ପୁରୀ: (ସଞ୍ଜୟ ମହାପାତ୍ର) ମହାପ୍ରଭୁ ତ୍ରୀବିକ୍ରମ ବେଶରେ ମଇଲମ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଓ ଆଜି ମହାପ୍ରଭୁଙ୍କ ଚିତ୍ତାକର୍ଷକ ବେଶ ତ୍ରୀବିକ୍ରମ ବେଶ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଭକ୍ତ।
ପଞ୍ଚୁକ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ନିଳକନ୍ଦର ମଧ୍ୟରେ ରତ୍ନସିଂହାସନ ଉପରୁ ଆଡକୀୟା ବେଶ ଅର୍ଥାତ ତ୍ରୀବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି। ଲକ୍ଷ ଲକ୍ଷ ଭକ୍ତ ଭିତରକାଠ ନିକଟରୁ ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଶ୍ରଦ୍ଧାଳୁ ମାନେ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି। ଲକ୍ଷ୍ମୀନାରାୟଣ ବେଶ ଭଳି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତ୍ରୀବିକ୍ରମ ବେଶରେ ପୁଷ୍ପାଳକ ସେବକ ମାନେ ଶୃଙ୍ଗାର କରିଛନ୍ତି। ମହାପ୍ରଭୁ ତ୍ରୀବିକ୍ରମ ବେଶରେ ଶ୍ରୀପୟର, ଶ୍ରୀଭୁଜ, ପଲକମାଳା, ଶଙ୍ଖଚକ୍ର, ହଳମୁଷଳ ଆଦିରେ ବିଭୁଷିତ ହୋଇଛନ୍ତି। ମହାପ୍ରଭୁଙ୍କ ଶ୍ରୀମୂଖାରବିନ୍ଦରେ ସୁବର୍ଣ୍ଣରକୀୟାକୁ ଆଡ ଆକାରରେ ଦିଆଯାଇଥିବାରୁ ଆଡକୀୟା ବେଶ ବୋଲି କୁହାଯାଇଛି। ଆଜି ଭୋରୁ ଦ୍ୱାର ଫିଟା ନୀତି ସମ୍ପନ୍ନ ହେବାପରେ ମଙ୍ଗଳଆଳତୀ ଓ ଅବକାଶ ନିତି ପରେ ମହାପ୍ରଭୁ ତ୍ରୀବିକ୍ରମ ବେଶରେ ଶୃଙ୍ଗାର ହୋଇ ସାଧାରଣ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଭକ୍ତ ମାନେ ଅତି ଶୃଙ୍ଖଳାର ସହ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରୁଛନ୍ତି।
ଆସନ୍ତାକାଲି ବଡଓଷା। ଶ୍ରୀମନ୍ଦିରରେ ଶିବ ଉପାସନା କରାଯାଉଛି। ସେପଟେ ଲକ୍ଷଲକ୍ଷ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ଭିତରେ ଗହଳି ନିୟନ୍ତ୍ରଣ ଲାଗି ସାତପାହାଚ ଠାରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ବ୍ଯାପକ ପୋଲିସ, ଜେଟିପି ଓ ଶ୍ରୀମନ୍ଦିର କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି। ବ୍ଯାରିକେଡରେ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଛନ୍ତି। ପୋଲିସ ବ୍ଯବସ୍ଥାକୁ ମଧ୍ୟ କଡାକଡି କରାଯାଇଛି। ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପାନୀୟ ଜଳ, ଦମକଳ, ଆମ୍ବୁଲାନ୍ସ ଆଦି ପ୍ରସ୍ତୁତ ରହିଛି। ଏଥିସହିତ ମହିଳା ଓ ବରିଷ୍ଠ ନାଗରିକଙ୍କୁ ସ୍ୱତନ୍ତ୍ର ଭାବେ ଦର୍ଶନ କରାଯାଉଛି। ଯେଉଁଥିଲାଗି ଭକ୍ତ ମାନେ ଅତି ସୁନ୍ଦର ଭାବେ ଦର୍ଶନ କରୁଥିବା ଭକ୍ତ କହିଛନ୍ତି।