ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ସମ୍ବଲପୁରର ତ୍ୱିଷା ପାଣିଗ୍ରାହୀ
ଏହି ସଫଳତା ସହ ତ୍ୱିଷା ନିଜ ବଡ଼ ଭଉଣୀ ତିଷ୍ୟା ପାଣିଗ୍ରାହୀଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କରିଛନ୍ତି। ତିଷ୍ୟା ୧୦ ବର୍ଷ ୨ ମାସ ବୟସରେ, ୨୨ ଅଗଷ୍ଟ ୨୦୨୦ରେ, ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରି ସେତେବେଳର ଉପଲବ୍ଧ ସୂଚନା ଅନୁଯାୟୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଥିଲେ।
ସମ୍ବଲପୁର: (ଅଜୟ କୁମାର ନାଥ) ସମ୍ବଲପୁରର ମୂଳ ବାସିନ୍ଦା ୧୦ ବର୍ଷୀୟା ତ୍ୱିଷା ପାଣିଗ୍ରାହୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଛନ୍ତି । ଦଶମ ଜନ୍ମଦିନର ଦୁଇ ଦିନ ପରେ ପ୍ରମାଣପତ୍ର ହାସଲ କରି ବଡ଼ ଭଉଣୀ ତିଷ୍ୟାଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କଲେ ତ୍ୱିଷା । ଦୁବାଇରେ ରହୁଥିବା ଓଡ଼ିଆ ଝିଅ ତ୍ୱିଷା ପାଣିଗ୍ରାହୀ ଉପଲବ୍ଧ ସୂଚନା ଅନୁଯାୟୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଛନ୍ତି। ଦଶମ ଜନ୍ମଦିନର ମାତ୍ର ଦୁଇ ଦିନ ପରେ, ୧୭ ନଭେମ୍ବର ୨୦୨୬ରେ, ସେ ପାଡି (PADI) ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରିଛନ୍ତି।
ଏହି ସଫଳତା ସହ ତ୍ୱିଷା ନିଜ ବଡ଼ ଭଉଣୀ ତିଷ୍ୟା ପାଣିଗ୍ରାହୀଙ୍କ ପୂର୍ବ କୃତିତ୍ୱକୁ ଅତିକ୍ରମ କରିଛନ୍ତି। ତିଷ୍ୟା ୧୦ ବର୍ଷ ୨ ମାସ ବୟସରେ, ୨୨ ଅଗଷ୍ଟ ୨୦୨୦ରେ, ଜୁନିଅର ଓପନ୍ ୱାଟର୍ ଡାଇଭର୍ ଲାଇସେନ୍ସ ହାସଲ କରି ସେତେବେଳର ଉପଲବ୍ଧ ସୂଚନା ଅନୁଯାୟୀ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର୍ ହୋଇଥିଲେ। ଆନ୍ତର୍ଜାତୀୟ ସ୍କୁବା ଡାଇଭିଂ ମାନଦଣ୍ଡ ଅନୁଯାୟୀ ଏହି ପ୍ରଶିକ୍ଷଣ ପାଇଁ ସର୍ବନିମ୍ନ ବୟସ ସୀମା ହେଉଛି ୧୦ ବର୍ଷ। ୧୫ ନଭେମ୍ବର ୨୦୨୬ରେ ତ୍ୱିଷାଙ୍କୁ ୧୦ ବର୍ଷ ହୋଇଥିଲା। ସେ ସମୟ ନଷ୍ଟ ନ କରି ସେହି ଦିନ ହିଁ ନିଜର ପ୍ରଶିକ୍ଷଣ ଆରମ୍ଭ କରିଥିଲେ। ଏହି ପ୍ରଶିକ୍ଷଣ ଅନ୍ତର୍ଗତ ଆବଶ୍ୟକ ସହନଶକ୍ତି