GM University: ଜିଏମ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ଏକତା ଦିବସ ପାଳନ, ଆୟୋଜିତ ହେଲା ସପ୍ତମ ଲୋକ ବକ୍ତୃତାମାଳା
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ନିଜ ଅଭିଭାଷଣରେ ସେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରାରମ୍ଭିକ ଜୀବନ, ଶିକ୍ଷା, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ ଭାରତର ରାଷ୍ଟ୍ର ଗଠନରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ସମ୍ବଲପୁର: ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ (ଜିଏମ୍ୟୁ)ରେ ଜାତୀୟ ଏକତା ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହ ସପ୍ତମ ଲୋକ ବକ୍ତୃତାମାଳା ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗ ଅଧୀନ ଦୀନଦୟାଲ ଉପାଧ୍ୟାୟ ସେଣ୍ଟର ଫର୍ ପବ୍ଲିକ୍ ପଲିସି ଆଣ୍ଡ ଗଭର୍ଣ୍ଣାନ୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ସଭାପତିତ୍ୱ କରିଥିଲେ। ନିଜ ଅଭିଭାଷଣରେ ସେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରାରମ୍ଭିକ ଜୀବନ, ଶିକ୍ଷା, ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଏବଂ ଭାରତର ରାଷ୍ଟ୍ର ଗଠନରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଡ. ଡି.ଡି. ପଟ୍ଟନାୟକଙ୍କ ରଚିତ ‘ଏନସାଇକ୍ଲୋପିଡ଼ିଆ ଅଫ୍ କଲଚରାଲ୍ ନ୍ୟାସନାଲିଜିମ୍’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରେ ଲେଖକ ଡ. ପଟ୍ଟନାୟକ ପୁସ୍ତକର ବିଷୟବସ୍ତୁ ଓ ଏହାର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଏକାତ୍ମା ମାନବ ଦର୍ଶନ ଅନୁସନ୍ଧାନ ଏବଂ ବିକାଶ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ. ମହେଶ ଚନ୍ଦ୍ର ଶର୍ମା ଯୋଗଦେଇଥିଲେ। ସେ “ରାଷ୍ଟ୍ରୀୟ ଅଖଣ୍ଡତା ଏବଂ ଏକତା: ସର୍ଦ୍ଦାର ବଲ୍ଲଭଭାଇ ପଟେଲ” ଶୀର୍ଷକ ବିଷୟରେ ତଥ୍ୟଭିତ୍ତିକ ଆଲୋଚନା କରିଥିଲେ।
ନିଜ ବକ୍ତବ୍ୟରେ ସେ ପଟେଲଙ୍କ ଜୀବନ ଓ ଅବଦାନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷକରି ଜୁନାଗଡ଼ ଓ ହାଇଦ୍ରାବାଦ ଭଳି ଦେଶୀୟ ରାଜ୍ୟଗୁଡ଼ିକର ଭାରତ ସହ ଏକୀକରଣରେ ପଟେଲଙ୍କ ଭୂମିକା ଭାରତର ରାଜନୈତିକ ଏକତାକୁ ସୁଦୃଢ଼ କରିଥିଲା ବୋଲି ସେ କହିଥିଲେ। ଏହି ଅସାଧାରଣ ଅବଦାନ ପାଇଁ ସେ ‘ଭାରତର ଲୌହମାନବ’ ଭାବେ ପରିଚିତ ହୋଇଥିବା ଡ. ଶର୍ମା ଉଲ୍ଲେଖ କରିଥିଲେ।
ସର୍ଦ୍ଦାର ପଟେଲଙ୍କ ଜୀବନ ଭାରତୀୟ ଜାତୀୟତାବାଦ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ରାଷ୍ଟ୍ରୀୟ ଏକତାର ଏକ ଉତ୍କୃଷ୍ଟ ଉଦାହରଣ। ତାଙ୍କ ଅବଦାନକୁ ସ୍ମରଣ କରିବା ସହ ଦେଶର ଅଖଣ୍ଡତା ଓ ଏକତା ରକ୍ଷା କରିବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ।
ଆସିଷ୍ଟାଣ୍ଟ ପ୍ରଫେସର ଡ. ସିଂହ ଶୁଭଲକ୍ଷ୍ମୀ ବହିଦାର ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଶିକ୍ଷକ ଡ. କେଶବ ଚନ୍ଦ୍ର ରଥ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ପ୍ରାସଙ୍ଗିକତା ଉପରେ ନିଜର ମତ ରଖିଥିଲେ।
କାର୍ଯ୍ୟକ୍ରମର ସମନ୍ୱୟ ଦାୟିତ୍ୱ ଦୀନଦୟାଲ ଉପାଧ୍ୟାୟ ସେଣ୍ଟର ଫର୍ ପବ୍ଲିକ୍ ପଲିସି ଆଣ୍ଡ ଗଭର୍ଣ୍ଣାନ୍ସର ନିର୍ଦ୍ଦେଶକ ପ୍ରଫେସର ଜ୍ଞାନରଞ୍ଜନ ସ୍ୱାଇଁଙ୍କ ସହ ଉଭୟ ବିଭାଗର ଶିକ୍ଷକ, ଗବେଷକ ଓ ଛାତ୍ରଛାତ୍ରୀମାନେ ତୁଲାଇଥିଲେ। ଶେଷରେ ଡ. ସିଂହ ଶୁଭଲକ୍ଷ୍ମୀ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ।