Puri News:ଆଜିଠାରୁ ପିତୃପକ୍ଷ ଆରମ୍ଭ , ପୁରୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଚାଲିଛି ପିଣ୍ଡଦାନ
Puri News: ଆଜି ପବିତ୍ର ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି ।
Puri News: ଆଜି ପବିତ୍ର ଆଶ୍ୱିନ ମାସର କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । ଧର୍ମୀୟ ବିଶ୍ୱାସ ଅନୁସାରେ ନିଜର ତିନି ପିଢୀ ର ପିତୃ ଲୋକଙ୍କୁ ଏହି ପକ୍ଷରେ ଦିଆଯାଏ ଶ୍ରାଦ୍ଧ, ତିଳ,ତର୍ପଣ । ବର୍ଷରେ ଏକୋଦିଷ୍ଟ ଶ୍ରାଦ୍ଧ ଠାରୁ ଏହି ପକ୍ଷ ସ୍ୱତନ୍ତ୍ର ।ଗୋତ୍ର,ନାମ,ନ ଜାଣିଥିଲେ ମଧ୍ୟ ଦେଇ ହୁଏ ଶ୍ରାଦ୍ଧ।ଦେବତା,ଋଷି ଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାର ହେଉଛି ଏହି ପକ୍ଷ ।
ତେଣୁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତିର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି ।ଏଥିସହିତ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବସିଥିବା ବ୍ରାହ୍ମଣ ମାନଙ୍କ ପାଖରେ ଶ୍ରାଦ୍ଧ ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରୁଛନ୍ତି।ଏନେଇ ଆଜି ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ମହୋଦଧୀରେ ଭିଡ଼ ଲାଗିଛି । ୧୫ ଦିନ ଧରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବାର ବ୍ୟବସ୍ଥା ରହିଛି।ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲିବ।ଏନେଇ ପୁରୀରେ ଲୋକଙ୍କ ଗହଳି ଦେଖିବକୁ ମିଳିଛି ।
ବିଶ୍ୱାସ ରହିଅଛି ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ ଶ୍ରାଦ୍ଧ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।ଏହି ଅପରପକ୍ଷ ବା ପିତୃ ପକ୍ଷ ସମୟରେ ଅନେକ ନିୟମ ନିଷ୍ଠା ରହିଛି । ପିତୃପକ୍ଷ ସମୟରେ ଖିଅର ହେବା ସମ୍ପୂର୍ଣ୍ଣ ନିଷିଦ୍ଧ ରହିଥିବା ବେଳେ ଏହି ସମୟରେ ନଖ ମଧ୍ୟ କଟାଯିବା ବାରଣ ରହିଛି । ଏପରିକି ଅପର ପାଗରେ ଅର୍ଥାତ ବାହାରେ ଭୋଜନ କରିବା ସମ୍ପୁର୍ଣ୍ଣ ନିଷିଦ୍ଧ ରହିଛି।ସେହିପରି ତିଳ ତର୍ପଣ ,ଶ୍ରାଦ୍ଧ ଓ ପିଣ୍ଡଦାନ କରିବା ସମୟରେ ସମ୍ପୂର୍ଣ୍ଣ ଶୁଦ୍ଧପୂତ ଭାବେ ରହିବାର ବିଧି ମଧ୍ୟ ରହିଛି ।