ପରୀକ୍ଷା, ଅନଲାଇନ୍ ଶିକ୍ଷା, ନିୟନ୍ତ୍ରିତ ଜଳ ପରିବେଶରେ ପ୍ରଶିକ୍ଷଣ ଓ ଖୋଲା ସମୁଦ୍ରରେ ଚାରିଟି ଡାଇଭ୍ ସଫଳତାର ସହ ଶେଷ କରି ସେ ତିନି ଦିନ ମଧ୍ୟରେ ଲାଇସେନ୍ସ ପାଇଥିଲେ। ଏହି ଲାଇସେନ୍ସ ପାଇଁ ନିର୍ଦ୍ଧାରିତ ପ୍ରଶିକ୍ଷଣର ଅବଧି ତିନିରୁ ଚାରି ଦିନ ଅଟେ। ଦୁବାଇର ରାଫଲ୍ସ ୱାର୍ଲ୍ଡ ଏକାଡେମିର ପଞ୍ଚମ ଶ୍ରେଣୀ ଛାତ୍ରୀ ତ୍ୱିଷା, ଦୁବାଇର ଅଲ୍ ବୁମ୍ ଡାଇଭିଂରେ ଯୋଗ୍ୟତା ପରୀକ୍ଷା ଦେଇଥିଲେ ଓ ସୁଇମିଂ ପୁଲ୍ରେ ପ୍ରଶିକ୍ଷଣ ଶେଷ କରିଥିଲେ। ଦୁବାଇର ଲା ମେର୍ ବିଚ୍ ନିକଟ ସମୁଦ୍ରରେ ସେ ପ୍ରଥମ ଦୁଇଟି ସାମୁଦ୍ରିକ ଡାଇଭ୍ କରିଥିଲେ। ପରେ ସଂଯୁକ୍ତ ଆରବ ଏମିରେଟ୍ସ.(ୟୁଏଇ)ର ଫୁଜୈରା ସ୍ଥିତ ଅଲ୍ ଆକା ବିଚ୍ ନିକଟ ଓମାନ ଉପସାଗର ସମୁଦ୍ରରେ ସେ ଲାଇସେନ୍ସ ପାଇଁ ଆବଶ୍ୟକ ଶେଷ ଦୁଇଟି ଡାଇଭ୍ ସଫଳତାର ସହ ପୂରା କରିଥିଲେ। ପୁଲ୍ରେ ଶିଖିଥିବା ସମସ୍ତ କୌଶଳ ସେ ଖୋଲା ସମୁଦ୍ରରେ ପ୍ରଦର୍ଶନ କରିଥିଲେ ଏବଂ ପ୍ରାୟ ୩୩ ରୁ ୩୪ ଫୁଟ ଗଭୀରତାକୁ ଯାଇଥିଲେ। ଫିଲିପାଇନ୍ସର କ୍ୱିରିକୋ ଗିଓଗିଓ (Quirico Guioguio) ଓ ଇଜିପ୍ଟର ୟେହ୍ୟା ଅଲସାୟେଦ (Yehya Alsayed) ନାମକ ଦୁଇ ଅଭିଜ୍ଞ ପାଡି (PADI) ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ସେ ପ୍ରଶିକ୍ଷଣ ନେଇଥିଲେ।
ଏହି ମୁହୂର୍ତ୍ତ ପାଣିଗ୍ରାହୀ ପରିବାର ପାଇଁ ବିଶେଷ ମହତ୍ତ୍ୱ ରଖେ। ୨୦୨୦ରେ କୋଭିଡ୍-୧୯ ମହାମାରୀ ଓ ତତ୍ସମ୍ପର୍କିତ କଟକଣା ଯୋଗୁଁ ତିଷ୍ୟାଙ୍କୁ ଦଶମ ଜନ୍ମଦିନ ପରେ ଜୁନିଅର ଓପନ୍ ୱାଟର ସ୍କୁବା ଡାଇଭର ଲାଇସେନ୍ସ ପାଇଁ ପ୍ରଶିକ୍ଷଣ ଆରମ୍ଭ କରିବାକୁ ଦୁଇ ମାସରୁ ଅଧିକ ଅପେକ୍ଷା କରିବାକୁ ପଡ଼ିଥିଲା। କିନ୍ତୁ ଏବେ ୨୦୨୬ରେ ତ୍ୱିଷା ଯୋଗ୍ୟତା ହାସଲ କରିବା ଦିନ ହିଁ ପ୍ରଶିକ୍ଷଣ ଆରମ୍ଭ କରିପାରିଥିଲେ। ତ୍ୱିଷାଙ୍କ ଲାଇସେନ୍ସ ସହ ପାଣିଗ୍ରାହୀ ପରିବାର ଏକ ନୂଆ ସଫଳତା ହାସଲ କରିଛି। ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ବଡ଼ ଝିଅ ତିଷ୍ୟା ଉଭୟ ଅଭିଜ୍ଞ ଆଡଭାନ୍ସଡ୍ ଓପନ୍ ୱାଟର୍ ସ୍କୁବା ଡାଇଭର୍। ଏହି ସ୍ତରର (ଆଡଭାନ୍ସଡ୍ ଓପନ୍ ୱାଟର୍) ପ୍ରମାଣପତ୍ର ହାସଲ କରିଥିବା ଭାରତର ହାତଗଣତି ବାପା-ଝିଅ ଯୋଡ଼ିଙ୍କ ମଧ୍ୟରେ ସେମାନଙ୍କୁ ଗଣାଯାଏ। ଏବେ ତ୍ୱିଷା ଜୁନିଅର ଓପନ୍ ୱାଟର୍ ଡାଇଭର୍ ଭାବେ ପ୍ରମାଣପତ୍ର ପାଇ ସେମାନଙ୍କ ସହ ସାମିଲ ହୋଇଛନ୍ତି।
