Puri Jagannath Temple: ମହାପ୍ରଭୁଙ୍କ ପାଇଁ ହେବ ନୂଆ ସୁନାବେଶ! ନିର୍ମାଣ ହେବ ସ୍ୱର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍
ପରମ୍ପରା ଅନୁଯାୟୀ ମହାପ୍ରଭୁ ବର୍ଷକୁ ପାଞ୍ଚଥର ସୁନାବେଶ ଧାରଣ କରିଥାନ୍ତି। କାର୍ତ୍ତିକ ମାସରେ ରାଧାଦାମୋଦର ବେଶରେ ମଧ୍ୟ ଶ୍ରୀଜିଉମାନେ ବିଭିନ୍ନ ଅଳଙ୍କାର ପରିଧାନ କରନ୍ତି। ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଥିବା ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା।
Puri Jagannath Temple: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ନୂଆ ସ୍ୱର୍ଣ୍ଣ ଅଳଙ୍କାର ସେଟ୍ ନିର୍ମାଣ କରାଯିବ। ସୁନାବେଶ ବା ବଡ଼ତଢ଼ାଉ ବେଶ ସମୟରେ ଶ୍ରୀଜିଉମାନେ ପରିଧାନ କରୁଥିବା ଅଳଙ୍କାରର ଆଉ ଏକ ସେଟ୍ ପ୍ରସ୍ତୁତ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ପରମ୍ପରା ଅନୁଯାୟୀ ମହାପ୍ରଭୁ ବର୍ଷକୁ ପାଞ୍ଚଥର ସୁନାବେଶ ଧାରଣ କରିଥାନ୍ତି। କାର୍ତ୍ତିକ ମାସରେ ରାଧାଦାମୋଦର ବେଶରେ ମଧ୍ୟ ଶ୍ରୀଜିଉମାନେ ବିଭିନ୍ନ ଅଳଙ୍କାର ପରିଧାନ କରନ୍ତି। ଦୀର୍ଘ ସମୟ ଧରି ବ୍ୟବହୃତ ହୋଇଆସୁଥିବା ପୁରୁଣା ସ୍ୱର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍ ନିର୍ମାଣ ପାଇଁ ପ୍ରସ୍ତାବ ରଖାଯାଇଥିଲା।
ନୂଆ ସେଟ୍ରେ ଶ୍ରୀବଳଭଦ୍ରଙ୍କ ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡ଼ାମାଳି, କଦମ୍ବମାଳି, କୁଣ୍ଡଳ, ଆଡ଼କାନି ଓ ଚନ୍ଦ୍ରିକା ଭଳି ଅଳଙ୍କାର ରହିବ। ସେହିପରି ଦେବୀ ସୁଭଦ୍ରାଙ୍କ କିରିଟି, ଓଡ଼ିଆଣି, କାନ, ତଗଡ଼ି, ସେବତୀମାଳି, ଘାଗଡ଼ାମାଳି ଓ କଦମ୍ବମାଳି ଆଦି ଅଳଙ୍କାର ମଧ୍ୟ ପ୍ରସ୍ତୁତ ହେବ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀପୟର, ଶ୍ରୀଭୁଜ, କିରିଟି ସମେତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ସହ ସ୍ୱର୍ଣ୍ଣଚକ୍ର ଓ ରୌପ୍ୟ ଶଙ୍ଖ ମଧ୍ୟ ପ୍ରସ୍ତୁତ କରାଯିବ।
ଏହି ନୂଆ ଅଳଙ୍କାର ସେଟ୍ ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଅର୍ଥରେ ପ୍ରସ୍ତୁତ କରିବ। ଏଥିପାଇଁ ଭକ୍ତ, ଶ୍ରଦ୍ଧାଳୁ କିମ୍ବା ଇଚ୍ଛୁକ ବ୍ୟକ୍ତି ସ୍ୱଇଚ୍ଛାରେ ଦାନ ଦେଇପାରିବେ।
ନୂଆ ଅଳଙ୍କାରର ଡିଜାଇନ୍ ଓ ନିର୍ମାଣ ପ୍ରକ୍ରିୟାରେ ରତ୍ନଭଣ୍ଡାର ଗଣତି ସମୟରେ ପ୍ରସ୍ତୁତ ଭିଡିଓ, ଫଟୋ ଓ ଡିଜିଟାଲ ଡକ୍ୟୁମେଣ୍ଟେସନକୁ ପ୍ରାମାଣିକ ଆଧାର ଭାବେ ବ୍ୟବହାର କରାଯିବ। ଏଥିସହ ପାରମ୍ପରିକ ଆକୃତି, ଓଜନ ଓ ଧାର୍ମିକ ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯିବ।
ଅଳଙ୍କାର ନିର୍ମାଣରେ ସୁରକ୍ଷା ପ୍ରୋଟୋକଲ ସହ ବୈଷୟିକ ମାନଦଣ୍ଡ ପାଳନ କରାଯିବ। ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣ ଏହାର ଅନୁଧ୍ୟାନ କରିବେ। ଏଥିପାଇଁ ଏକ ଟେକ୍ନିକାଲ କମିଟି ମଧ୍ୟ ଗଠନ କରାଯିବ। ଅନୁଭବୀ ସଂସ୍ଥାକୁ ଅଳଙ୍କାର ନିର୍ମାଣର ଦାୟିତ୍ୱ ଦିଆଯିବ।
ନୂଆ ସ୍ୱର୍ଣ୍ଣ ଅଳଙ୍କାର ସେଟ୍ ନିର୍ମାଣ ପରେ ଏହାକୁ ରତ୍ନଭଣ୍ଡାରର ବାହାର ଭଣ୍ଡାରରେ ସୁରକ୍ଷିତ ଭାବେ ରଖାଯିବ। ମହାପ୍ରଭୁଙ୍କ ପାଇଁ ନୂଆ ସୁନାବେଶ ସେଟ୍ ନିର୍ମାଣ ହେବା ଖବରକୁ ନେଇ ଭକ୍ତ ଓ ଦର୍ଶନାର୍ଥୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।