିଛି। ଏହି ସବୁ ପଥର ଖାଦାନ ଗୁଡିକୁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ନିଲାମ ଦେଇନାହିଁ । କିନ୍ତୁ ବର୍ଷ ବର୍ଷ ଧରି ପ୍ରତିଦିନ ଶହ ଶହ ଟ୍ରିପ୍ ପଥର ରାଜଧାନୀ ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳକୁ ଚୋରାରେ ଚାଲାଣ ହୋଇଆସୁଛି । ଏହି ଚୋରା ବେପାରୀଙ୍କ ନାଁରେ ଅନେକ ସମୟରେ ଏତଲା ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ପୋଲିସ ମାମଲା ରୁଜୁ ନ କରି ସେମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି।
ଏଭଳିକି ଖଣି ବିଭାଗ ମଝିରେ ମଝିରେ ନାଁକୁ ମାତ୍ର ଚଢ଼ାଉ କରି ସ୍ବଳ୍ପ ପରିମାଣରେ ପଥର ଜବତ କରି ପରବର୍ତ୍ତୀ ସମୟରେ ଜବତ ପଥରକୁ ନିଲାମ ମାଧ୍ୟମରେ ସେହି ପଥର ମାଫିଆମାନଙ୍କୁ ଦେଉଛି। ୨୦୧୮ ମସିହାରେ ଏସଟିଏଫ୍ ର ଚଢ଼ାଉ ଯୋଗୁଁ ଏହି କାରବାର ବନ୍ଦ ରହିଥିଲା। କିନ୍ତୁ ପୁନର୍ବାର ଗତ ୨- ୩ ବର୍ଷ ହେବ ମାଫିଆଙ୍କ ରାଜ ପୁଣି ଥରେ ଆରମ୍ଭ ହୋଇଛି। ପୁରୀ ଜିଲ୍ଲାପାଳ କହିଛନ୍ତି ଏଭଳି ବେଆଇନ କାରବାରକୁ ଆଦୌ ପ୍ରଶୟ ଦିଆଯିବ ନାହିଁ । ଲିଜ ନ ନେଇ ବେଆଇନ ଓ ଚୋରାରେ ପଥର ଖାଦାନରୁ ପଥର ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖୋର୍ଦ୍ଧା ଜିଲ୍ଲାର ଖଣି ଅଧିକାରୀ, ଏସପିଙ୍କ ସହ ଆଲୋଚନା କରି ତୁରନ୍ତ ଚଢ଼ାଉ ସହ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।