ଡାଇଭିଂ ସହ ଏହି ପରିବାରର ସମ୍ପର୍କ ବହୁ ବର୍ଷର। ସେମାନେ ବିଶ୍ୱର ବିଭିନ୍ନ ସ୍ଥାନରେ ଜଳ ତଳ ଜଗତକୁ ଅନେକଥର ଅନ୍ୱେଷଣ କରିଛନ୍ତି। ଓଡ଼ିଶାର ସବୁଠୁ ସକ୍ରିୟ ସୌଖୀନ ସ୍କୁବା ଡାଇଭର୍ଙ୍କ ମଧ୍ୟରେ ଅଗ୍ରଣୀ ହେଉଛନ୍ତି ପ୍ରିୟଦର୍ଶୀ । ସେ ନିକଟରେ ୧୦୦ଟି ଡାଇଭ୍ ର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ତିଷ୍ୟା ୧୨ ବର୍ଷ ବୟସରେ ଓଡ଼ିଶାର ସର୍ବକନିଷ୍ଠ ଆଡଭାନ୍ସଡ୍ ଓପନ୍ ୱାଟର୍ ଡାଇଭର୍ ହୋଇଥିଲେ। ୧୫ ବର୍ଷ ବୟସରେ ୧୦୦ ଫୁଟ ଗଭୀରତାକୁ ଯାଇ ସେ ସେହି କୃତିତ୍ୱ ହାସଲ କରିଥିବା ସର୍ବକନିଷ୍ଠ ଓଡ଼ିଆ ହୋଇଥିଲେ। ତାଙ୍କର ଏହି ସଫଳତା ଯୁବପିଢ଼ିକୁ ଦୁଃସାହସିକ କ୍ରୀଡ଼ା ଓ ସାମୁଦ୍ରିକ ପରିବେଶ ସଂରକ୍ଷଣ ପ୍ରତି ଆଗ୍ରହୀ କରିଛି। ସମୁଦ୍ର ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହନ ଦେଇ ଏହି ବାପା-ଝିଅ ଯୋଡ଼ି ପୂର୍ବରୁ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ତ୍ୱିଷାଙ୍କ ସ୍କୁବା ଡାଇଭିଂ ଲାଇସେନ୍ସ ପାଡି (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନ୍ଷ୍ଟ୍ରକ୍ଟର୍ସ) ପ୍ରଦାନ କରିଛି। ବିଶ୍ୱର ସର୍ବବୃହତ୍ ଡାଇଭିଂ ପ୍ରଶିକ୍ଷଣ ସଂସ୍ଥା ଭାବେ ପାଡି ବ୍ୟାପକ ଭାବେ ପରିଚିତ। ୧୯୬୬ରେ ପ୍ରତିଷ୍ଠିତ ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆରେ ରହିଛି। ୧୮୦ରୁ ଅଧିକ ଦେଶ ଓ ଅଞ୍ଚଳରେ ହଜାର ହଜାର ଡାଇଭିଂ କେନ୍ଦ୍ର ଓ ପ୍ରଶିକ୍ଷକଙ୍କ ମାଧ୍ୟମରେ ଏହା କାର୍ଯ୍ୟ କରେ।
