ଡେବ୍ରିଗଡ଼ରେ ମହାବଳ ବାଘ, ଏହା ପୂର୍ବରୁ ଛତିଶଗଡ଼ରେ ୬ ମାସ ରହିଥିଲା!
ଡେବ୍ରିଗଡ଼କୁ ଆସିଥିବା ଏହି ଅଣ୍ଡିରା ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ଧରି ରହିଥିଲା। ତେବେ ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ ଗତିପଥ ଏବେ ବି ରହସ୍ୟ ଘେରରେ ରହିଛି ।
ସମ୍ୱଲପୁର: (ଅଜୟ କୁମାର ନାଥ) ଡେବ୍ରିଗଡ଼ ଅଭୟାରଣ୍ୟରେ ପହଞ୍ଚିଥିବା ବାଘକୁ ନେଇ ଆସିଛି ବଡ଼ ଖବର। ବାଘ ଟିର ପୂର୍ବ ଅବସ୍ଥିତି ସମ୍ପର୍କରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। କ୍ୟାମେରା ଟ୍ରାପ୍ ଫଟୋରୁ ସ୍ପଷ୍ଟ ହୋଇଛି ଯେ, ଡେବ୍ରିଗଡ଼କୁ ଆସିଥିବା ଏହି ଅଣ୍ଡିରା ବାଘଟି ୨୦୨୫ ମସିହାରେ ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ଧରି ରହିଥିଲା। ତେବେ ବାଘଟି ମୂଳତଃ ମହାରାଷ୍ଟ୍ରରୁ ଆସିଥିବା ଅନୁମାନ କରାଯାଉଥିଲେ ମଧ୍ୟ ଏହାର ପ୍ରକୃତ ଗତିପଥ ଏବେ ବି ରହସ୍ୟ ଘେରରେ ରହିଛି ।
ଗତ ନଭେମ୍ବର ୯ ତାରିଖରେ ଡେବ୍ରିଗଡ଼ ଅଭୟାରଣ୍ୟରେ ପ୍ରବେଶ କରିଥିବା ଅଣ୍ଡିରା ବାଘର ପୂର୍ବ ଇତିହାସ ଏବେ ସାମ୍ନାକୁ ଆସିଛି। ଛତିଶଗଡ଼ ବନ ବିଭାଗ ପକ୍ଷରୁ ମିଳିଥିବା କ୍ୟାମେରା ଟ୍ରାପ୍ ଫଟୋକୁ ଯାଞ୍ଚ କରିବା ପରେ ଏହି ତଥ୍ୟ ଜଣାପଡ଼ିଛି। ବାଘର ଦେହରେ ଥିବା ବେଲ୍ଟ ବା ଷ୍ଟ୍ରାଇପ୍ ପ୍ୟାଟର୍ନକୁ ମେଳ କରିବା ପରେ ଏହାର ପରିଚୟ ନିଶ୍ଚିତ ହୋଇଛି। ୨୦୨୫ ମସିହାରେ ଏହି ବାଘଟି ଛତିଶଗଡ଼ର ଉଦନ୍ତୀ-ସୀତାନଦୀ ଟାଇଗର ରିଜର୍ଭରେ ପ୍ରାୟ ୬ ମାସ ଧରି ରହିଥିବାର ପ୍ରମାଣ ମିଳିଛି। ଅନ୍ୟପଟେ, ବାଘଟି ମୂଳତଃ ମହାରାଷ୍ଟ୍ରରୁ ନିଜ ବାସସ୍ଥାନ ଛାଡ଼ି ଏଠାକୁ ଆସିଥାଇ ପାରେ ବୋଲି ବନ ବିଭାଗ ଅଧିକାରୀ ମାନେ ଅନୁମାନ କରୁଛନ୍ତି। ହେଲେ ମହାରାଷ୍ଟ୍ରରୁ ଛତିଶଗଡ଼ ଏବଂ ପରେ ଡେବ୍ରିଗଡ଼ ପର୍ଯ୍ୟନ୍ତ ବାଘର ଗତିପଥ ସମ୍ପର୍କରେ କୌଣସି ଠୋସ୍ କ୍ୟାମେରା ଟ୍ରାପ୍ ପ୍ରମାଣ ମିଳିନାହିଁ। ବାଘର ବିସ୍ତୃତ ବିସ୍ତାର ଓ ଗତିବିଧି ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ଡେବ୍ରିଗଡ଼ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ବା NTCAକୁ ଅନୁରୋଧ କରିଛନ୍ତି। ଏବେ ବାଘର ଅନ୍ୟାନ୍ୟ କ୍ୟାମେରା ଟ୍ରାପ୍ ତଥ୍ୟର ଯାଞ୍ଚ ଜାରି ରହିଥିବା ସୂଚନା ଦେଇଛନ୍ତି ହୀରାକୁଦ ବନ୍ୟ ପ୍ରାଣୀ ବିଭାଗ DFO ଅଂଶୁପ୍ରଜ୍ଞା ଦାଶ । ସୂଚନା ଥାଉ କି ୯ ତାରିଖରୁ ଡେବ୍ରିଗଡ଼ ଅଭୟାରଣ୍ୟରେ ଠାବ ହୋଇଥିବା ମହାବଳ ଗୋଟିଏ ସମ୍ବର ଶିକାର କରି ଖାଉଥିବା ଦୃଶ୍ୟ ମଧ୍ୟ ପର୍ଯ୍ୟଟକ ଦେଖିଥିଲେ ।
Also Read- Rain Alert: ବଢୁଛି ବାତ୍ୟାର ଆଶଙ୍କା? ଏହି ସ୍ଥାନରେ ତାଣ୍ଡବ ରଚିବ !