ଖୁସି ପ୍ରକାଶ କରି ତ୍ୱିଷା କହିଛନ୍ତି, “ସ୍କୁବା ଡାଇଭିଂ କରୁଥିବା ପରିବାରରେ ବଡ଼ ହୋଇଥିବାରୁ ବାପା ଓ ବଡ଼ ନାନୀଙ୍କୁ ଦେଖି ମୁଁ ମଧ୍ୟ ଆକର୍ଷିତ ହେଲି। ପ୍ରଶିକ୍ଷଣ ନେଇ ସେମାନଙ୍କ ସହ ଡାଇଭିଂ କରିବା ପାଇଁ ମୁଁ ମୋର ଦଶମ ଜନ୍ମଦିନକୁ ଉତ୍ସାହର ସହ ଅପେକ୍ଷା କରିଥିଲି। ଏବେ ନିଜ ଡାଇଭିଂ ଲାଇସେନ୍ସ ସହ ସମୁଦ୍ରକୁ ଅନ୍ୱେଷଣ କରିପାରିବି ବୋଲି ମୁଁ ବହୁତ ଉତ୍ସାହିତ।” ତିଷ୍ୟା କହିଛନ୍ତି, “ଡାଇଭିଂର ଏହି ଚମତ୍କାର ଦୁନିଆକୁ ମୋ ସାନ ଭଉଣୀକୁ ସ୍ୱାଗତ କରି ମୁଁ ବହୁତ ଖୁସି। ପ୍ରତ୍ୟେକ ଡାଇଭ୍ ର ଅନୁଭୂତି ଅଲଗା। ସମୁଦ୍ର ପ୍ରତିଥର ନୂଆ ରହସ୍ୟ ଖୋଲେ ଓ ନୂଆ କିଛି ଶିଖାଏ। ତା’ ସହ ଓ ବାପାଙ୍କ ସହ ଡାଇଭିଂ କରିବାକୁ ମୁଁ ଉତ୍ସାହର ସହ ଅପେକ୍ଷା କରିଛି।” ଦୁଇ ଝିଅଙ୍କ ସହ ଏକାଠି ଡାଇଭିଂ କରିବା ପ୍ରିୟଦର୍ଶୀଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ଭଳି। ସେ କହିଛନ୍ତି, “ତ୍ୱିଷା ଆମ ଡାଇଭିଂ ଭିଡିଓ ଦେଖୁଥିଲା ଓ ନିଜେ କେବେ ଡାଇଭିଂ ଶିଖିବା ବୟସରେ ପହଞ୍ଚିବ, ସେଥିପାଇଁ ଦିନ ଗଣୁଥିଲା। ତିଷ୍ୟା ଆଉ ମୁଁ ଯେତେବେଳେ ଡାଇଭିଂ କରିବାକୁ ଯାଉଥିଲୁ, ସେ କେବେ ଆମ ସହ ଯାଇପାରିବ ବୋଲି ପଚାରୁଥିଲା। ଯୋଗ୍ୟ ବୟସରେ ପହଞ୍ଚିବା ମାତ୍ରେ ତାର ଲାଇସେନ୍ସ ପାଇଥିବା ଦେଖିବା ମୋ ପାଇଁ ବହୁତ ଆନନ୍ଦର କଥା। ଜଳତଳ ଜଗତ ପ୍ରତି ମୋର ଯେଉଁ ଆଗ୍ରହ, ମୋ ଦୁଇ ଝିଅଙ୍କର ମଧ୍ୟ ସେହି ଆଗ୍ରହ ରହିଛି। ଜଣେ ବାପା ଭାବେ ଏହା ମୋର ସୌଭାଗ୍ୟ।”
ତିଷ୍ୟା ଓ ତ୍ୱିଷା ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ଶିକ୍ଷାବିତ୍ ସ୍ୱର୍ଗତ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ। ସେମାନେ ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ସ୍ତ୍ରୀରୋଗ ବିଶେଷଜ୍ଞ ସ୍ୱର୍ଗତ ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ମଧ୍ୟ ନାତୁଣୀ ଅଟନ୍ତି । ତ୍ୱିଷାଙ୍କ ସଫଳତା ଓଡ଼ିଶା ସମେତ ଭାରତର ଅଧିକ ପିଲାଙ୍କୁ ପେଶାଦାର ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ସୁରକ୍ଷିତ ଭାବେ ଦୁଃସାହସିକ କ୍ରୀଡ଼ାରେ ଭାଗ ନେବାକୁ ଏବଂ ସମୁଦ୍ର ଓ ସାମୁଦ୍ରିକ ପରିସ୍ଥିତିର ମହତ୍ତ୍ୱ ବୁଝିବାକୁ ପ୍ରେରଣା ଦେବ ବୋଲି ଆଶା କରାଯାଉଛି ।
Also Read- ପାରାଦୀପରେ ଅତୀତ ଉତ୍କଳର ଗୌରବ ଗାଥା ମନେ ପକାଇଲେ ମୁଖ୍ୟମନ୍ତ୍ରୀ